୨ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୪ ଗିରଫ, ୨ ବାଇକ ଜବତ

ପୂର୍ବଶତୃତାକୁ କେନ୍ଦ୍ର କରି ଆକ୍ରମଣ, ସମାଧାନ ପାଇଁ ଯିବା ବାଟରେ ଆକ୍ରମଣ

ବଲାଙ୍ଗିର: ବଲାଙ୍ଗିର କଦମପଡା ମଦନ ଗୁଡିଆ ବଗିଚା ନିକଟରେ ଥିବା ୭ନଂ ବିଦେଶୀ ମଦ ଦୋକାନରେ ହୋଇଥିବା ଅପରାଧୀଙ୍କ ଗୋଷ୍ଠୀ ସଂଘର୍ଷରେ ଟାଉନ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କ ନାଁରେ ମଧ୍ୟ ଥାନାରେ ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ତେବେ ପୂର୍ବ ଶତୃତାକୁ ନେଇ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷ ଉପରେ ସଦର ପୁଲିସ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ପରଦା ଉଠାଇଛନ୍ତି ।
ବଲାଙ୍ଗିର ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀମନ୍ତ ବାରିକ କହିଥିଲେ ଯେ ୩ ତାରିଖରେ ବିଦେଶୀ ମଦ ଦୋକାନ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ସଂପୃକ୍ତ ଥିବା ୪ ଜଣଙ୍କୁ ଟାଉନ ପୁଲିସ ଗିରଫ କରିଥିବା ଶ୍ରୀ ବାରିକ ପ୍ରକାଶ କରିଥିଲେ।ଏହା ସହିତ ଘଟଣାର ସବିଶେଷ ବିବରଣୀ ରଖିଥିଲେ । ଏସଡିପିଓ ଶ୍ରୀ ବାରିକଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ସହରର ସୁରଜ ହରିପାଲ, ନିରୋଜ ହରିପାଲ, ଜିତେନ କୁମ୍ଭାର ଓ ନିରାକାର ବାଗଙ୍କ ସହିତ ତୁଷାରକାନ୍ତ ପାଢୀ ଓ ଗରୀବ ପାଣ୍ଡେଙ୍କ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ସୁରଜଙ୍କ ଗୋଷ୍ଠୀରୁ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷରେ ଉତ୍ତେଜନା ଜାରି ରହିଥିଲା । କିନ୍ତୁ ଘଟଣାର ସମାଧାନ ପାଇଁ ୩ ତାରିଖରେ ଆଶୁତୋଷ ପାଢୀ ଓରଫ ମୁନା ସୁରଜଙ୍କ ଗୋଷ୍ଠୀକୁ ରାଜୀବନଗରକୁ ଡାକିଥିଲେ । ସମାଧାନ କରିବା ପାଇଁ ସୁରଜ ନିଜ ସାଙ୍ଗ ମାନଙ୍କ ସହିତ ରାଜୀବନଗରକୁ ବାହାରିଥିଲେ । କିନ୍ତୁ ଯିବା ବାଟରେ ଗରୀବ ଓ ତୁଷାର ମଦନଗୁଡିଆ ବଗିଚା ନିକଟରେ ଥିବା ବିଦେଶୀ ମଦ ଦୋକାନ ସାମ୍ନାରେ ଛିଡା ହୋଇଥିବା ଦେଖି ଉତ୍ତ୍ୟକ୍ତ ହୋଇଥିଲେ । ପ୍ରଥମେ ପଥର ମାଡ କରିବା ପରେ ଲୁହା ପାଇପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ତୁଷାର ଓ ଗରୀବ ସେଠି ସଜ୍ଞାହୀନ ହୋଇଥିଲେ । ମାଡ ମାରି ସୁରଜ ଓ ତାର ଗୋଷ୍ଠୀ ଫେରାର ମାରିଥିଲେ । ଆହତ ଦୁଇ ଜଣଙ୍କୁ ପୁଲିସ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ପୁଣି ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେମାନେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଟାଉନ ପୁଲିସ ଘଟଣାରେ ସଂପୃକ୍ତ ଥିବା ସୁରଜ ହରପାଲ, ନିରୋଜ ହରପାଲ, ଜିତେନ କୁମ୍ଭାର ଓ ନିରାକାର ବାଗକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଦୁଇଟି ବାଇକ ପୁଲିସ ଜବତ କରିଛି । ତୁଷାର ଓ ଗରୀବ ନେଇଯାଇଥିବା ବାଇକକୁ ଏହି ଅଭିଯୁକ୍ତ ମାନେ ନେଇ ଏକ ଜମିରେ ଫୋପାଡିଦେଇଥିବା ବେଳେ ତାକୁ ମଧ୍ୟ ପୁଲିସ ଜବତ କରିଛି । ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ପୁଲିସ ଦ୍ୱାରା ତଦନ୍ତ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ପ୍ରୟାସ ଜାରିରହିଥିବା ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।
ବନ୍ଧୁକ ମାମଲାକୁ ଭୁଲିଗଲା ପୁଲିସ
ଦିନଦ୍ୱିପହରରେ ଦୁଇ ଜଣ ଯୁବକକୁ ଏକ ଗୋଷ୍ଠୀ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲା। ଏହି ଫୁଟେଜରେ ସ୍ପଷ୍ଟ ଭାବେ ଜଣାପଡୁଥିଲା ଆକ୍ରମଣ ପୂର୍ବରୁ ଗରୀବ ଏକ ପିସ୍ତଲ ଧରି ଆକ୍ରମଣ କରିଥିବା ଗୋଷ୍ଠୀକୁ ଭୟଭୀତ କରିଥିଲା। ଯଦିଓ ଫାଇରିଂ ହୋଇନଥିଲା କିନ୍ତୁ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖି ଲୋକେ ଭୟଭୀତ ହୋଇଥିଲେ। ଏହି ଘଟଣାରେ ଗରିବ ତାଙ୍କ ସହଯୋଗୀ ତୁଷାରଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିବା ସମୟରେ ବନ୍ଧୁକ କାରବାରକୁ ଭୁଲିଯାଇଥିବା ଅଭିଯୋଗ ହୋଇଛି। ପୁଲିସର ପ୍ରେସ ବିବୃତ୍ତିରେ ବନ୍ଧୁକ କୁ ଦର୍ଶାଯାଇନଥିବା ବେଳେ ଆକ୍ରମଣରେ ଆହତ ହୋଇଥିବା ଗରୀବ ନାଁରେ ପୂର୍ବରୁ ମଧ୍ୟ କିଛି ମାମଲା ରହିଛି। ଏପରିକି ଏକ ଡକାୟତି ମାମଲାରେ ସେ ୱାଣ୍ଟେଡ ଥିବା ପୁଲିସ ସୂଚନା ଦେଇଛି। ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବା ପରେ ସେ ଗିରଫ ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଆକ୍ରମଣ କରିଥିବା ଗୋଷ୍ଠୀର ସୁରଜ ନାଁରେ ଅନେକ ଚୋରୀ ମାମଲା ରହିଥିବା ସବୁକିଛି ପୁଲିସ ଯାଞ୍ଚ କରିଥିବା ପୁଲିସ ସୂଚନା ଦେଇଛି । କିନ୍ତୁ ସହର ଭିତରେ ବନ୍ଧୁକ କାରବାର କିପରି ଅବାଧରେ ଚାଲିଛି ତାକୁ ପୁଲିସ ଆଖି ବନ୍ଦ କରିଦେଇଛି। ଏହି ବନ୍ଧୁକ କାରବାରେ ଅନେକ ବଡବଡିଆଙ୍କ ହାତ ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଦିଗରେ ପୁଲିସ ସ୍ୱତନ୍ତ୍ର ଭାବେ ଛାନଭିନ କଲେ ଅନେକ ଅସାମାଜିକଙ୍କ କାର୍ଯ୍ୟକଳାପ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି।

Comments are closed.