ଖୋଲିବ ଓଭରବ୍ରିଜ, ବନ୍ଦ ହେବ ହାଟପଦା ରେଳବାଇ ଫାଟକ

ଇସ୍ପାତ ଏକ୍ସପ୍ରେସ ଚଳାଚଳ ଦାବି କଲେ ମନ୍ତ୍ରୀ ଓ ସାଂସଦ

ଟିଟିଲାଗଡ଼:ଆଉ ମାତ୍ର କିଛି ଦିନ ପରେ ବହୁ ପ୍ରତିକ୍ଷିତ ଟିଟିଲାଗଡ ରେଳବାଇ ଓଭର ବ୍ରିଜ ଉପରେ ଗାଡି ଚଳାଚଳ ହେବ। ପ୍ରକଳ୍ପ ସ୍ଥଳକୁ ରେଳବାଇ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଗସ୍ତ ପରେ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ରାଜ୍ୟ ପୁର୍ତ୍ତ ବିଭାଗ ପ୍ରାୟ ୧ହଜାର ମିଟର ବ୍ରିଜ ସହ ଏପ୍ରୋଚ ରୋଡ କାମ ସମ୍ପୁର୍ଣ୍ଣ କରିଛି। ତେବେ ରେଳଧାରଣା ଉପରିସ୍ଥ ପୋଲ କାମ ରେଲବାଇ କରୁଛି। ରେଳ ବିଭାଗ କରୋନା କଟକଣା ସମେତ ବିଭିନ୍ନ ବୈଷୟିକ କାରଣ ଦର୍ଶାଇ ପ୍ରକଳ୍ପ ବିଳମ୍ବ କରି ଚାଲିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ୨ ମାସ ହେବ କାମ ଜୋରସୋର୍‌ରେ କରାଯିବା ସହ ରେଳ ଧାରଣା ଉପରେ ସ୍ଲାବ କାର୍ଯ୍ୟ, ଦୁଇ କଡରେ ସୁରକ୍ଷା ପାଚେରୀ କାମ ପ୍ରାୟ ଶେଷ ପର୍ଯ୍ୟାୟକୁ ପହଞ୍ଚି। ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ କମ୍ ଦିନ ମଧ୍ୟରେ ଗାଡି ଚଳାଚଳ କରାଯିବ ବୋଲି ରେଳବାଇର ଯାନ୍ତ୍ରିକ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ସୂଚନା ଯେ, ଟିଟିଲାଗଡ ସହରକୁ ଦୁଇ ଭାଗ କରି ରଖିଥିବା ରେଳଧାରଣା ନେଇ ସହରବାସୀ ଅକଥନୀୟ ସସମ୍ୟାର ସମ୍ମୁଖୀନ ହେଉଛନ୍ତି।

