‘ମୋତେ ଓ ମୋର ଘର ସ୍ଥିତି ସରକାର ଦେଖନ୍ତୁ, ତା ପରେ ମୋତେ ଘର ଖଣ୍ଡିଏ ଦେବେ’ ; ଆବାସ ଯୋଜନାରୁ ବଞ୍ଚିତ ୯୦ ବର୍ଷୀୟ ଉସ୍ତରାମ ବାଗ

ବଲାଙ୍ଗିର: ବଲାଙ୍ଗିର ଜିଲା ସଦର ମହକୁମା ଠାରୁ ପ୍ରାୟ ୧୫ କିମି ଦୂର ପୁଇଁନ୍ତଲା ବ୍ଲକ ଦଶପୁର ପଞ୍ଚାୟତର ମେଣ୍ଡିପାଲି ଗାଁ। ଏହି ଗାଁର ୯୦ ବର୍ଷୀୟ ଉସ୍ତରାମ ବାଗ। ବେଶ ଦୁର୍ବିସହ ଜୀବନ ବଞ୍ଚୁଛନ୍ତି। ଜୀବନ କାଳ ମଧ୍ୟରେ ଏତେ ଦୁଃଖ ଦୁର୍ଦ୍ଦଶା ଭୋଗି ଆସୁଥିବା ବେଳେ ବୟସର ସାୟାହ୍ନରେ ମଧ୍ୟ ସରକାରୀ ଯୋଜନା ତାଙ୍କ ଠାରୁ ବହୁ ଦୂରରେ। ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସରକାରୀ ବାବୁମାନଙ୍କ ପାଇଁ ସେ ଉପହାସ ପାଲଟି ଯାଇଛନ୍ତି। ଉସ୍ତରାମ ଏତେ ବୟସ ହୋଇଥିଲେ ବି ନିଜେ ସରକାରୀ ଯୋଜନାରେ ସାମିଲ ହେବାର ଅଶା ଛାଡି ନାହାନ୍ତି। ସେ କୁହନ୍ତି ଅନେକ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳୁଛି। ମୋତେ କାହିଁକି ନୁହେଁ। ମୋତେ ଓ ମୋର ଘର ସ୍ଥିତି ସରକାର ଦେଖନ୍ତୁ, ତା ପରେ ମୋତେ ଘର ଖଣ୍ଡିଏ ଦେବେ। ଘରକୁ ପଲିଥିନ୍‍ରେ ଢାଙ୍କିଛି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ବିଭିନ୍ନ ଅଫିସ୍‍ ଦୁଆର ମୁହଁକୁ ଯାଉଛନ୍ତି। ଦରଖାସ୍ତ ଖଣ୍ଡିଏ ଦେଉଛନ୍ତି। ହେଲେ ତାଙ୍କ କଥା କେହି ଶୁଣୁ ନାହାନ୍ତି। ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ନା ସବୁକିଛି ଦେଖି ନ ଦେଖିଲା ପରି ଅଭିନୟ କରୁଛନ୍ତି ବୋଲି ପ୍ରଶ୍ନ କରନ୍ତି। ବାର୍ଦ୍ଧକ୍ୟ ପୀଡା ତାଙ୍କୁ ଯେତିକି କଷ୍ଟ ଦେଉଛି, ତା ଠାରୁ ଢେର ଅଧିକା ନେତା ଓ ବାବୁଙ୍କମାନଙ୍କ ଠାରୁ ପାଉଥିବା ନୈରାଶ୍ୟ ଯନ୍ତ୍ରଣାରେ ଅଧିକ ଛଟପଟ ହେଉଛନ୍ତି। ପରିବାର କହିଲେ ତାଙ୍କ ଦିନ ମଜୁରିଆ ପୁଅ, ବୋହୂ ସାଙ୍ଗକୁ ନାତି। ସରକାରଙ୍କ ଠାରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଔଷଧ ଖର୍ଚ୍ଚ ପାଇଁ ନିଅଣ୍ଟ। ଦିନ ମଜୁରୀ କରି ପୁଅବୋହୂ କଷ୍ଟରେ ପରିବାର ଚଳାଉଥିବା ବେଳେ ବାପାଙ୍କ ପାଇଁ ବାଧ୍ୟ ହୋଇ ହାତ ଟେକି ଦେଇଛନ୍ତି।

ଠିକ ସେହିଭଳି ଗାଁର ଦେବକୀ ବାଗଙ୍କ ପାଇଁ ମଧ୍ୟ ସରକାରୀ ଆବାସ ଯୋଜନାର ସ୍ୱପ୍ନ ବହୁତ ଦୂର। ଗତବର୍ଷ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରେଇଥିବା ଦେବକୀ ବେଶ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଆଉ ସାହା ଭରସା କିଏ ବା ଅଛି। ପୁଅ ଆର ପାରିକୁ ଗଲା ପରେ ଏବେ ନାତି, ନାତୁଣୀ ଏବଂ ବିଧବା ବୋହୂ ପଦ୍ମାଳୟା ବାଗଙ୍କୁ ନେଇ ପ୍ରଶାସନ ଠାରେ କିଛି ଆର୍ଥିକ ସହାୟତା ଭିକ୍ଷା କରିଥିଲେ। ହେଲେ କେହି କିଛି ଶୁଣିଲେ ନାହିଁ। କରୋନା କାଳରେ କାମଧନ୍ଦା ଅଭାବ ଯୋଗୁଁ ଅର୍ଥର ଅନାଟନରେ ଓ ଭୋକରେ ଦିନ କାଟିବାକୁ ପଡେ ବୋଲି କୁହନ୍ତି ଦେବକୀ। ଅନ୍ୟପକ୍ଷରେ ଦେବକୀଙ୍କ ବୃଦ୍ଧା ଶାଶୁ ପକ୍ଷଘାତ ରୋଗରେ ପୀଡିତ ଥିବାରୁ ଆଶ୍ରୟ ପାଇଁ ଅନ୍ୟଘର ବାରଣ୍ଡାରେ ନିର୍ଭର ହେଉଛନ୍ତି। ଏହି ବସ୍ତିରେ ଜଣେ କି ଦୁଇ ଜଣ ନୁହେଁ, ବରଂ ବସ୍ତିର ବାସିନ୍ଦା ଶାନ୍ତୁନୁ ବାଗ, ଚମାର ବାଗ, ମିନତୀ ବାଗ, ସେବକାନ୍ତ ବାଗ, ଭାଗିରଥୀ ବାଗ, ଚମାର ବାଗ ପ୍ରମୁଖ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ପୁଇଁନ୍ତଲା ବ୍ଲକରେ ଆବାସ ଯୋଜନା ପାଇଁ ଟଙ୍କା ନଦେଲେ କାମ ହେଉ ନଥିବା ବେଳେ ଅତି ଜରୁରୀ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହାୟମାନଙ୍କ ପ୍ରତି ଜିଲା ପ୍ରଶାସନ ସମ୍ବେଦନଶୀଳ ହୋଇ ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ସଚେତନ ମହଲରୁ ଦାବି ହେଉଛି।

Comments are closed.