ତମିଆଁ-ମୁଦଲସର ପୋଲ ଭଙ୍ଗା ମାମଲା: ଓଡ଼ିଶା ଲୋକାୟୁକ୍ତଙ୍କ ହସ୍ତକ୍ଷେପ, ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ପ୍ରାଣ ହରାଇଥିଲେ ୨ ଅଣ ଓଡ଼ିଆ ଶ୍ରମିକ, କଳା ତାଲିକାଭୁକ୍ତ ହୋଇଥିଲେ ଠିକା ସଂସ୍ଥା

ବଲାଙ୍ଗିର/ପାଟଣାଗଡ:ବଲାଙ୍ଗିର ଜିଲା ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ(ଆର୍ଡବ୍ଲ୍ୟୁଡି) ବିଭାଗ ପକ୍ଷରୁ ୨୦୧୫ ମସିହାରେ ନିର୍ମିତ ହୋଇଥିବା ତମିଆଁ-ମୁଦଲସର ସୁକତେଲ ନଦୀ ଉପରେ ନିର୍ମିତ ପୋଲ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ମରାମତି ପାଇଁ ଉପରିସ୍ଥ ଅଧିକାରୀ ନିର୍ଦେଶ ଦେବା ପରେ ପୂର୍ବରୁ ପୋଲ କାମ କରିଥିବା ଠିକା ସଂସ୍ଥା ରାମକୁମାର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍ ଗତ ଏପ୍ରିଲ ମାସରେ ପୋଲର କ୍ଷତିଗ୍ରସ୍ତ ହୋଇଥିବା ଅଂଶ ଭାଙ୍ଗି ପୁନଃ ନିର୍ମାଣ କରିବାକୁ ଯୋଜନା କରିଥିଲା। ତେବେ ସେହି ମାସ ୨୯ ତାରିଖରେ ପୋଲ ଭାଙ୍ଗି ଯିବାରୁ ପୋଲ ତଳେ ଲୁହା କାମ କରୁଥିବା ୨ଜଣ ଅଣଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲା ରାଜ୍ୟରେ ଆଲୋଚନାର ବିଷୟ ପାଲଟିଥିଲା। ରାଜ୍ୟ ସରକାର ଠିକା ସଂସ୍ଥାକୁ କଳା ତାଲିକା ଭୁକ୍ତ କରିଥିଲେ। ତେବେ ଏହି ମାମଲାରେ ଓଡ଼ିଶା ଲୋକାୟୁକ୍ତ ହସ୍ତକ୍ଷେପ କରିଛନ୍ତି। ମାମଲାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଠିକା ସଂସ୍ଥା ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାନ୍ୟବର ହାଇକୋର୍ଟ ଠିକା ସଂସ୍ଥା ପକ୍ଷରୁ କରାଯାଇଥିବା ଚ୍ୟାଲେଞ୍ଜକୁ ଖାରଜ କରି ଦେଇଛନ୍ତି। ଅନ୍ୟପଟେ ବଲାଙ୍ଗିର ଭିଜିଲାନ୍ସ ବିଭାଗ ୨୪ ନମ୍ବର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଫଳରେ ଅଡୁଆରେ ପଡିଛି ଠିକା ସଂସ୍ଥା।
ସୂଚନା ଅନୁସାରେ, ତମିଆଁ ଓ ମୁଦଲସର ମଧ୍ୟରେ ଅନେକ ଗାଁ ରହିଥିବା ବେଳେ ସୁକତେଲ ନଦୀ ଯାତାୟତ ଓ ଯୋଗାଯୋଗରେ ବାଧକ ସାଜିଥିଲା। ତେଣୁ ସୁକତେଲ ନଦୀ ଉପରେ ୬କୋଟି ୯୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କରିବା ପାଇଁ ଆର୍ଡବ୍ଲ୍ୟୁଡି ଟେଣ୍ଡର ଡାକିଥିଲା। ବଲାଙ୍ଗିରର ରାମକୁମାର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ଏହି ପ୍ରକଳ୍ପ କାମ ହାତେଇଥିଲା। ପୋଲ କାମ ଆରମ୍ଭ ହେବା ଦିନରୁ ସ୍ଥାନୀୟ ଲୋକେ ନିମ୍ନମାନର କାମ ନେଇ ଅଭିଯୋଗ କରି ଆସୁଥିଲେ। ହେଲେ ବିଭାଗୀୟ ଅଧିକାରୀମାନେ ଠିକା ସଂସ୍ଥାକୁ କ୍ଲିନ୍ ଚିଟ୍ ଦେଇଥିଲେ। ଓଲଟି ଠିକା ସଂସ୍ଥାକୁ ପୋଲ ସାରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସ୍ଥା କାମ ସାରିଥିବାରୁ ରାଜ୍ୟ ସରକାର ଠିକା ସଂସ୍ଥାକୁ ୫୩ଲକ୍ଷ ଟଙ୍କାର ପୁରସ୍କାର ଦେଇଥିଲେ। ସେହିପରି ଠିକା ସଂସ୍ଥା ବିରୋଧରେ ଅଭିଯୋଗ ହୁଏ ଯେ, ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଗୋଷ୍ଠୀରେ ଆସୁଥିବା ବେଳେ ସରକାରୀ ନିୟମ ଅନୁସାରେ ଶ୍ରମିକଙ୍କ ପଞ୍ଜୀକରଣ କରାଯାଇ ନଥିଲା। ତଥାପି ବିଭାଗୀୟ ଅନୁକମ୍ପା ଯୋଗୁଁ ଏହି ଠିକା ସଂସ୍ଥା ବହୁ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ହାତେଇବାରେ ସଫଳ ହୋଇଥିବା ଅଭିଯୋଗ ହୋଇଥିଲା।