ଏପରିକି ହାଟପଦା ରେଳବାଇ ଫାଟକ ନିୟମିତ ଅନ୍ତରରେ ବନ୍ଦ ଯୋଗୁଁ ଜଣେ ନାବାଳିକା ରୋଗୀ ଡାକ୍ତରଖାନାକୁ ପହଞ୍ଚିନପାରି ମୃତ୍ୟୁବରଣ କରିବା, ପ୍ରସବ ମହିଳା ରେଳଫାଟକ ନିକଟରେ ଅପ୍ରିତିକର ପରିସ୍ଥିତିରେ ସନ୍ତାନ ପ୍ରସବ କରିବା ଭଳି ଅନେକ ଘଟଣା ନେଇ ଉତ୍ତେଜନା ସୃଷ୍ଟି ସହ ରେଳରୋକ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରସ୍ତାବିତ ରେଳ ଓଭର ବ୍ରିଜ କାମ ରାଜ୍ୟ ସରକାର ଓ ରେଳ ବିଭାଗ ମଧ୍ୟରେ ବିବାଦ ନେଇ ଆଗେଇ ପାରି ନଥିଲା। ପୋଲ କାମ ଆରମ୍ଭ ପାଇଁ ସେ ସମୟରେ ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ ୨୦୧୪ରେ ନିର୍ବାଚିତ ହେବା ପରେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁଙ୍କ ଉଦ୍ୟମରେ ରାଜ୍ୟ ସରକାର ୭୨ କୋଟି ଟଙ୍କାର ରେଳବାଇ ଓଭରବ୍ରିଜ ପ୍ରକଳ୍ପ ମଞ୍ଜୁର ପରେ ବର୍ତ୍ତମାନ ସହରବାସୀଙ୍କ ବର୍ଷ ବର୍ଷର ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି। ରାଜ୍ୟ ପୁର୍ତ୍ତ ବିଭାଗ ନିଜ ଭାଗର ୮୮୨ ମିଟର କାର୍ଯ୍ୟ ନିର୍ମାଣ ସାରିଥିବା ବେଳେ ରେଳ ବିଭାଗ ୬୦ ମିଟର ରେଳଧାରଣା ଉପରିସ୍ଥ ଛାତ କାମ ସରିଛି। ନୂତନ ଓଭରବ୍ରିଜ ଉପରେ ଗାଡି ଚଳାଚଳ ହେଲେ ପୁରୁଣା ହାଟପଦା ରେଳ ଫାଟକକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ରେଳବିଭାଗ ନିଷ୍ପତ୍ତି ନେଇଥିବା ଜଣାଯାଇଛି। କେହି ଓଭର ବ୍ରିଜ ଚଢିଲେ ପ୍ରାୟ ୧ କିଲୋମିଟର ପରେ ହିଁ ଓହ୍ଲାଇବା ବ୍ୟବସ୍ଥା ରହିଥିବା ବେଳେ ପାଖ ଲୋକଙ୍କ ଯା’ଆସ ପାଇଁ ୧୦ କୋଟି ଟଙ୍କାରେ ଅଣ୍ଡର ବ୍ରିଜ ନିର୍ମାଣ ହୋଇଛି। ତେବେ ବିଶେଷ କରି ପାଖ ସ୍କୁଲ ଛାତ୍ରଛାତ୍ରୀ ତଥା ପଥଚାରୀଙ୍କ ଯିବା ଆସିବା ସହ ଟ୍ରାଫିକ ସୁଗମ ପାଇଁ ହିନ୍ଦୀ ହାଇସ୍କୁଲ ପଟରୁ ଥାନା ପଛ ପଟରେ ଅଣ୍ଡର ବ୍ରିଜ ପଟକୁ ରହିଥିବା ପ୍ରାୟ ଦେଢ ଶହ ମିଟର ରାସ୍ତାକୁ ଖୋଲା କରିବାକୁ ଡିଆର୍ଏମ୍ ସମ୍ବଲପୁରଙ୍କ ଠାରେ ଟିଟିଲାଗଡ ବ୍ୟବସାୟୀ ସଂଘ ପକ୍ଷରୁ ଲିଖିତ ଦାବି ଉପସ୍ଥାପନ କରାଯାଇଥିବା ସଭାପତି ଶମ୍ଭୁପ୍ରସାଦ ଗୋୟଲ ଜଣାଇଛନ୍ତି।


ଟିଟିଲାଗଡରୁ ହାୱଡାକୁ ଚଳାଚଳ କରୁଥିବା ୧୨୭୮୧ ଅପ ଓ ୧୨୭୮୨ ଡାଉନ ଇସ୍ପାତ ଏକ୍ସପ୍ରେସ କୋଭିଡ ଯୋଗୁଁ ଗତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ବାତିଲ ହୋଇଛି। ପଶ୍ଚିମ ଓଡିଶାର ୫ଟି ଜିଲାବାସୀ ଏହି ଟ୍ରେନ ଉପରେ ବିଶେଷ ନିର୍ଭରଶୀଳ। ଛାତ୍ରଛାତ୍ରୀ, କର୍ମଚାରୀ, ବ୍ୟବସାୟୀଙ୍କୁ ଏହି ଟ୍ରେନ ସୁହାଇଥାଏ। ଏବେ କରୋନା କଟକଣା କୋହଳ ସହ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ ଖୋଲିଳାଣି। ହେଲେ ଟ୍ରେନ ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ମନ୍ତ୍ରୀ ଟୁକୁନୀ ସାହୁ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଇସ୍ପାତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ରେଳ ଭବନ, ନୂଆଦିଲ୍ଲୀରେ ରେଲବୋର୍ଡ ସିଇଓ ସୁନିତ ଶର୍ମାଙ୍କୁ ସାକ୍ଷାତ ସହ ବ୍ୟବସାୟୀ, ଛାତ୍ରଛାତ୍ରୀ, ବଡମାଳ ଗୋଳାବାରୁଦ କାରଖାନା କର୍ମଚାରୀ ତଥା ସାଧାରଣ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଇସ୍ପାତ ଏକ୍ସପ୍ରେସ ସହ ସମଲେଶ୍ୱରୀ ଚଳାଚଳ ଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିଥିବା ବିଜେପି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଇନଜୀବୀ ଆଲୋକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.