ବଢୁଛି ବେଆଇନ ବନ୍ଧୁକ କାରବାର, ଅପରାଧମୁହାଁ ଅଳ୍ପ ବୟସ୍କ ଯୁବକ

ବଲାଙ୍ଗିର : ଗଞ୍ଜାମ, ବ୍ରହ୍ମପୁର, ସମ୍ବଲପୁର, କଟକ ଭଳି ଅପରାଧୀ ମାନଙ୍କ ଏବେ ନୁଆ ଠିକଣା ହେଉଛି ବଲାଙ୍ଗିର। ସହରରେ ଦିନକୁଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସହରରେ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ବାହାରୁ ଲୁଟେରା ମାନଙ୍କୁ ଆଣି ଏହି କାରବାର କରାଯାଉଥିବା ଜଣାପଡିଛି। ରାଜ୍ୟ ବାହାରୁ ଆସି ତିଆରି ହୋଇଥିବା ବ୍ଲୁପ୍ରିଣ୍ଟରେ କାମ ସାରି ପୁଣି ନିଜ ରାଜ୍ୟକୁ ଫେରିଯାଉଛନ୍ତି। ଫଳରେ ଏହି ଅପରାଧି ମାନଙ୍କୁ ଠାବ କରିବା ପାଇଁ ଜିଲା ପୁଲିସ ବିଫଳ ହେଉଛି। ଏହି ରାଜ୍ୟ ବାହାର ଅପରାଧି ମାନଙ୍କ ଦ୍ୱାରା ଜିଲାରେ ବେଆଇନ ବନ୍ଧୁକ କାରବାର ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି। ଦୁଇ ବର୍ଷ ଭିତରେ ପ୍ରାୟତଃ ଅପରାଧ ଜଗତରେ ପଶିଥିବା ଅନେକ ଯୁବକଙ୍କ ପକେଟରେ ଏବେ ବନ୍ଧୁକ ଖେଳନା ସାଜିଛି ।
ଅଳ୍ପବୟସ୍କ ଯୁବକ। ପକେଟ ଭିତରେ ଖେଳନା ଭଳି ରହିଛି ଅସଲି ବନ୍ଧୁକ। ନିଶା, କଫଶିରଫ କାରବାରରେ ସାମିଲ ହୋଇ ବଲାଙ୍ଗିର ସହରର ଅନେକ ଯୁବକ ଏବେ ଅପରାଧିକ ସାମ୍ରାଜ୍ୟରେ ପଶି ସାରିଛନ୍ତି। ଏକଦା ଶାନ୍ତ ଥିବା ସହର ଏବେ ଦିନକୁ ଦିନ ଅଶାନ୍ତି ଆଡକୁ ମୁହାଁଇଥିବା ଅଭିଯୋଗ ହୋଇଛି। ଗତ କିଛି ବର୍ଷ ଭିତରେ ହୋଇଥିବା ଅନେକ ଅପରାଧିକ ମାମଲା ବିଷୟରେ ଅନୁଶୀଳନ କଲେ ସହରରେ କେତେ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି ତାହା ସ୍ପଷ୍ଟ ଜଣାପଡିଛି।
ସୂଚନା ଅନୁସାରେ ବଲାଙ୍ଗିର ସହରରେ ବିଗତ କିଛି ମାସ ଭିତରେ ହୋଇଥିବା ପ୍ରାୟ ସମସ୍ତ ଲୁଟ ଘଟଣାରେ ପିସ୍ତଳ ବ୍ୟବହାର ହୋଇଥିବା ଦେଖିବାକୁ ମିଲିଛି। କିଛି ଦିନ ତଲେ ଏକ ବିଦେଶୀ ମଦ ଦୋକାନ ସାମ୍ନାରେ ହୋଇଥିବା ଗଣ୍ଡଗୋଳରେ ମଧ୍ୟ ଜଣେ ଯୁବକ ପିସ୍ତଲ ଦେଖାଉଥିଲେ। ସେପ୍ଟେମ୍ବର ୧୩ ଓ ଜାନୁୟାରୀ ମାସରେ ହୋଇଥିବା ଦୁଇଟି ଲୁଟ ଘଟଣାରେ ମଧ୍ୟ ବନ୍ଧୁକ ମୁନରେ ଏହି ଲୁଟ ହୋଇଥିଲା। କିଛି ଦିନ ତଲେ ପୁଲିସ ଏହି ଲୁଟ ଘଟଣାର ପର୍ଦ୍ଦାଫାସ କରିଥିଲା। ଏହି ଘଟଣାରେ ବ୍ୟବହୃତ ହୋଇଥିବା ଏକ ବନ୍ଧୁକ ମୁଖ୍ୟ ଅଭିଯୁକ୍ତ ବଣ୍ଟି ପାଖରୁ ପୁଲିସ ଜବତ କରିଥିବା ସ୍ପଷ୍ଟ କରିଛି । ଏକାଧିକ ମାମଲାରେ ପୁଲିସ ବନ୍ଧୁକ ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ବେଳେ ଅନେକ ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକର ଟେର ପାଇନି ପୁଲିସ। ଏହି ବିଷୟରୁ ଏହା ସ୍ପଷ୍ଟ ହେଉଛି ଯେ ସହରରେ ବନ୍ଧୁକ କାରବାର ଜୋରସୋରରେ ଚାଲିଛି। ରାଏପୁର, ସମ୍ବଲପୁର, ଝାରସୁଗୁଡା ଅଞ୍ଚଳରୁ ବଲାଙ୍ଗିରକୁ ବନ୍ଧୁକ ଚାଲାଣ ହେଉଥିବା କମ ଦାମରେ ବି ମିଲିଯାଉଥିବା ଅଭିଯୋଗ ହୋଇଛି। କିନ୍ତୁ ଏବିଷୟରେ ପୁଲିସ ଜାଣି ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ସେହିପରି ଜାନୁୟାରୀ ମାସରେ ହୋଇଥିବା ଏୟାରଟେଲ ଦୋକାନୀଙ୍କୁ ଲୁଟ ଘଟଣାରେ ଦୁଇ ଜଣ ବିହାରୀ ଲୁଟେରାଙ୍କ ସଂପୃକ୍ତିକୁ ସାମ୍ନାକୁ ଆଣିଛି ଟାଉନ ପୁଲିସ। ଲୁଟ କରିବା ପରେ ଏହି ବିହାରୀ ଲୁଟେରା ମାନେ ସହର ଛାଡି ଫେରାର ମାରିଥିଲେ। ଫଳରେ ଏହି ଘଟଣାରେ ପୁଲିସକୁ ସଫଳତା ମିଲିବା ପାଇଁ ଦୀର୍ଘ ୯ମାସ ଲାଗିଥିଲା। କେବଳ ଏହି ଘଟଣା ନୁହଁ ଏହିଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ରାଜ୍ୟ ବାହାର ଅପରାଧିଙ୍କ ସଂପୃକ୍ତି ଦେଖିବାକୁ ମିଲିଛି। ପୂର୍ବରୁ ହୋଇଥିବା ଅନେକ ଲୁଟ ଘଟଣାରେ ବିହାର, ଝାଡଖଣ୍ଡ, ଛତିଶଗଡର ଲୁଟେରା ମାନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇସାରିଛି। ଏମିତିରେ ସହର ଭିତରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ରାଜ୍ୟ ବାହାରୁ ଯୁବକ ମାନେ ଆସି ଅପରାଧ ଘଟାଇ ପୁଣି ନିଜ ରାଜ୍ୟକୁ ଅନାୟାସରେ ଫେରିଯାଉଛନ୍ତି । କିଛି ଦିନ ନୀରବ ରହିବା ପରେ ସେମାନେ ସହରକୁ ପୁଣି ଫେରୁଛନ୍ତି । ଫଳରେ ପୁଲିସ ନଜରରୁ ନିଜକୁ ବଞ୍ଚାଇବାରେ ଏହି ଅପରାଧି ମାନେ ସଫଳ ହେଉଥିବା ଜଣାପଡିଛି। ଲୁଟ, ବନ୍ଧୁକ ଭଳି ନିଶା କାରବାରରେ ମଧ୍ୟ ଅଣଓଡିଆଙ୍କ ସଂପୃକ୍ତି ଦେଖିବାକୁ ମିଲିଛି। ସହରରେ ପୁଣି ଶାନ୍ତି ଫେରାଇବା ଦିଗରେ ପୁଲିସ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅନ୍ୟପକ୍ଷରେ ବଲାଙ୍ଗିରରେ ବିହାରୀ ଲୁଟେରା ମାନଙ୍କ ସଂପୃକ୍ତି ଓ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବା ନେଇ ଗତ ୨୪ ତାରିଖରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଥିଲେ।

Comments are closed.