ଜୁଲାଇରୁ ସରିଲାଣି ସାକ୍ଷାତକାର, ନିଯୁକ୍ତି ନେଇ ସ୍ପଷ୍ଟ ସୂଚନା ନାହିଁ

ବଲାଙ୍ଗିର: ରାଜ୍ୟରେ କରୋନା ପରିସ୍ଥିତିକୁ ନଜରରେ ରଖି ନିତିମାସିଆ ଚୁକ୍ତିଭିତ୍ତିରେ ସ୍ୱାସ୍ଥ୍ୟକର୍ମଚାରୀ ମାନଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ଏଏନଏମ, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟ ମାନଙ୍କୁ ନିୟୋଜିତ କରାଯାଇଥିଲା। ତିନି ମାସିଆ ଚୁକ୍ତି ସରିବା ପରେ ତାକୁ ପୁଣି ତିନି ମାସ ବୃଦ୍ଧି କରାଯାଇଛି। ଏହା ସହିତ ସମସ୍ତ ପଞ୍ଚାୟତରେ କୋଭିଡ ଗୃହ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହି ଗୃହ ମାନଙ୍କରେ ଜଣେ ଜଣେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏନେଇ ସାକ୍ଷାତକାର ସରିଯାଇଥିବା ବେଳେ ଦିନ ପରେ ଦିନ ବିତିଚାଲିଛି କିନ୍ତୁ ନିଯୁକ୍ତି ହୋଇନାହିଁ। ଏଥିରେ ନିଯୁକ୍ତି ପାଇଁ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ବଲାଙ୍ଗିର ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଜଟିଲ ହେବାରେ ଲାଗିଛି। ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି। ଏମିତିରେ ପୂର୍ବରୁ ଖୋଲାଯାଇଥିବା କୋଭିଡ କେନ୍ଦ୍ର ବନ୍ଦ କରି ପଞ୍ଚାୟତ ମାନଙ୍କରେ କୋଭିଡ ଗୃହ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଏହି କେନ୍ଦ୍ର ମାନଙ୍କରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବାର ବ୍ୟବସ୍ଥା ରହିଛି। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମରେ ଗତ ଜୁଲାଇ ୨୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସ୍ୱାସ୍ଥ୍ୟସେବା ପାଇଁ ଏଏନଏମ, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବିଜ୍ଞାପନ ନଂ ୨୪୬୪ରେ ପ୍ରକାଶ ପାଇଥିଲା। କେତେଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ସେ ନେଇ କୈାଣସି ସୂଚନା ନଥିବା ବେଳେ ଜିଲାରେ ହେବାକୁ ଥିବା କୋଭିଡ ଗୃହ ସଂଖ୍ୟା ଅନୁସାରେ ପଦବୀ ପୂରଣ କରାଯିବ ବୋଲି କହିଥିଲା। ଏଏନଏମ ପାଇଁ ୨୭, ଷ୍ଟାଫନର୍ସ ପାଇଁ ୨୮ ଓ ଫାର୍ମାସିଷ୍ଟ ମାନଙ୍କ ପାଇଁ ୨୯ ତାରିଖରେ ସାକ୍ଷାତକାର ନିଆଯାଇଥିଲା। ତେବେ ବିଜ୍ଞାପନରେ କେଉଁ ପଦବୀରେ କେତେ ନିଯୁକ୍ତି ମିଲିବ ସେନେଇ ସ୍ପଷ୍ଟ ସୂଚନା ନଥିବା ବେଳେ ପ୍ରଥମେ ଏଏନଏମ ପରେ ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଏକ ପଏଣ୍ଟରେ ଲେଖାହୋଇଛି। ଗତ ସାକ୍ଷାତକାର ସରିବାର ପ୍ରାୟ ମାସେ ବିତିଗଲାଣି କିନ୍ତୁ ଏହାର ନିଯୁକ୍ତି ହୋଇନାହିଁ। ଅନ୍ୟ ଜିଲା ମାନଙ୍କରେ ନିଯୁକ୍ତି ହୋଇସାରିଥିବା ବେଳେ ବଲାଙ୍ଗିରରେ ନିଯୁକ୍ତି ନହେବା ପଛରେ ଟଙ୍କା କାରବାର ରହିଥିବା କିଛି ଆଶାୟୀ ଅଭିଯୋଗ କରିଛନ୍ତି। ତେବେ ଜଣେ ଆଶାୟୀ ପ୍ରାର୍ଥୀଙ୍କ କହିବା ଅନୁସାରେ ନିଯୁକ୍ତି ପତ୍ର ପାଇଁ ତାଙ୍କୁ ୭୦ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହା କିଛି ମାସର ଚୁକ୍ତିଭିତ୍ତିକ୍ତ ନିଯୁକ୍ତି ହୋଇଥିବାରୁ ସେ ଟଙ୍କା ଦେବେ ନାହିଁ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି। ତେବେ ଜିଲା ସ୍ୱାସ୍ଥ୍ୟ ବିଭାଗ ଜାଣିଶୁଣି ବିଲମ୍ବ କରୁଥିବା ଅଭିଯୋଗ ହୋଇଛି। ଏନେଇ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁଙ୍କୁ ପଚାରିବାରୁ ସମୟ ଆସିଲେ ନିଯୁକ୍ତି ହେବ ଏଥିରେ ତରତର ହେବାର କଣ ଅଛି ବୋଲି କହିଛନ୍ତି। କେଉଁ ପାଣ୍ଠିରୁ ଦରମା ଦିଆଯିବ ତାହା ସ୍ପଷ୍ଟ ହୋଇନଥିବାରୁ ନିଯୁକ୍ତି ଦିଆଯାଉନଥିବା ସେ କହିଛନ୍ତି।

‘ଉତ୍କଳୀୟମ୍‍ ଫାଉଣ୍ଡେସନ୍‍’ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନ
ଭୁବନେଶ୍ୱର: ସମଗ୍ର ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀରେ ଲକ୍ଷାଧିକ ଲୋକେ ମୃତ୍ୟୁବରଣ କରିସାରିଲେଣି, ଯାହାର ସ୍ଥାୟୀ ଉପଚାର ଏ ପର୍ଯ୍ୟନ୍ତ ହୋଇପାରିନାହିଁ। କେବଳ ଜିତିବାର ଏକମାତ୍ର ରାହା ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର୍‍ କିମ୍ବା ସାବୁନ୍‍ରେ ନିଜ ହାତକୁ ବାରମ୍ବାର ଧୋଇବା ଓ ଆବଶ୍ୟକ ନପଡ଼ିଲେ କୌଣସି ସ୍ଥାନକୁ ଯିବାନାହିଁ। ଯାହାକୁ ନେଇ ଆମ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ୍‍ଲାଇନ୍‍ ପ୍ରସ୍ତୁତ କରିଛନ୍ତି। ଏସବୁ ସମସ୍ତ ଜନସାଧାରଣ ମାନୁଛନ୍ତି। ଏହି ମହାଯୁଦ୍ଧର ପ୍ରମୁଖ ଯୋଦ୍ଧା ଡାକ୍ତର, ନର୍ସ, ମେଡ଼ିକାଲ୍‍ କର୍ମଚାରୀ, ପୁଲିସ, ସଫେଇବାଲା, ଅଙ୍ଗନବାଡ଼ି