‘ସମାଜ’କୁ ଅନ୍ତେବାସୀଙ୍କ ଧନ୍ୟବାଦ : କୁଷ୍ଠରୋଗୀଙ୍କ ମୁହଁରେ ହସ ଫୁଟେଇଲେ ସ୍ୱେଚ୍ଛାସେବୀ

ବଲାଙ୍ଗୀର : ବଲାଙ୍ଗୀର ପୌର ପରିଷଦ ଅନ୍ତର୍ଗତ ବଲାଙ୍ଗୀର-ସୋନପୁର ରାସ୍ତା କଡରେ ରହିଛି କୁଷ୍ଠାଶ୍ରମ। ଏଠାରେ ୮୫ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ବର୍ତ୍ତମାନ ଲକ୍‍ ଡାଉନ୍ ଯୋଗୁଁ ନାହିଁ ନଥିବା ସମସ୍ୟାରେ ରହିଛନ୍ତି। ଲକ୍‍ ଡାଉନର ଏତେ ଦିନ ହୋଇଥିଲେ ସୁଦ୍ଧା ଜିଲା ପ୍ରଶାସନ କି ପୌର ପ୍ରଶାସନର କୌଣସି ଅଧିକାରୀ ସେମାନଙ୍କ ପ୍ରତି ଦରଦ ଦେଖାଇ ନାହାଁନ୍ତି। ଏପରିକି ସେମାନଙ୍କ ପାଖକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ରିଲିଫ ଆଜି ଯାଏଁ ବଣ୍ଟନ କରାଯାଇ ନାହିଁ। ‘କୁଷ୍ଠାଶ୍ରମରେ ଦୟନୀୟ ଜୀବନ’ ଶୀର୍ଷକ ଖବର ଦୈନିକ ‘ସମାଜ’ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଗୁରୁବାର ବଲାଙ୍ଗୀର ସହରର ସ୍ୱେଚ୍ଛାସେବୀମାନେ ଅଣ୍ଟା ଭିଡିବା ସହ କୁଷ୍ଠାଶ୍ରମକୁ ସେବା ଯୋଗେଇ ଦେଇଛନ୍ତି। ସମାଜସେବୀ ଶିକ୍ଷୟିତ୍ରୀ ସବିତା ମହରାଙ୍କ ନେତୃତ୍ୱରେ ଯୁବ ସ୍ୱେଚ୍ଛାସେବୀ ଜୟଦେବ ଜାଲ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ତ୍ରିପାଠୀ, ନିଳାଦ୍ରୀ ଦେହୁରୀ ପ୍ରମୁଖ ଦୁଇ ଓଳି ପାଇଁ ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଶ୍ରୀ ଜାଲ ଯଥାଶୀଘ୍ର ପୌର ପ୍ରଶାସନ ପକ୍ଷରୁ ଏହି ଅବହେଲିତ, ଅସହାୟ ଲୋକଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ଲକ୍‍ ଡାଉନ୍ ଯୋଗୁଁ ପଦାକୁ ବାହାରିବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ସହଯୋଗର ହାତ ବଢେଇଥିଲେ ବଲାଙ୍ଗୀର ଜିଲା ହାବିଲଦାର-କନଷ୍ଟେବଳ ସଂଘ। ସଂଘର ସଭାପତି ସେଖ୍‍ ମନସୁର ମହମ୍ମଦ, ବୃନ୍ଦାବନ ମେହେର ଓ ହେମନ୍ତ ପୁଟେଲ ଉପସ୍ଥିତ ରହି ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ। ବର୍ତ୍ତମାନ ସ୍ଥିତିରେ ଜରୁରୀ ସେବା ଓ ଅସହାୟଙ୍କୁ ସଂଘ ପକ୍ଷରୁ ସହାୟତା କରାଯାଉଛି ବୋଲି ସଭାପତି ମନସୁର ମତବ୍ୟକ୍ତ କରିଥିଲେ।
ଏହି ଅନ୍ତେବାସୀଙ୍କ କରୁଣ କାହାଣୀକୁ ନେଇପ୍ରକାଶ ହେବା ଓ ସହାୟତା ପାଇବା ପରେ କୁଷ୍ଠାଶ୍ରମର ଅନ୍ତେବାସୀ ‘ସମାଜ’ ଖବର କାଗଜକୁ ଧନ୍ୟବାଦ ଦେଇଛନ୍ତି। ଦୈନିକ ଖବର କାଗଜ ‘ସମାଜ’ ଦୁଃଖୀ, ଦରିଦ୍ର, ଅସହାୟଙ୍କ ପାଇଁ ନିରନ୍ତର କାମ କରି ଆସୁଥିବା ବେଳେ ଆମ ସ୍ୱରକୁ ଖବର କାଗଜରେ ସ୍ଥାନିତ କରି ପ୍ରଶାସନ ତଥା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହା ଫଳରେ ଆମେ ଆଜି ଖାଇବାକୁ ମୁଠେ ଦାନା ପାଇପାରୁଛୁ ବୋଲି କହିବା ସହ ସେହି ଅନ୍ନଦାତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Comments are closed.