କରୋନା ଯୋଦ୍ଧାଙ୍କୁ ଛଟେଇ ପ୍ରତିବାଦରେ ଶୋଭାଯାତ୍ରା, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର :ଗୁରୁବାର ବଲାଙ୍ଗିର ଜିଲାର କୋଭିଡ୍ କେୟାର ହୋମ୍ (ସିସିଏଚ୍)ରେ କାମ କରୁଥିବା କରୋନା ଯୋଦ୍ଧାମାନେ କୋଭିଡ୍ ୱାରିଅର୍ ଛଟେଇ ଫୋରମ୍‌ର ରାଜ୍ୟ ସଭାପତି ଇଂ.ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକଜୁଟ୍ ହୋଇଥିଲେ। କୋଭିଡ୍‌ ୱାରିୟର ଚିଟେଡ୍‌ ଫୋରମ୍‌ ପକ୍ଷର ଏକ ଶୋଭାଯାତ୍ରାରେ ଆସି ଛଟେଇ ହୋଇଥିବା କରୋନା ଯୋଦ୍ଧାମାନେ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ ଏବଂ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର ଦେଇଛନ୍ତି।
ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତୁରନ୍ତ ୫ ଶହ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ସମସ୍ତ ସିସିଏଚ୍‌କୁ ପଞ୍ଚାୟତ ହେଲ୍‌ଥ କେୟାର ହୋମରେ ରୁପାନ୍ତରିତ କରି ଦିଅନ୍ତୁ। ସେଥିରେ ଏହି କରୋନା ଯୋଦ୍ଧାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଫୋରମ୍ର ସଦସ୍ୟମାନେ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କର ଏହି ଦାବି ପୂରଣ କରିନାହାନ୍ତି, ସେ ଯାଏ ସିସିଏଚ୍ରେ କାମ କରୁଥିବା କୌଣସି କରୋନା ଯୋଦ୍ଧାଙ୍କୁ ଛଟେଇ ନକରିବାକୁ ଦାବି ହୋଇଛି। ଯଦି ଛଟେଇ କରିସାରିଛନ୍ତି, ତେବେ ପୁନଃ-ନିଯୁକ୍ତି ଦେବା ପାଇଁ ସମସ୍ତ ଜିଲାପାଳ ଓ ସିଡିଏମ୍ଓଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ପାଇଁ କରୋନା ଯୋଦ୍ଧାମାନେ ଦାବି କରିଛନ୍ତି। ଏହି ଦାବିଗୁଡିକ ସରକାର ତୁରନ୍ତ ପୂରଣ ନକରନ୍ତି, ତେବେ ସେମାନେ ବାଧ୍ୟ ହୋଇ ୧୫ ଡିସେମ୍ବର ୨୦୨୦ ଠାରୁ ଧାରଣା ଦେବେ। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ଯାଏଁ ଧାରଣା ଜାରି ରହିବ ବୋଲି ଇଂ.ହୋତା କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଏହି କରୋନା ଯୋଦ୍ଧାମାନେ ସ୍ୱଳ୍ପ ଦରମାରେ ଗାଁ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାବ ସଂଗ୍ରହ, ଆଣ୍ଟିଜେନ୍ ଟେଷ୍ଟ୍ ଆଦି କରିବା ସହିତ ଔଷଧ ବାଣ୍ଟୁଥିବାରୁ କରୋନାର ପ୍ରଭାବ କମିଯାଇଥିଲା। ଓଡିଶା ଏକ ଗ୍ରାମୀଣ ରାଜ୍ୟ ହୋଇଥିବାରୁ ଭୌଗୋଳିକ ଦୃଷ୍ଟିକୋଣରୁ ଗରିବ ଲୋକମାନେ ନିଜ ପଞ୍ଚାୟତରେ ସହଜ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ତେଣୁ ପ୍ରତ୍ୟେକ ପଞ୍ଚାୟତରେ ପିଏଚ୍ସିଏଚ୍ର ଆବଶ୍ୟକତା ରହିଥିବା କହିଛନ୍ତି ଇଂ.ହୋତା।

Comments are closed.