ଶୀଥିଳ ପଡିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା, ପ୍ରଭାବିତ ହୋଇଛି ନିର୍ମାଣ କାମ

ବଲାଙ୍ଗିର: ବଲାଙ୍ଗିର ଉପଜିଲାପାଳ ସଞ୍ଜୟ ମିଶ୍ର ମିଲମ୍ବିତ ହେବା ପରେ ସହରରେ ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା ଶୀଥିଳ ହୋଇପଡିଛି ଉଚ୍ଛେଦ ସ୍ଥାନ ମାନଙ୍କରେ ଜାରି ରହିଥିବା ଉନ୍ନତିମୂଳକ କାମ ମଧ୍ୟ ଏହାଦ୍ୱାରା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଲିଛି । ଏମିତିରେ ତାଙ୍କ ସ୍ଥାନରେ ଯୋଗଦେଇଥିବା ଉପଜିଲାପାଳ ଏହି ଉଚ୍ଛେଦ କାମକୁ ଆଗକୁ ବଢାଇବେ କି ନାହିଁ ସେଥିନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜବରଦଖଳ ଉଚ୍ଚେଦ କାମକୁ ତ୍ୱରାନ୍ୱିତ କରିବାରେ ତତକାଳିନ ଉପଜିଲାପାଳଙ୍କୁ ଅନୁମତି ଦେଇଥିବା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ମଧ୍ୟ ଗତ କିଛି ଦିନ ତଳେ ବଦଲି ହୋଇଛି । ତାଙ୍କ ସ୍ଥାନରେ ନୁଆ ଜିଲାପାଳ ଯୋଗଦେଇଥିବା ବେଳେ ଏହି ପ୍ରସଙ୍ଗର ତାଙ୍କର ଆଭିମୁଖ୍ୟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।
ଅବ୍ୟବସ୍ଥିତ ହୋଇପଡିଥିବା ବଲାଙ୍ଗିର ସହରକୁ ବ୍ୟବସ୍ଥିତ କରିବା ପାଇଁ ଜିଲା ପ୍ରଶାସନ ଗତ ଗୋଟିଏ ବର୍ଷ ତଳେ ଅଣ୍ଟା ଭିଡିଥିଲା । ଗତ ବର୍ଷ ଅଗଷ୍ଟର ବନ୍ୟା ପରେ ଡ୍ରେନ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା । ସେହିପରି ଡ୍ରେନ ଉପରେ ଥିବା ଜବରଦଖଲ ହଟାଇବା, ରାସ୍ତା ଉପରେ ଥିବା ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନ ମାନଙ୍କରେ ଜବରଦଖଲ ହଟାଯାଇଥିଲା । କରୋନ କଟକଣା ଯୋଗୁ ଏହି ଉଚ୍ଛେଦ କାମ ବନ୍ଦ ରଖାଯାଇଥିଲା । କିନ୍ତୁ ଜୁଲାଇ ଶେଷ ସପ୍ତାହରେ ପୁଣି ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ସହିତ ଉଚ୍ଚେଦ ହଟାଇବା ପରେ ସେଠାରେ ପାର୍କିଂ, ଭେଡିଂ ଜୋନ, ରାସ୍ତା, ଡ୍ରେନ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରଶାସନର ଏହି କଡା ଅଭିମୁଖ୍ୟକୁ ଅନେକ ବିରୋଧ ମଧ୍ୟ କରିଥିଲେ। ଏହାର କିଛି ଦିନ ପରେ ଉଚ୍ଛେଦ ପ୍ରକ୍ରିୟା ନେତୃତ୍ୱ ନେଇଥିବା ତତକାଳିନ ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କ ନାଁରେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହି ବିବାଦରେ ଛନ୍ଦି ହେବା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି । ତାଙ୍କ ସ୍ଥାନରେ ସୁଧାକର ନାୟକ ଯୋଗଦେଇଛନ୍ତି । ସେହିପରି ସହରରେ ଉଚ୍ଚେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିବା ପୂର୍ବତନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ମଧ୍ୟ ବଦଳି ହୋଇଛି। ତାଙ୍କ ସ୍ଥାନରେ ଚଞ୍ଚଲ ରାଣା ଯୋଗଦେଇଛନ୍ତି । ଉଭୟ ଜିଲାପାଳ ଓ ଉପଜିଲାପାଳ ନୂତନ ଭାବେ ଯୋଗଦେଇଥିବା ବେଳେ ପୂର୍ବରୁ ଜାରି ରହିଥିବା ଏହି ଉଚ୍ଛେଦ କାମ ଜାରି ରହିବ ନା ବନ୍ଦ ହେବ ତାକୁ ନେଇ ଏବେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । ସରକାରୀ ବସଷ୍ଟାଣ୍ଡରେ ହେବାକୁ ଥିବା ଫଳବଜାର କାର୍ଯ୍ୟକ୍ଷମ ହୋଇନାହିଁ। ଦୁର୍ଗାମନ୍ଦିର ସାମ୍ନାରେ ହୋଇଥିବା ଉଚ୍ଛେଦ ସ୍ଥାନରେ ଭେଣ୍ଡିଂ ଜୋନ ସ୍ଥାନ କାମ ଆରମ୍ଭ ହୋଇନାହିଁ । ଭାଗରଥୀ ଛକରୁ ଦୈନିକବଜାର, ବିଏସଏନଲ ଛକ ଠାରୁ ରେଳଷ୍ଟେସନ ରାସ୍ତା ଭଳି ଅନେକ ରାସ୍ତାର ପ୍ରଶସ୍ତିକରଣ କାମ ଅଟକି ରହିଥିବା ଦେଖିବାକୁ ମିଲିଛି। ଏମିତିରେ ଆରମ୍ଭ ହୋଇଥିବା ନିର୍ମାଣ କାମ ଅଟକିରହିଥିବା ବେଳେ ଅନେକ ସ୍ଥାନରେ ଜବରଦଖଳ ଉଚ୍ଚେଦ ପାଇଁ ଚିହ୍ନ ଲାଗିଥିଲେ ମଧ୍ୟ ତାହା ହୋଇନାହିଁ। ତେବେ ଉପଜିଲାପାଳଙ୍କ ବଦଳି ପରେ ଏହି କାମ ଗୁଡିକର ଭବିଷ୍ୟତ କଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.