ରୋଗୀଙ୍କ ପାଇଁ ଦେବଦୂତ ଲାଲ୍‍ଟୁ ଦା’

ବଲାଙ୍ଗିର: କେଉଁ ନେତା କି ବଡ ବାବୁ ପାଇଁ ନୁହେଁ। ଜଣ ସାଧାରଣ ମଣିଷ ପାଇଁ କହୁଛୁ ଜୀବନ ଜିନ୍ଦାବାଦ। ଆପଣ ବି ତାଙ୍କ ଜୀବନ କାହାଣୀ ଶୁଣିଲେ କହିବେ ଜିନ୍ଦାବାଦ.. ଜିନ୍ଦାବାଦ।

ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା। ଏବେ ତାର ନା ବଦଳି ଯାଇଛି। ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ହୋଇଛି। କିନ୍ତୁ ଏହାରି ପରିସରରେ ଥିବା ଅନେକ ମଣିଷ ଆଜି ମଧ୍ୟ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଦୀର୍ଘ ୧୭/୧୮ ବର୍ଷ ତଳକୁ ଫେରିଗଲେ ଏହି ଡାକ୍ତରଖାନାରେ ଜଣେ ଡେଙ୍ଗା ମଣିଷକୁ ନିଶ୍ଚୟ ପାଖରେ ଥିବା ବରଗଛ ମୂଳେ ପାଇଯିବେ। ବୁର୍ଲା ହେଉ କି କଟକ ବା ରାଜଧାନୀ ଭୁବନେଶ୍ୱରକୁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେବାର ଅଛି। ତାହା ହେଲେ ସଙ୍ଗେ ସଙ୍ଗେ ବାହାରି ପଡନ୍ତି। ରାତି ହେଉ କି ଦିନ। ଖରା,ବର୍ଷା, ଶୀତ ଆଦିକୁ ଖାତିର କରନ୍ତି ନାହିଁ। ହଁ, ଆଜ୍ଞା। ଇଏ କୌଣସି ବଡ ବାବୁ ନୁହଁନ୍ତି। କିନ୍ତୁ ରୋଗୀଙ୍କ ପାଇଁ ଦେବଦୂତ। ଜଣେ ଦରଦୀ ମଣିଷ। ପେଶାରେ ଜଣେ ଡ୍ରାଇଭର। ନାଁ ସରୋଜ କୁମାର ଜେନା। ତାଙ୍କ ଡାକ ନା ଲାଲ୍‍ଟୁ। ବୟସ ୫୦ ଡେଇଁଲାଣି। ହେଲେ ଆଜି ଯାଏଁ ତାଙ୍କ କର୍ମମୟ ଜୀବନରେ ଥକି ପଡ଼ି ନାହାନ୍ତି ସେ। ଭୁବନେଶ୍ୱର, କଟକ ତ ନିତିଦିନିଆ ଗସ୍ତ। ଗୁରୁତର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ତାଙ୍କ ସବଠୁ ବଡ ଚ୍ୟାଲେଞ୍ଜ। ଠିକଣା ସମୟରେ ପହଞ୍ଚାଇ କେତେ ଯେ ରୋଗୀଙ୍କ ଜୀବନ ବଞ୍ଚେଇଛନ୍ତି ତାର ହିସାବ ନାହିଁ। ତାଙ୍କ ପାଇଁ କର୍ମ ହିଁ ଭଗବାନ। କେବଳ ଆମ୍ବୁଲାନ୍ସ ଡ୍ରାଇଭିଂ କରିବା ୧୮ ବର୍ଷ ହୋଇଯାଇଥିବା ବେଳେ ଡ୍ରାଇଭିଂ କ୍ୟାରିୟର ପ୍ରାୟ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବୋଲି ସେ କୁହନ୍ତି। ତାଙ୍କ ପରିବାର କହିଲେ, ବାପା ସ୍ୱର୍ଗତ ବିନୋଦ କୁମାର ଜେନା ଓ ମା ଇମୋଜିନୀ ଜେନା। ତାଙ୍କ ମା’ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ବଡବନ୍ଧ ଠାରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ତାଙ୍କ ଜନ୍ମ। ବାପା ଓଏସଆରଟିସି ରେ କାମ କରୁଥିଲେ। ଏବେ ଦୁହେଁ ଆର ପାରିରେ। ତାଙ୍କ ସ୍ତ୍ରୀ କାଞ୍ଚନମଣି ଜେନା ଘରଣୀ। ଗାଡି ଚଳାଇ ୨ ଝିଅ ଓ ୧ ପୁଅଙ୍କୁ ମଣିଷ କରିଛନ୍ତି। ସମସ୍ତେ ଗ୍ରାଜୁଏଟ୍‍। ଜୀବନରେ ବେଶି କିଛି ଆଶା ରଖିନି। ଲୋକଙ୍କ କାମରେ ଆସୁଛି। ସମସ୍ତଙ୍କୁ ନିଜର କରି ଚଳୁଛି। ଏହା ସବୁଠୁ ବଡ ପୁଞ୍ଜି ମୋ ପାଇଁ ବୋଲି କହନ୍ତି ସେ।

କେବଳ ସେତିକି ନୁହେଁ, କରୋନା କାଳରେ ରୋଗୀଙ୍କୁ ନିଜ ଘର ଲୋକେ ଛୁଇଁବା ପାଇଁ ଅମଙ୍ଗ ହେଉଥିବା ବେଳେ ନିଜେ ହାତରେ ଧରିଛି। ଡାକ୍ତରଖାନା ପହଞ୍ଚାଇଛି। କେତେ ଯେ ରୋଗୀଙ୍କୁ ଏଇ ହାତରେ ଯତ୍ନ କରିଛି ତାର ହିସାବ ନାହିଁ ବୋଲି ସେ କୁହନ୍ତି। କରୋନା ହାରିବ ଦେଶ ନିଶ୍ଚିତ ଭାବେ ଜିତିବ। କେବେଳ ଏହାର ସଫଳ ମୁକାବିଳା ମାନସିକ ସ୍ତରରେ କରିବା ଆବଶ୍ୟକ ବୋଲି ସେ ବାର୍ତ୍ତା ଦିଅନ୍ତି।

Comments are closed.