ମହିଳା ମହାବିଦ୍ୟାଳୟ ରାସ୍ତାରେ ଲୁଟ ଘଟଣା : ଧରାଇଦେଲା ସିସିଟିଭ ଫୁଟେଜ, ୪ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ମହିଲା ମହାବିଦ୍ୟାଳୟ ରାସ୍ତାରେ ଦିନ ବେଳା ଭୁଜାଲି ଦେଖାଇ ହୋଇଥିବା ଲୁଟ ଘଟଣାରେ ବଲାଙ୍ଗୀର ଟାଉନ ପୁଲିସକୁ ସଫଳତା ମିଲିଛି । ଅପରାଧ ନିୟନ୍ତ୍ରଣ ପାଇଁ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଠାବ କରି ପୁଲିସ ଅଭିଯୋଗର ଦିନକ ଭିତରେ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗତ ଜୁଲାଇ ୩୧ ତାରିଖରେ ସୋନପୁର ଜିଲା ବୀରମହାରାଜପୁର ଅଞ୍ଚଳର ସଚ୍ଚିଦାନନ୍ଦ ସେଠୀ ନିଜ ବାଇକରେ ମହିଲା ମହାବିଦ୍ୟାଳୟ ରାସ୍ତାରେ ଆସୁଥିଲେ । ଦିନ ପ୍ରାୟ ୧ଟା ୩୦ ମିନିଟରେ ଚାରି ଜଣ ଯୁବକ ହଠାତ ତାଙ୍କୁ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ସେହି ଯୁବକ ମାନେ ଭୂଜାଲି ଦେଖାଇ ତାଙ୍କ ଠାରୁ ୧୭ ହଜାର ୯ ଶହ ଟଙ୍କା, ଗୋଟିଏ ଭିଭୋ ମୋବାଇଲ ଫୋନ ଲୁଟ କରି ଚମ୍ପଟ ମାରିଥିଲେ । ଘଟଣା ବିଷୟରେ ଶ୍ରୀ ସେଠୀ ୨ ତାରିଖରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ଟାଉନ ଥାନା କେସ ନଂ ୩୩୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲଗାଯାଇଥିବା ସିସିଟିଭ ଫୁଟେଜ ଯାଞ୍ଚ କରିବା ପରେ ଚାରି ଜଣ ନୁହଁ ଏହି ଘଟଣାରେ ଛଅ ଜଣ ଅଭିଯୁକ୍ତ ସାମିଲ ଥିବା ପୁଲିସ ଜାଣିବାକୁ ପାଇଥିଲା । ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଚାରି ଜଣଙ୍କୁ ଖବର ପହଞ୍ଚାଉଥିଲେ । ଫୁଟେଜର ତଥ୍ୟ ବ୍ୟବହାର କରି ପୁଲିସ ସୋମବାର ଉକ୍ତ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଚାରି ଜଣ ହେଲେ ବିଭୂତିପଡାର ରାକେଶ ଭୋଇ(୨୭) ଓ ଗୈାତମ ସୁନା(୨୫), ଚିମନୀଭାଟିପଡାର ସିତୁ ବନଛୋର(୩୦) ଓ ବିକାଶ ବୁଡେକ(୨୧) ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ମାନଙ୍କ ପାଖରୁ ନଗଦ ଦୁଇ ହଜାର ଟଙ୍କା ଓ ଗୋଟିଏ ମୋଟରସାଇକେଲ ପୁଲିସ ଜବତ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Comments are closed.