ପୋଲର ନିମ୍ନମାନର କାମ ଯୋଗୁଁ ୨ଟି ସ୍ପାନ୍ ଦୁର୍ବଳ ହୋଇ ଦବି ଯାଇଥିବାରୁ ନିମ୍ନମାନର କାମ ନେଇ ଅଭିଯୋଗ ହୋଇଥିଲା। ଦିଲ୍ଲୀରୁ ଜଣେ ବିଶେଷଜ୍ଞ ଏଚ୍.ଏସ୍.ରାଇନା ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଜନର ୨ଜଣ ବରିଷ୍ଠ ଅଧିକାରୀ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ। ତେବେ ସେମାନେ ଠିକା ସଂସ୍ଥା ସପକ୍ଷରେ ଯୁକ୍ତି ବାଢିଥିଲେ। ଅନ୍ୟପଟେ ଠିକା ସଂସ୍ଥା ନିଜ ଖର୍ଚ୍ଚରେ କ୍ଷତିଗ୍ରସ୍ତ ହୋଇଥିବା ୨ଟି ସ୍ପାନ୍ର ପୁନଃ ନିର୍ମାଣ ପାଇଁ ସବୁଜ ସଂକେତ ପାଇଥିଲେ। ଗତ ଏପ୍ରିଲ ୨୯ ତାରିଖରେ କ୍ଷତିଗ୍ରସ୍ତ ସ୍ପାନ୍ର ଭଙ୍ଗା କାମ ଚାଲିଥିବା ବେଳେ ପୋଲଟି ଭାଙ୍ଗି ଯାଇ ୨ଜଣ ଅଣଓଡ଼ିଆ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଲରମ୍ଭା ଥାନାରେ ମାମଲା ରୁଜୁ ହୋଇଥିଲା। ଠିକା ସଂସ୍ଥାର ନିର୍ଦ୍ଦେଶକ ରାମକୁମାର ଅଗ୍ରୱାଲ ଓ ସହ ନିର୍ଦ୍ଦେଶକ ସଞ୍ଜୟ ଅଗ୍ରୱାଲ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ କୋର୍ଟରେ ଆତ୍ମ ସମର୍ପଣ କରି ଜାମିନ ପାଇଥିଲେ। ତେବେ ରାଜ୍ୟ ସରକାର ଠିକା ସଂସ୍ଥାକୁ କଳା ତାଲିକା ଭୁକ୍ତ କରିଥିବା ବେଳେ ପାଟଣାଗଡ ଆର୍ଡବ୍ଲ୍ୟୁଡିର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଷାନଙ୍କୁ ନିଲମ୍ବିତ କରିଥିଲେ। କଳା ତାଲିକା ଭୁକ୍ତ ହେବାର କିଛି ମାସ ପରେ ପୁଣି ସଂସ୍ଥା ପ୍ରତି ଅନୁକମ୍ପା ଦେଖାଇ ସଂସ୍ଥା କରୁଥିବା ଅନ୍ୟ ନିର୍ମାଣ କାମ କରିବା ପାଇଁ ଅନୁମତି ଦେଇଥିଲେ। ତେବେ ଏହି ପୋଲ କାମ ତଦାରଖ କରୁଥିବା ଏସ୍ଡିଓ ତପନ ବେହେରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଆଶ୍ଚର୍ଯ୍ୟ କରିଥିଲା। ଅନ୍ୟପଟେ ମୃତ ଶ୍ରମିକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। କେତେ ଟଙ୍କା କ୍ଷତିପୂରଣ ଦିଆଗଲା ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଲୋକାୟୁକ୍ତ ଏହି ମାମଲାର ଭିଜିଲାନ୍ସ ନିର୍ଦ୍ଦେଶ ଦେବା, ହାଇକୋର୍ଟରେ ଠିକା ସଂସ୍ଥାର ଆବେଦନ ନାମଞ୍ଜୁର ହେବା ପରେ ମାମଲାର ଛାନବିନ ଦାୟିତ୍ୱ ବଲାଙ୍ଗିର ଭିଜିଲାନ୍ସ ହାତକୁ ଯାଇଛି। ବୈଷୟିକ ଟିମ୍ ଜରିଆରେ କେଉଁ ମାନର ସିମେଣ୍ଟ, କେଉଁ ମାନର ଲୁହା ଛଡ଼, ପୋଲର ବେସ୍ କେତେ ରହିବା କଥା ସେ ସବୁର ଯାଞ୍ଚ କରାଯିବ। ତେଣୁ ହରଡଘଣାରେ ପଡିଛି ଠିକା ସଂସ୍ଥା। ସୂଚନାଯୋଗ୍ୟ ଯେ, ଠିକା ସଂସ୍ଥାର ସହ ନିର୍ଦ୍ଦେଶକ ସଞ୍ଜୟ ଅଗ୍ରୱାଲଙ୍କ ବାପା ତଥା ନିର୍ଦ୍ଦେଶକଙ୍କର ଅଗଷ୍ଟ ମାସରେ ପରଲୋକ ହୋଇଯାଇଛି।

Comments are closed.