କର୍ମୀ, ଜରୁରୀ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ, ସାମାଜିକ ସଂଗଠନ କର୍ମକର୍ତ୍ତା ହୋଇଥିବାବେଳେ ଏହି କରୋନା ମହାମାରୀ ଲଢେଇରେ ସବୁଠାରୁ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି ଗଣମାଧ୍ୟମ ପ୍ରତିନିଧି। ଆଜି ଉତ୍କଳୀୟ ଫାଉଣ୍ଡେସନ୍‍, ଭାରତ ପକ୍ଷରୁ ନିଜ ଜୀବନକୁ ବାଜି ଲଗାଇ ଅସହାୟମାନଙ୍କୁ ସହାୟ ହୋଇ ଏହି ମହାବିପତ୍ତି ସମୟରେ ଜନସାଧାରଣଙ୍କୁ ସମସ୍ତ ଘଟଣାର ତଥ୍ୟ ସଠିକ୍‍ ଭାବରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଆଜି ଉତ୍କଳ ସାମ୍ବାଦିକ ସଂଘସ୍ଥିତ ସଭାଗୃହ ଭୁବନେଶ୍ୱରଠାରେ ଫାଉଣ୍ଡେସନ୍‍ର ଭୁବନେଶ୍ୱର ଜିଲା ସଭାପତି ପ୍ରସନ୍ନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନ ପ୍ରଦାନ କରାଯାଇଛି। ଜିତେନ୍ଦ୍ର ସାହୁ(ସୂର୍ଯ୍ୟପ୍ରଭା) ସତ୍ୟଜିତ୍‍ ସେଣ(କନକ ଟିଭି), ପ୍ରତାପଚନ୍ଦ୍ର ପ୍ରଧାନ(ସମାଜ), ତ୍ରିନାଥ ମହାନ୍ତି(ଧରିତ୍ରୀ), ଗଗନ ସ୍ୱାଇଁ(ସମୟ), ସମ୍ବିତ୍‍ କୁମାର ବେହେରା(ପ୍ରମେୟ), ଏସ୍‍.ରାଜୀବ ଗୌରବ(ଓଡ଼ିଶା ଭାସ୍କର), ସଞ୍ଜୟ କୁମାର ଜେନା(ନିର୍ଭୟ), ରମାକାନ୍ତ ମହାନନ୍ଦ(ସମାଜ ଲାଇଭ୍‍), ମମତା ବେବର୍ତ୍ତା(ଦିନଲିପି), ରାଜୀବ ନୟନ ରଥ(ଓଡ଼ିଶା ନ୍ୟୁଜ୍‍ ଟୁଡେ), ଦେବସ୍ମିତା ବେହେରା(ନିରପେକ୍ଷ ଖବର), ବିମଳଚନ୍ଦ୍ର ପ୍ରଧାନ(କରେଣ୍ଟ ନ୍ୟୁଜ୍‍), ଗୌରବ ଦାସ(ଓଡ଼ିଶା ନ୍ୟୁଜ୍‍), ରାଜେନ୍ଦ୍ର ଚୌଧୁରୀ(ମିରର)ଙ୍କୁ ‘କରୋନା ମହାଯୋଦ୍ଧା’ ସମ୍ମାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଫାଉଣ୍ଡେସନ୍‍ର ରାଜ୍ୟ ସଂଯୋଜିକା ସାଗରକା ମହାନ୍ତିଙ୍କ ନେତୃତ୍ୱରେ ଫାଉଣ୍ଡେସନ୍‍ର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପାଧ୍ୟକ୍ଷା ସବିତା ପୃଷ୍ଟି, ରାଜ୍ୟ ସମ୍ପାଦିକା ସୁଚିତ୍ରା ବେହେରା, ରାଜ୍ୟ ସଂଗଠନ ସମ୍ପାଦକ ସୁନୀଲ ମହାପାତ୍ର, ପରମ୍‍ବ୍ରହ୍ମ ରାଉତ, ଜଗତସିଂହପୁର ଜିଲା ସଭାପତି ଗୋଲକଚନ୍ଦ୍ର ସାହୁ, ପୁରୀ ଜିଲା ସଭାପତି ଉମାଶଙ୍କର ଶତପଥୀ, ଭଦ୍ରକ ଜିଲା ସାପତି ବିବେକାନନ୍ଦ ସେଠୀ, ଭୁବନେଶ୍ୱର ସମ୍ପାଦକ ବିଦ୍ୟୁତ୍‍ଲତା ମହାନ୍ତି, ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ। ଫାଉଣ୍ଡେସନ୍‍ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.