ବଲାଙ୍ଗିରର ଜୀବନ ରେଖା ‘ଲୋୟର୍ ସୁକତେଲ’: ଅଢେଇ ବର୍ଷ ହେଲା ଆଣ୍ଠେଇଛି ପ୍ରକଳ୍ପ, ସକରାତ୍ମକ ବାଟ ଖୋଜୁଛନ୍ତି ଜଳସମ୍ପଦ ଅଧିକାରୀ

ବଲାଙ୍ଗିର: ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଢେଇ ବର୍ଷ ହେଲା ଆଣ୍ଠେଇଛି। ବିଭିନ୍ନ କାରଣରୁ ବିରୋଧ ହୋଇଛି। କାମ ବନ୍ଦ ହୋଇଯାଇଛି। ଅଢେଇ ବର୍ଷ ହେଲା ଆଣ୍ଠେଇ ପଡିଛି ପ୍ରକଳ୍ପ। ଜୀବନରେଖା ନିଶ୍ୱାସ ଖୋଜୁଥିବା ବେଳେ ଜଳସମ୍ପଦ ବିଭାଗର ଅଧିକାରୀମାନେ ପ୍ରକଳ୍ପକୁ କାର୍ଯ୍ୟକାରିତା ପାଇଁ ସକରାତ୍ମକ ବାଟ ଖୋଜୁଛନ୍ତି। ବିଭିନ୍ନ କମିଟି, ସଂଗଠନ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ଦ୍ବାରା କେଉଁଠି ସମସ୍ୟା ଓ ଏହାର ନିରାକରଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ତର୍ଜମା କରାଯାଉଛି। ତେବେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ହେବ ସେଥିନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।
୧୯୯୫-୯୬ ମସିହାରେ ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ପ୍ରାଥମିକ ଭାବେ ବ୍ୟୟ ଅଟକଳ ୨୧୭ କୋଟି ଟଙ୍କା ରହିଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଇଥିଲେ। କିନ୍ତୁ ପ୍ରକଳ୍ପ ବିରୋଧୀଙ୍କ ବଳ ଦେଖି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ପଛଘୁଞ୍ଚା ଦେଇଥିଲେ। ଶୀତଳ ଭଣ୍ଡାରରେ ପ୍ରକଳ୍ପ ରହିଥିଲା। ୨୦୧୩ ମସିହାରେ ପୁଣିଥରେ ଜୋର ଧରିଥିଲା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ। ବଲାଙ୍ଗିର ଏକ୍ସନ କମିଟି ସହ ବହୁ ସଂଗଠନ ସାମିଲ ହୋଇଥିଲେ ପ୍ରକଳ୍ପ ସପକ୍ଷରେ। ସେହିପରି ବିରୋଧୀ ବୁଡି ଅଞ୍ଚଳ ସଂଗ୍ରାମ ପରିଷଦ ବିରୋଧ କରିଥିଲେ ବି ପୂର୍ବର ସେ ଜୁ ନଥିଲା। ସଂଗ୍ରାମ ପରିଷଦ ଦୁର୍ବଳ ହୋଇଥିଲେ ବି ପ୍ରକଳ୍ପ ବିରୋଧୀ ଅଭିଯାନକୁ ତେଜିୟାନ କରିଥିଲା। ଦୀପ ଲିଭିବା ପୂର୍ବରୁ ବେଶୀ ଜଳିବା ଭଳି ବିରୋଧ ଜୋରଦାର ହୋଇଥିଲା। କିନ୍ତୁ ପ୍ରଶାସନ, ପୁଲିସର ଚାପ ଓ ପ୍ରକଳ୍ପ କାମ ଜୋର କରି ଆରମ୍ଭ କରାଯାଇଥିଲା। ବହୁ ସଂଖ୍ୟାରେ ପ୍ରକଳ୍ପ ବିରୋଧୀଙ୍କୁ ଗିରଫ କରିବା ଯୋଗୁଁ ସେମାନେ ଭାଙ୍ଗି