ଗାଁ ମୁଣ୍ଡରେ ଜଗିଛି ଗାଡି, ରାଜ୍ୟ ବାହାରକୁ କାମ ପାଇଁ ଯିବେ ପ୍ରବାସୀ

ପେଟ ଆଗରେ ଫିକା ପଡ଼ିଛି କରୋନା

ବଲାଙ୍ଗିର: ସରିଲା ନୂଆଖାଇ ଏବେ ଆରମ୍ଭ ହେବ ମାନବ ଚାଲାଣ। କରୋନା ପାଇଁ ସମସ୍ତ ଶ୍ରମିକ ବାହାର ରାଜ୍ୟରୁ ଆସି ଘରେ ଥିବା ବେଳେ ଏବେ ପୁଣି ଫେରିବାକୁ ଆରମ୍ଭ କରିଛନ୍ତି। ଅନେକ ଗାଁ ଛାଡି ବଇନା ନେଇ କାମ ପାଇଁ ଯାଇସାରିଛନ୍ତ। ଗାଁ ମୁଣ୍ଡରେ ରାଜ୍ୟ ବାହାର ଗାଡି ଆସି ଜଗିଥିବା ବେଳେ ଘର ଛାଡି ପୁଣି ଯିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ଯୁବକ। ଏହି ଦୃଶ୍ୟ ଏବେ ବଲାଙ୍ଗିର ଜିଲାରେ ବେଶ ସାଧାରଣ ଦୃଶ୍ୟ ହୋଇଛି। ତେବେ ଜିଲାରେ ମନରେଗା ଯୋଜନାରେ କାମରେ ଶ୍ରମିକଙ୍କୁ ନିୟୋଜିତ କରିବାରେ ପ୍ରଶଂସିତ ହୋଇଥିବା ବେଳେ ବାସ୍ତବରେ କିନ୍ତୁ ଏହାର ସଫଳତା ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କୁ ମିଲିନାହିଁ। ମନରେଗା ଯୋଜନାରେ ହେଉଥିବା ଭିତିରିଆ କାରବାର ଯୋଗୁ କାଗଜପତ୍ରରେ ସିନା ସବୁ ଠିକଠାକ କିନ୍ତୁ ଗ୍ରାଉଣ୍ଡସ୍ତରରେ ଅବସ୍ଥା ସଂପୂର୍ଣ୍ଣ ଭିନ୍ନ ରହିଥିବା ଅଭିଯୋଗ ହୋଇଛି ।
ଗାଁ ମୁଣ୍ଡରେ ଜଗିଛି ଗାଡି। ଯୁବକ ମାନେ ବଇନା ନେଇ ଘରେ ଦେଇସାରିଲେଣି। ନୂଆଖାଇ ଶେଷ ହୋଇଥିବାରୁ ଏବେ ପୁଣି ରାଜ୍ୟ ବାହାରକୁ କାମ ପାଇଁ ବାହାରିଯିବେ ସେମାନେ। କାରଣ ଏହି ଯୁବକମାନେ ନୂଆଖାଇ ପରେ ଯାଇ ନୂଆଖାଇ ପୂର୍ବରୁ ଘରକୁ ଫେରିଥାନ୍ତି।
ମୁଖ୍ୟତଃ ବଲାଙ୍ଗିର ଜିଲାର ଶ୍ରମିକ ମାନେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଚେନ୍ନାଇକୁ କାମ ପାଇଁ ଯାଇଥାନ୍ତି। ସରକାରୀ ହିସାବ ଅନୁସାରେ ପାଖାପାଖି ୩୦ହଜାର ଶ୍ରମିକ ବାହାରକୁ କାମ କରିବାକୁ ଯାଉଥିବା କୁହାଯାଉଥିବା ବେଳେ ବାସ୍ତବରେ କିନ୍ତୁ ପାଖାପାଖି ଦେଢ ଲକ୍ଷ ଶ୍ରମିକ ବାହାର ରାଜ୍ୟରେ କାମ କରନ୍ତି। ପୂର୍ବରୁ ଏହା କେବଳ ଅଭିଯୋଗ ହେଉଥିଲା କିନ୍ତୁ କରୋନା ସମୟରେ ଏହି ଅକାଟ୍ୟ ସତ୍ୟ ସାମ୍ନାକୁ ଆସିଛି। ନିଜ ଘରକୁ ଫେରିବା ପାଇଁ ପ୍ରବାସୀ ମାନଙ୍କ ପଞ୍ଜିକରଣ ସମୟରେ ଲକ୍ଷାଧିକ ଲୋକ ଘରକୁ ଫେରିବା ପାଇଁ ପଞ୍ଜୀକରଣ କରିଥିଲେ। ପଞ୍ଜିକୃତ ଶ୍ରମିକଙ୍କୁ ସରକାର ଅଣିଥିବା ବେଳେ ବହୁ ଶ୍ରମିକ ନିଜ ବ୍ୟବସ୍ଥାରେ ଘରକୁ ଫେରିଥିଲେ। ତେବେ ଏହି ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଜିଲାରେ କାମ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ପ୍ରବାସୀ ଶ୍ରମିକ ମାନେ ଏଥିରେ ଭରସା କରିଥିଲେ। କିନ୍ତୁ ମାତ୍ର କେଇଟା ଦିନ ଭିତରେ ଏହି ଭରସା ତୁଟିଯାଇଥିଲା। ଯେଉଁଠି ବି ମନରେଗା କାମ କରାଯାଉଥିଲା ସେଠାରେ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଦେଖିବାକୁ ମିଲିଥିଲା। କାଁ ଭାଁ କେଉଁଠି ଶ୍ରମିକ ମାନଙ୍କୁ ନିୟୋଜିତ କରି ତାହାର ଫଟୋଚିତ୍ର ସାମ୍ନାକୁ ଆଣି ପ୍ରଶାସନ ବାହାବା ନେବାରେ ଲାଗିଥିଲା। ଅନ୍ୟପଟେ ଶ୍ରମିକ ମାନେ ରାତିଅଧରେ ଲୁଚିଛପି ବାହାର ରାଜ୍ୟର ଗାଡି ମାନଙ୍କରେ ଚାଲାଣ ହେଉଥିବାର ଦୃଶ୍ୟ ମଧ୍ୟ ବଲାଙ୍ଗିର ଜିଲାରେ ଦେଖିବାକୁ ମିଲିଛି। ଶହ ଶହ ଶ୍ରମିକ ଘର ଛାଡି ଯାଇସାରିଥିବା ବେଳେ ଆଉ ବହୁ ଶ୍ରମିକ ନୂଆଖାଇ ଅପେକ୍ଷାରେ ରହିଥିଲେ। ନୂଆଖାଇ ସରିବା ପରେ ପୁଣି ଏହି ଶ୍ରମିକ ମାନେ ଘରୁ ଗୋଡ କାଢିଲେଣି। ଯେଉଁ ହିସାବରେ ବାହାର ରାଜ୍ୟର ବସ ଶ୍ରମିକ ମାନଙ୍କୁ ଛାଡିବାକୁ ଆସିଥିଲା ସେହି ହିସାବରେ ପୁଣି ଏବେ ଶ୍ରମିକଙ୍କୁ ଚାଲାଣ କରିବାରେ ଲାଗିଥିବା ଦେଖିବାକୁ ମିଲିଛି। ଏଠି ପ୍ରଶ୍ନ ଉଠୁଛି ଯଦି ମନରେଗା ଯୋଜନାରେ ପର୍ଯ୍ୟାପ୍ତ ପରିମାଣର କାମ ପ୍ରଦାନ କରାଯାଇଛି ତେବେ ଶ୍ରମିକ କାମ ପାଇଁ ଯିବା ପାଇଁ କାହିଁକି ବାହାରିଛି। ଅସଲ କଥା ହେଉଛି ଏହି ଶ୍ରମିକ ନାଁରେ କାମ କରାଯାଇ ସରକାରୀ ବାବୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। କାଗଜପତ୍ରରେ ସବୁ ଠିକ ଦେଖାଇ ପ୍ରଶାସନ ବାହାବେ ନେଉଥିବା ଅଭିଯୋଗ ହୋଇଛି। ପୂର୍ବ ବର୍ଷ ଭଳି ନୂଆଖାଇ ସମୟରେ ଦେଖିବାକୁ ମିଲୁଥିବା ଦୃଶ୍ୟ ଦେଖିବାକୁ ମିଲିଥିବା ବେଳେ ଟ୍ରେନଷ୍ଟେସନ ବଦଳରେ ଗାଁ ମୁଣ୍ଡରେ ଥିବା ଖାଲିସ୍ଥାନରେ ଏହା ଦେଖିବାକୁ ମିଲିଛି। ତେବେ ଏନେଇ ଜିଲା ଶ୍ରମ ଅଧିକାରୀଙ୍କ କହିବା ଅନୁସାରେ ଶ୍ରମିକ ଚାଲାଣର କୈାଣସି ଅଭିଯୋଗ ଆସିନାହିଁ। ପ୍ରବାସୀ ଶ୍ରମିକଙ୍କୁ ସରକାରୀ ନିୟମାନୁସାରେ ଥଇଥାନ ବ୍ୟବସ୍ଥା କରାଯାଉଛି। ଯଦି ସେହିଭଳି କିଛି ଅଭିଯୋଗ ଆସେ ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲା ଶ୍ରମ ଅଧିକାରୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ଶ୍ରମିକଙ୍କୁ ନିଜ ଅଞ୍ଚଳରେ କାମ ଦେବାର ବ୍ୟବସ୍ଥା କରିବା ସହ ମନରେଗା ଯୋଜନାର ଗୋଳକ ଧନ୍ଦା ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Comments are closed.