ପେଶା ଡାକ୍ତର, ନିଶା ସମାଜ ସେବା

ବଲାଙ୍ଗିର: କେଉଁ ନେତା ପାଇଁ ନୁହେଁ କି କେଉଁ ବଡ ବାବୁ ପାଇଁ ନୁହେଁ। ସାଧାରଣ ମଣିଷ ଭଳି ଜୀବନ ଜିଇଁ ଆସୁଥିବା ଜଣେ ସାଧାସିଧା ମଣିଷ ପାଇଁ ଆମେ କହୁଛୁ ଜୀବନ ଜିନ୍ଦାବାଦ। ଆଉ ତାଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି କହିବେ ଜିନ୍ଦାବାଦ..ଜିନ୍ଦାବାଦ..।
ପେଶାରେ ସେ ଜଣେ ସରକାରୀ ଡାକ୍ତର କିନ୍ତୁ ନିଶା ହେଉଛି ସମାଜ ସେବା । ଦୁର୍ଗମ ଅଞ୍ଚଳକୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବା। ଛୋଟ ବେଳୁ ଗରିବ ଲୋକଙ୍କ ପାଇଁ କିଛି କରିବାକୁ ଚିନ୍ତା କରିଥିବା ବଲାଙ୍ଗିର ଜିଲା ଫଟାବାହାଲ ଗାଁର ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଏବେ ନିଜ ଅଭିଯାନ ଆରମ୍ଭ କରିଛନ୍ତି। ଯୁବବସ୍ଥାରେ ନିଜର ଅତି ନିକଟତର ବନ୍ଧୁଙ୍କୁ ସେ ହରାଇଥିଲେ। ଯାହାଙ୍କ ମିଶି ଲୋକଙ୍କ ସ୍ୱାସ୍ଥ୍ୟସେବା କରିବା ପାଇଁ ଆଲୋଚନା କରୁଥିଲେ। ତାଙ୍କ ମୃତ୍ୟୁ ପରେ ବନ୍ଧୁଙ୍କ ସ୍ମୃତିରେ ସେ ଆରମ୍ଭ କରିଛନ୍ତି ଏକ ଫାଉଣ୍ଡେସନ। ସେହି ଫାଉଣ୍ଡେସନ ମାଧ୍ୟମରେ ବଲାଙ୍ଗିର ଜିଲାର ବିଭିନ୍ନ ଅନୁନ୍ନତ, ଦୁର୍ଗମ ଗାଁ ମାନଙ୍କରେ ପହଞ୍ଚି ସେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି। ନିଜେ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ଏହି ଶିବିର କରୁଥିବା ବେଳେ ନିଜେ ଚିକିତ୍ସା କରି ନିଜ ଖର୍ଚ୍ଚରେ ଔଷଧ ବ୍ୟବସ୍ଥା କରୁଛନ୍ତି।


ବଲାଙ୍ଗିର ଜିଲା ଫଟାବାହାଲ ଗାଁର ଶିକ୍ଷକ ଦମ୍ପତ୍ତି ତ୍ରିଲୋଚନ ମହାପାତ୍ର ଓ କମଲିନୀ ତ୍ରିପାଠୀଙ୍କ ପୁତ୍ର ହେଉଛନ୍ତି ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର। ନିଜ ଡାକ୍ତରୀ ପାଠ ସଂପୂର୍ଣ୍ଣ କରିବା ପରେ ସେ ଏବେ ଲୋଇସିଂହା ବ୍ଲକ କୁଶଙ୍ଗ ଡାକ୍ତରଖାନାରେ ନିଯୁକ୍ତି ପାଇଛନ୍ତି। ପିଲାବେଳୁ ଲୋକଙ୍କ ସେବା କରିବାକୁ ମନସ୍ଥ କରିଥିଲେ ଡା. ମହାପାତ୍ର। ତେଣୁ ସେ ଡାକ୍ତରୀ ପାଠ ପଢିଥିଲେ। ନିଜ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ତାଙ୍କୁ ସରକାର ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ତେବେ ତାଙ୍କର ଜଣେ ବନ୍ଧୁ ସ୍ୱର୍ଗତ ଡା. ସୈାମ୍ୟରଞ୍ଜନ ଦେବତାଙ୍କ ସହ ସବୁବେଳେ ଅପହଞ୍ଚ ଇଲାକାକୁ ଯାଇ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆଲୋଚନା କରୁଥିଲେ। କିନ୍ତୁ ତାଙ୍କ ବନ୍ଧୁ ଜାନୁୟାରୀ ମାସରେ ଆରପାରିକୁ ଚାଲିଯାଇଥିଲେ। ଏହି ଘଟଣା ପରେ ସେ ଉଭୟଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଇ ଆରମ୍ଭ କରିଛନ୍ତି ନିଜ ଅଭିଯାନ। ବନ୍ଧୁଙ୍କ ନାଁରେ ସୈାମ୍ୟ ସେବା ଫାଉଣ୍ଡେସନ କରି ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆରମ୍ଭ କରିଛନ୍ତି। ନିଜ କର୍ମମୟ ଜୀବନରେ ରବିବାର ଦିନ ସେ ବିଶ୍ରାମ ନନେଇ ଏହି ଦିନ ଜିଲାର ବିଭିନ୍ନ ଅପହଞ୍ଚ ଗାଁ ମାନଙ୍କୁ ଯାଇ ସେଠାରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧର ବ୍ୟବସ୍ଥା କରୁଛନ୍ତି। ଗତ ରବିବାର ସେ ନିଜର ଜଣେ ବନ୍ଧୁ ରଘୁନାଥ ନାୟକଙ୍କ ସହ ମିଶି ଗୁଡଭେଲା ବ୍ଲକ ଗଭାରସା ଓ ଆଖପାଖ ଗାଁରେ ଶିବିର କରିଥିଲେ। ଏହି ରବିବାର ଲୋଇସିଂହା ବ୍ଲକରେ ଥିବା ଏକ ଦୁର୍ଗମ ଗାଁ ବିଅଁରପାଲିରେ ଶିବିର ଆୟୋଜନ କରିଥିଲେ। ୭୫ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଔଷଧ ପ୍ରଦାନ କରିଥିଲେ । ଆଗକୁ ଜିଲାର ପ୍ରାୟ ସମସ୍ତ ଅପହଞ୍ଚ ଗାଁକୁ ଯାଇ ଶିବିରର ଆୟୋଜନ କରି ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଲୋକ ମାନଙ୍କୁ ସେବା ଯୋଗାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏଭଳି ଏକ ଦୃଷ୍ଟାନ୍ତମୂଳକ କାମ ବିଷୟରେ ସେ କହନ୍ତି ଟଙ୍କା ଆୟ କରି ସୈାଖିନ ଜୀବନ ଯାପନ କରିବା ପାଇଁ ସେ ଡାକ୍ତରୀ ପାଠ ପଢିନାହାନ୍ତି। ଯଦି ଅନ୍ତତଃ ଜିଲାରେ ବଞ୍ଚିତ ହୋଇରହୁଥିବା ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ଚିକିତ୍ସା କରିପାରିଲେ ମୋ ପାଠପଢାର ମୂଲ୍ୟ ଫେରିପାଇବି ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

Comments are closed.