ବଲାଙ୍ଗିରରେ ବିଇଓ ମରୁଡି, ଅଧା ବ୍ଲକରେ ନାହାନ୍ତି ବ୍ଲକ ଶିକ୍ଷା ଅଧିକାରୀ

ବଲାଙ୍ଗିର: ବଲାଙ୍ଗିର ଜିଲାର ଶିକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାର ବିଷୟ ହୋଇରହିଛି। ଅନେକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତ ପୁଣି ଅନେକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନାହାନ୍ତି। ଏମିତିରେ ଜିଲାରେ ଶିକ୍ଷା ବ୍ୟବସ୍ଥା କିପରି ଚାଲୁଥିବ ତାହା ଅନୁମାନ କରାଯାଇପାରେ।ତେବେ କେବଳ ଶିକ୍ଷକ କି ଛାତ୍ରଛାତ୍ରୀ ନୁହଁନ୍ତି ଜିଲାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ମରୁଡି ଏବେ ସାମ୍ନାକୁ ଆସିଛି। ବ୍ଲକ ଶିକ୍ଷା ବ୍ୟବସ୍ଥାର ପ୍ରଶାସନିକ ଦାୟିତ୍ୱ ମୁଣ୍ଡାଇବା ପାଇଁ ଅଧିକାରୀ ନ ଥିବା ବେଳେ ଏକାଧିକ ବ୍ଲକ ଦାୟିତ୍ୱ ମୁଣ୍ଡାଇଛନ୍ତି ଜଣେ ଜଣେ ଅଧିକାରୀ। ଏହା ଏକ ବଡ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାର ସମାଧାନ କେବେ ହେବ ତାହା ଭଗବାନକୁ ଜଣା।

ଭଗବାନ ଭରସାରେ ଚାଲିଛି ବଲାଙ୍ଗିର ଶିକ୍ଷା ବ୍ୟବସ୍ଥା। ସମସ୍ତ ବିଭାଗରେ ଖାଲି ପଡ଼ିଥିବା ପଦବୀ ଏବେ ସମସ୍ୟା ସୃଷ୍ଟି କରିଛି। ଯୋଗାଡରେ ଚାଲିଛି ବ୍ଲକ ଓ ଜିଲା ଶିକ୍ଷା କାର୍ଯ୍ୟାଳୟ। ସୂଚନା ଅନୁସାରେ ଜିଲାର ୧୪ଟି ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଅଧିକାରୀଙ୍କ ମରୁଡି ପଡ଼ିଛି। ଅଧାସଂଖ୍ୟକ ଅଧିକାରୀ ଏକାଧିକ ଦାୟିତ୍ୱ ମୁଣ୍ଡାଇ କାମ ଚଲାଉଥିବା ଜଣାପଡ଼ିଛି। ବଲାଙ୍ଗିର ସଦର ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ଗତ କିଛି ଦିନ ତଳେ ପେନସନ ଟଙ୍କା ହେରଫେର ଘଟଣାରେ ନିଲମ୍ବିତ ହୋଇଥିଲେ। ତାଙ୍କ ପରେ ଏହି ପଦବୀ ଖାଲିପଡ଼ିଥିବା ବେଳେ ଗତ କିଛି ଦିନ ତଳେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ ପୁଇଁନ୍ତଲା ସମେତ ଗୁଡଭେଲା ଓ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ଟିଟିଲାଗଡ ଓ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଭାବେ ମୁକୁନ୍ଦ ମହାରଣା, ବଙ୍ଗୋମୁଣ୍ଡା ଓ ବେଲପଡା ବ୍ଲକ ଶିକ୍ଷା ଅଧିକାରୀ ଭାବେ ବୈକୁଣ୍ଠ ସବରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପାଟଣାଗଡ ଓ ଖପ୍ରାଖୋଳ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଷଷ୍ଠୀ ଝାଙ୍କର ରହିଥିବା ବେଳେ ତୁରେକେଲା ଦାୟିତ୍ୱରେ ଥିବା ଅଧିକାରୀ ଭୋଲାନାଥ କୁମ୍ଭାର ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲିରହିଛି। ଅନ୍ୟପକ୍ଷରେ ମୁରିବାହାଲରେ ଜଗନ୍ନାଥ ଧରୁଆ, ଲୋଇସିଂହାରେ ରୀନା ବେହେରା ଓ ଆଗଲପୁରରେ ମଞ୍ଜୁଲତା ଭୋଇ ବିଇଓ ଦାୟିତରେ ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
ଏକଧିକ ବ୍ଲକ ଦାୟିତ୍ୱ ରହିବାରୁ କାମର ଚାପ ବୃଦ୍ଧି ପାଇବା ସ୍ୱାଭାବିକ କଥା। ପ୍ରାୟ ଅଧସଂଖ୍ୟକ ଅଧିକାରୀରେ ଶିକ୍ଷା ବ୍ୟବସ୍ଥା ପରିଚାଳିତ ହେଉଥିବାରୁ କାର୍ଯ୍ୟାଳୟରେ ପ୍ରଶାସନିକ ସମସ୍ୟା ବଢିବାରେ ଲାଗଛି। ତେବେ ଶୀଘ୍ର ନୂତନ ବିଇଓ ନିଯୁକ୍ତି ଦେଇ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ଏକାଧିକ ଦାୟିତ୍ୱରେ ଥିବା ଅଧିକାରୀ ମାନେ ଅନୁରୋଧ କରିଛନ୍ତି। ଏହି ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

Comments are closed.