ଯାଇଥିଲେ। ବହୁ ସଂଗ୍ରାମୀ ଓହରି ଯାଇଥିଲେ ପରବର୍ତ୍ତୀ ସମୟରେ। ପ୍ରକଳ୍ପ କାମ ଆରମ୍ଭ କରିଥିଲା ଓସିସି। ୨୧୭ କୋଟି ଟଙ୍କାର ପ୍ରକଳ୍ପର ବଜେଟ ୨ହଜାର କୋଟିରୁ ଉର୍ଦ୍ଧ ଟଙ୍କା। ପ୍ରକଳ୍ପର ଅଧିକାଂଶ କାମ ଓସିସି କରିଥିଲେ ବି ଅଢେଇ ବର୍ଷ ତଳେ ପ୍ରକଳ୍ପ ସପକ୍ଷରେ ଥିଲେ ବି କ୍ଷତିପୂରଣ, ଥଇଥାନ ଓ ପୁର୍ନବାସ ନେଇ ଉଠିଥିଲା ବିବାଦ। ୨୦୧୩ ବିସ୍ଥାପିତ ନୀତି ଅନୁସାରେ କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ପ୍ରଶାସନ ଓ ପୁଲିସ ଉପରେ ଭାରି ପଡିଥିଲେ ବିସ୍ଥାପିତମାନେ। ଅଢେଇ ବର୍ଷ ହେଲା ପ୍ରକଳ୍ପ କ୍ଷେତ୍ରରୁ ମାଟି ଇଞ୍ଚେ ବି ଉଠି ନାହିଁ। ଅନେକ ଥର ପ୍ରଶାସନ, ବରିଷ୍ଠ ଅଧିକାରୀ ଆସି ଆଲୋଚନା କରିଛନ୍ତି। ୨୦୧୩ ବିସ୍ଥାପନ ନୀତିରେ ସବୁ କଥା ଅଟକି ଯାଇଥିଲା।
ବଲାଙ୍ଗିର ଜିଲାର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବର୍ତ୍ତମାନର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସମେତ ବିଭିନ୍ନ ସଂଗଠନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରୁଥିବା ବେଳେ ବିରୋଧୀଙ୍କ ଶାଣିତ ସ୍ୱର ବି ଉଚ୍ଚରେ। ଇତିମଧ୍ୟରେ ରାଜ୍ୟ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସହ ରାଜ୍ୟ ସରକାରଙ୍କ ଥଇଥାନ, ପୁର୍ନବାସ, ଜମି ଅଧିଗ୍ରହଣର ଅତିରିକ୍ତ ସଚିବ ରାଜେନ୍ଦ୍ର ପଟ୍ଟନାୟକଙ୍କ ସହ ଅନ୍ୟ ଅଧିକାରୀମାନେ ବଲାଙ୍ଗିର ଆସିଛନ୍ତି। ବଲାଙ୍ଗିର ଆକ୍ସନ କମିଟି ସହ ଅନ୍ୟାନ୍ୟ ସଂଗଠନ ସହ ଆଲୋଚନା କରିଛନ୍ତି। ଏଥିସହିତ ବଲାଙ୍ଗିର ମାଗୁରବେଡା ସ୍ଥିତ ପ୍ରକଳ୍ପ ଅଞ୍ଚଳକୁ ଯାଇ ସ୍ଥିତି ଦେଖିବା ସହ ପ୍ରକଳ୍ପ କାର୍ଯ୍ୟାଳୟରେ ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କୁ କ୍ଷତିପୂରଣ, ଥଇଥାନ ସହ ପୁର୍ନବାସ ବ୍ୟବସ୍ଥା ସହ ପ୍ରକଳ୍ପ କାମ ବି ସମାନ୍ତରାଳ ଭାବେ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ବିସ୍ଥାପିତଙ୍କ ସମସ୍ୟା ସଂପର୍କରେ ବୁଝିବା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲି ସେଠାରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି।

Comments are closed.