ଚୋରୀ ଉଦ୍ୟମ ବେଳେ ଧରାପଡିଲା ଚୋର : ଛେଚା ଖାଇଲା, ଗିରଫ ହେଲା

ବଲାଙ୍ଗୀର : ବଲାଙ୍ଗୀର ସହରରେ ଗତ କିଛି ଦିନ ହେଲା ଚୋର, ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ରେଳଷ୍ଟେସନ ରାସ୍ତା ଉପରେ ଥିବା ଏକ ବ୍ୟବସାୟୀଙ୍କ ଠାରୁ ବହୁ ପରିମାଣର ଟଙ୍କା ଓ ଅନ୍ୟ ସାମଗ୍ରୀ ଲୁଟ ହେବାର ୨୪ ଘଣ୍ଟା ଭିତରେ ଦୈନିକ ବଜାର ନିକଟରେ ଥିବା ଏକ ଦୋକାନରୁ ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ଚୋରକୁ ସ୍ଥାନୀୟ ଲୋକେ ଧରି ନିର୍ଦ୍ଧୁମ ମାଡ ମାରିବା ଘଟଣା ଆଲୋଚନାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ବଲାଙ୍ଗୀର ସହର ଦୈନିକ ବଜାର ପଛପଟେ ଥିବା ଗଳିରେ ଥିବା ଦୋକାନରୁ ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ବ୍ୟକ୍ତକୁ ଲୋକେ କାବୁ କରିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ମୟୁରଭଞ୍ଜ ଜିଲା ସଞ୍ଜବନୀ ଗାଁର ତପନ କୁମାର ପୃଷ୍ଟି(୩୯) ବୋଲି ଜଣାପଡିଛି। ଉକ୍ତ ଚୋରଟି ବୁଧବାର ବିଲମ୍ବିତ ରାତ୍ରିରେ ଏକ ଦୋକାନର ତାଲା ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ସମୟରେ ଲୋକେ ଦେଖିଦେଇଥିଲେ। ପରେ ରୁଣ୍ଡ ହୋଇ ସଂପୃକ୍ତ ଚୋରକୁ କାବୁ କରିବା ସହିତ ମାଡ ମାରି ପୁଲିସର ଜିମା ଦେଇଥିଲେ। ସଂପୃକ୍ତ ଚୋର ପାଖରୁ ଦୁଇଟି ତାଲା ଭଙ୍ଗା ଶାବଳ ମଧ୍ୟ ପୁଲିସ ଜବତ କରିଛି। ତେବେ ସଂପୃକ୍ତ ବ୍ୟକ୍ତି ଜଣକ ପେଶାଦାର ଚୋର ବୋଲି ପୁଲିସ ସୂଚନା ଦେଇଛି। ତାକୁ ପଚରାଉଚୁରା କରିବା ପାଇଁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.