ଜୀବନ ଏକ ନାଟକ , ‘କୋଇଲି ସ୍ୱରରେ ମତୁଆଲା କରିଦିଅନ୍ତି ପ୍ରତିଭାରାଣୀ’

ବଲାଙ୍ଗୀର : ଜନ୍ମ ସତ୍ୟ, ମୃତ୍ୟୁ ବି ଧୃବ ସତ୍ୟ। ହେଲେ ଏହାରି ଭିତରେ କିଛି ଲୋକ ଜୀବନର ଭିଡ ଭିତରୁ ବାହାରି ଛିଡ଼ା ହୁଅନ୍ତି। ଜୀବନ ସହ ଜୁଝନ୍ତି । ବାରି ହେଇଯାଆନ୍ତି ଭିଡ଼ ଭିତରୁ। ତାଙ୍କ କର୍ମ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜେ। ଟଙ୍କା କେବଳ ଜୀବନର ମାପଦଣ୍ଡ ହୋଇ ରହେ ନାହିଁ । ତାଙ୍କ ଇଚ୍ଛା ଆଗରେ ହାରମାନେ ବୟସ। ଆଉ ରଙ୍ଗ, କଲମର କଥା ପଡିଲେ ସେମାନେ କାଗଜରେ ଆଙ୍କି ଦିଅନ୍ତି ତାଙ୍କ ଶ୍ରେଷ୍ଠତ୍ୱ ଦୁଃଖ ଓ ସୁଖର ଜୀବନକୁ ଉପଭୋଗ କରନ୍ତି। ଭାଷା, ଲୋକ ସଂସ୍କୃତି ପ୍ରତି ଯାହାଙ୍କ ମମତା । ଯାହା ଆଜି ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି ହୋଇଛି। ଏହାରି ଭିତରେ ପରିବର୍ତ୍ତନ । ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କାହାଣୀକୁ ନେଇ ଉପସ୍ଥାପନା ଜୀବନ ଏକ ନାଟକ…

ଝାରର ମଲ୍ଲିରେ ମୋର ନା…କୁଇଲିରେ….ଝୁମୁରା ନାଇଁ ଲାଗୁଛେ । ଏମିତି ଅନେକ ସୁପରହିଟ୍‍ ଗୀତକୁ ନିଜ କୋଇଲି କଣ୍ଠରେ ଗାଇ ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛନ୍ତି ପ୍ରତିଭାରାଣୀ ଭୁଏ । ବୟସ ବି ବେଶୀ ନୁହେଁ , ମାତ୍ର ୨୪। କିନ୍ତୁ ଖୁବ କମ୍‍ ଦିନରେ ଯେ ଜଣେ ସଫଳ ଗାୟିକା ଭାବେ ନିଜ ସ୍ଥାନ ଅଳଂକୃତ କରି ପାରିଛନ୍ତି। ଏହି କଳାକାର ଜଣକ ମାତ୍ର ୭ ବର୍ଷ ବୟସରେ ଆକାଶବାଣୀରେ ଜଣେ କଣ୍ଠଶିଳ୍ପୀ ହୋଇ ସାରିଥିଲେ। ପ୍ରତିଭା ବର୍ତ୍ତମାନ ବଲାଙ୍ଗୀରରେ ରହୁଥୁବା ବେଳେ ତାଙ୍କ ମୂଳ ଗାଁ ସୋନପୁର ଜିଲା ଆଖିଦାଦର। ବାପା ପ୍ରେମରାଜ ଭୁଏ ଓ ମା ସବିତା ଭୁଏ।

