ସରକାରୀ ଶିକ୍ଷକ ସାଜିଛନ୍ତି ଘରୋଇ ଶିକ୍ଷା ବ୍ୟବସାୟୀ, ୪ ବରିଷ୍ଠ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବଲାଙ୍ଗିର: ସରକାରୀ ଶିକ୍ଷକଙ୍କ ଘରୋଇ ଶିକ୍ଷା ବ୍ୟବସାୟ। ବଲାଙ୍ଗିର ଜିଲା ତୁଷୁରାର ଏକ ଘରୋଇ ବିଦ୍ୟାଳୟର ହୋଷ୍ଟେଲରେ ଜଣ ପଞ୍ଚମ ଶ୍ରେଣୀର ନାବାଳକଙ୍କୁ ଅପ୍ରାକୃତିକ ଶାରୀରିକ ନିର୍ଯ୍ୟାତନା ଘଟଣାର ତଦନ୍ତ ସମୟରେ ଜିଲା ଶିକ୍ଷା ବିଭାଗ କିଛି ଏହିଭଳି ସୂଚନା ଓ ପ୍ରମାଣ ପାଇଛି। ଯାହାକୁ ନେଇ ବିଦ୍ୟାଳୟ ଚଲାଉଥିବା ଟ୍ରଷ୍ଟରେ ଥିବା ଚାରିଜଣ ସରକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଅନ୍ୟପକ୍ଷରେ ଗୋଟିଏ ଟ୍ରଷ୍ଟ ନାଁରେ ଦୁଇଟି ବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ କେବଳ ଗୋଟିଏ ବିଦ୍ୟାଳୟର ଅନୁମତି ରହିଥିବା ମଧ୍ୟ ଗୁଡଭେଲା ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ତୁଷୁରାରେ ଥିବା ଏକ ଘରୋଇ ବିଦ୍ୟାଳୟର ହଷ୍ଟେଲର ଜଣେ ଅନ୍ତେବାସୀଙ୍କୁ ସେହି ସ୍କୁଲରେ ଜଣେ ଉପର ଶ୍ରେଣୀର ଛାତ୍ର ଦେଇଥିବା ଶାରୀରିକ ନିର୍ଯ୍ୟାତନା ମାମଲାର ଖୋଳତାଡ ହେଉଛି । ପୁଲିସ, ଶିଶୁ ମଙ୍ଗଳ କମିଟି ଓ ଶିକ୍ଷା ବିଭାଗ ପୃଥକ ଭାବେ ଏହି ଘଟଣାର ତଦନ୍ତ କରୁଛନ୍ତି । ମାମଲା ରୁଜୁ ପରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଖୋଜୁଥିବା ବେଳେ ଶିକ୍ଷା ବିଭାଗର ତଦନ୍ତରେ ଅନେକ ଅବହେଲା ସାମ୍ନାକୁ ଆସିଛି। ଏପରିକି ଏହି ବିଦ୍ୟାଳୟ ପରିଚଳନା କରୁଥିବା ଏକ ଟ୍ରଷ୍ଟରେ ଚାରି ଜଣ ସରକାରୀ ଶିକ୍ଷକ ଟ୍ରଷ୍ଟି ଭାବେ ରହିଥିବା ବିଭାଗ ଜାଣିବାକୁ ପାଇଛି।
ଗୁଡଭେଲା ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ନେପାଲ ଚନ୍ଦ୍ର ବାଗଙ୍କ କହିବା ଅନୁସାରେ ଅଭିଯୋଗ ହୋଇଥିବା ସ୍କୁଲର ଏକ ପରିଚାଳନା ମଣ୍ଡଳୀ ରହିଛି। ୨୦୧୯ ପୂର୍ବରୁ କେବଳ ଗୋଟିଏ ସ୍କୁଲ ଚାଲିଥିବା ବେଳେ ଗତ ବର୍ଷ ପୁଣି ଏକ ନୁଆ ସ୍କୁଲ ଖୋଲାଇଯାଇଛି । କେବଳ ଗୋଟିଏ ସ୍କୁଲର ଏନଓସି ରହିଥିବା ବେଳେ ଅନ୍ୟଟିର ନାହିଁ । ଏକ ୬ ଜଣିଆ କମିଟି ଏହି ଟ୍ରଷ୍ଟରେ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚାରିଜଣ ଶିକ୍ଷକ ଯେଉଁମାନେ କି ଗୁଡଭେଲା ଓ ଦେଓଗାଁ ବ୍ଲକର ବିଭିନ୍ନ ସ୍କୁଲ ମାନଙ୍କରେ ଚାକିରୀ କରୁଛନ୍ତି ସେହିମାନେ ଟ୍ରଷ୍ଟରେ ରହିଛନ୍ତି । ଅର୍ଥାତ ସରକାରୀ ସ୍କୁଲର ଏହି ଶିକ୍ଷକ ମାନେ ଘରୋଇ ସ୍କୁଲ ଶିକ୍ଷାକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ତେବେ ଘଟଣାର ଛାନଭିନ ପରେ ଏହି ଚାରିଜଣ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ତିନି ଦିନ ଭିତରେ ଜବାବ ରଖିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଭାରାପ୍ରାପ୍ତ ଗୁଡଭେଲା ବିଇଓ ଶ୍ରୀ ବାଗ କହିଛନ୍ତି । ଏହା ସହିତ ସେ ଆହୁରି କହିଛନ୍ତି ଯେ ଟ୍ରଷ୍ଟରେ ରହିବାକୁ ହେଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ପଡିଥାଏ । ତେବେ ବିନା ଅନୁମତିରେ କେମିତି ଏହି ଶିକ୍ଷକ ମାନେ ଟ୍ରଷ୍ଟରେ ରହିଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି । ଅଭିଯୋଗ ହୋଇଥିବା ସ୍କୁଲ ଦାୟିତ୍ୱରେ ଥିବା ଟ୍ରଷ୍ଟରେ ୪ଜଣ ସରକାରୀ ଶିକ୍ଷକ ରହିଥିବା ତଦନ୍ତରୁ ଜଣାପଡିଛି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଉତ୍ତର ରଖିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା କହିଛନ୍ତି।

Comments
Loading...