ଘରୋଇ ଗୋଦାମ ସାଜିଛି ମଣ୍ଡି, ମିଲର୍ସ ଚଲାଉଛନ୍ତି ମନ ଇଚ୍ଛା କାରବାର

ବଲାଙ୍ଗିର/ମୁରିବାହାଲ:ମୁରିବାହାଲ ବ୍ଲକର ୧୧ଟି ପେକ୍ସରୁ ୮ଟି ପେକ୍ସରେ ଧାନ କିଣା ଆରମ୍ଭ ହୋଇଛି। ତେବେ ଧାନ କିଣା ପ୍ରକ୍ରିୟାରେ ବ୍ୟତିକ୍ରମ ରହିଥିବା ଅଭିଯୋଗ ଆସୁଛି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜେ ଯାଇଥିଲେ ବଡସାଇମରା ପେକ୍ସର ଆଣ୍ଡୋଲଦରା ଗାଁକୁ। ଅରୁଣ ପାତ୍ରଙ୍କ ଗୋଦାମ ପରିସରରେ ଧାନ ଗଦା ହୋଇଛି। କୌଣସି ଚାଷୀ ସେଠାରେ ନଥିବା ବେଳେ ଶହ ଶହ ବସ୍ତା ଧାନ ପଡିଛି। ଚାଷୀଙ୍କ ନାଁରେ ଏଠାରେ ଦଲାଲ ସକ୍ରିୟ ରହିଥିବା ସେ ଅଭିଯୋଗ କରିଛନ୍ତି। ଏ ପର୍କରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗକୁ ଅବଗତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ୧ କ୍ୱିଣ୍ଟାଲ ଧାନରେ ପ୍ରାୟ ୭ କେଜି ଧାନ କଟାଯିବା ବାଧ୍ୟତାମୂଳକ ହୋଇଛି। ସିଧାସଳଖ ମିଲର୍ସ ଏଠାରେ ରାଜ୍ କରୁଛନ୍ତି। ଟିଟିଲାଗଡର ସାଲେଶ୍ୱର ବାବା, ବମଲେଶ୍ୱରୀ ପେଡି, ଜୟତୁଲସୀ, ସାବିତ୍ରୀ ରାଇସ୍ ମିଲ୍, ଭଗବତୀ ରାଇସ୍ ମିଲ୍ ମାଲିକ ଦଲାଲଙ୍କୁ ଆୟୁଧ କରି ସେଠାକାର ହର୍ତ୍ତାକର୍ତ୍ତା ସାଜିଥିବା ଅଭିଯୋଗ ବି ଆସୁଛି ବୋଲି ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି।
ଏହିକ୍ରମରେ ଗୁରୁବାର ଚାଷୀମାନେ ସିଧାସଳଖ ଘେରାଉ କରିବେ ବୋଲି ସୂଚନା ମିଳିଛି। ଜିଲା ପ୍ରଶାସନ ସହ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ନେଇ ପର୍ଦ୍ଦାଫାଶ କରିବେ। ପେକ୍ସ ବଦଳରେ ଜଣଙ୍କ ଗୋଦାମରେ ଧାନ କିଣା, ଚାଷୀ ନୁହେଁ ଦଲାଲ ହାତରେ ବେପାର ଚାଲିଥିବା ନେଇ ବିରୋଧ ହେବ ବୋଲି ଖବର ମିଳିଛି। ଅନ୍ୟପଟେ ବିଧାୟକ ଶ୍ରୀ ସାଲୁଜା ଜିଲାପାଳ ଚଞ୍ଚଳ ରାଣାଙ୍କୁ ଏସଂପର୍କରେ ଅବଗତ କରିଥିଲେ ବି ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି।

Comments
Loading...