ଶିକ୍ଷାଗତ ଯୋଗ୍ୟତା କହିଲେ ବୁର୍ଲା ସ୍ଥିତ ଭିଏସଏସୟୁଟିରୁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍‍ ୨୦୧୭ ମସିହାରେ ଶେଷ କରିଛନ୍ତି । ଏହା ସହ ପ୍ରୟାଗ ସଂଗୀତ ସମିତି ଆଲ୍ଲାହାବାଦରୁ କ୍ଲାସିକାଲ ଗୀତରେ ସଂଗୀତ ବିଶାରଦ ଓ ଓଡିଶୀ ନୃତ୍ୟରେ ବରିଷ୍ଠ ବିଭାଗରେ ଡିପ୍ଲୋମା ଶେଷ କରିଛନ୍ତି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ୨୦୦୨ ମସିହାରେ ଜଣେ ଶିଶୁ କଳାକାର ଭାବେ ସ୍ୱୀକୃତି ମିଳିଥିବା ବେଳେ ୨୦୧୩ ମସିହାରୁ ବିଗ୍ରେଡ ସମ୍ବଲପୁରୀ ଫୋକ୍‍ ଓ ସୁଗମ ସଂଗୀତରେ କଣ୍ଠଶିଳ୍ପୀ ଭାବେ ଗୀତ ଗାଇ ଆସୁଥିଲେ। ୨୦୨୦ ମସିହାରେ ସମ୍ବଲପୁରୀ ଫୋକ୍‍ ବିଭାଗରେ ‘ବି’ ହାଇ ଗ୍ରେଡ ଭାବେ ତାଙ୍କୁ ସ୍ୱୀକୃତି ମିଳିଛି। ସଙ୍ଗୀତ ଓ ନୃତ୍ୟ ସମେତ ଚିତ୍ର ଆଙ୍କିବା, ରୋଷେଇ କରିବା ସହ ନୂଆଁ ନୂଆଁ ଜାଗା ଭ୍ରମଣ କରିବାକୁ ଖୁବ ଭଲ ପାଆନ୍ତି ପ୍ରତିଭା। ତେବେ ଏହାରି ଭିତରେ ସେ ତାଙ୍କ ଛାତ୍ରୀ ଜୀବନରେ ବିଭିନ୍ନ ଜିଲା ଲୋକ ଉତ୍ସବ, ନୂଆଁଖାଇ ଭେଟଘାଟ, ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ଅନେକ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଅନେକ ମଞ୍ଚରେ ସେ ତାଙ୍କ କୁଇଲି କଣ୍ଠରେ ଶ୍ରୋତା,ଦର୍ଶକ ମଣ୍ଡଳୀକୁ ବିମୋହିତ କରନ୍ତି। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ଗୀତ ଗାଇଥିବା ବେଳେ ‘ଫେର ଆଇଛେ ନୂଆଁଖାଇ’ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ତେବେ ସେ ଶାସ୍ତ୍ରୀୟ ଗୁରୁ ସୋମା ଗାଙ୍ଗୁଲୀ, ଗୁରୁଶ୍ରୀ ରତନ ପୂଜାରୀ, ଗୁରୁ ଜ୍ଞାନ ରଞ୍ଜନ ମହାପାତ୍ର, ଓଡିଶୀ ଲୋକନୃତ୍ୟ ଗୁରୁଶ୍ରୀ ସୁନ୍ଦରଲାଲ ପଟେଲଙ୍କ ଠାରୁ ଓ ସମ୍ବଲପୁରୀ ନୃତ୍ୟ ତାଙ୍କ ବାପାଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିବା ପ୍ରତିଭା କୁହନ୍ତି। ଜୀବନରେ ସଫଳ ପାଇବାକୁ ହେଲେ ଉଚ୍ଚ ଆଶା, ଦୃଢ ବିଶ୍ୱାସ ଓ କଠିନ ପରିଶ୍ରମ ଲୋଡା ବୋଲି କୁହନ୍ତି। ଯୁବ ପିଢୀ ଧୈର୍ୟ୍ୟହରା ନହୋଇ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ପ୍ରଯୁକ୍ତି ଜ୍ଞାନକୌଶଳ ମାଧ୍ୟମରେ ଆମେ ଚାହୁଁଥିବା ସ୍ଥାନକୁ ପହଞ୍ଚି ପାରିବା ବୋଲି ଯୁବକ ଯୁବତୀଙ୍କୁ ‘ସମାଜ’ ମାଧ୍ୟମରେ ବାର୍ତ୍ତା ଦେଇ କହିଛନ୍ତି।

Comments are closed.