ଏପଟେ କରୋନା ସେପଟେ ଉଚ୍ଚେଦ, ସର୍ବହରା ହେଲେ ଶତାଧିକ ବ୍ୟବସାୟୀ

ବଲାଙ୍ଗିର: କିଛି ମାସର ନୀରବତା ପରେ ପୁଣି ବଲାଙ୍ଗିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା । କରୋନା ପାଇଁ ଏହି ଉଚ୍ଚେଦ କାମ ବନ୍ଦ ରହିଥିବା ବେଳେ ପୁଣି ଏହାର ଆରମ୍ଭ କରାଯାଇଛି । ଗତ ଦୁଇ ଦିନ ହେଲା ସହରର କିଛି ମୁଖ୍ୟ ଅଞ୍ଚଳରେ ବୁଲଡୋଜର ଗାଡି ନିଜର ପ୍ରଭାବ ବିସ୍ତାର କରିଚାଲିଛି । ଅନ୍ୟପଟେ ଛକ, ବଜାରରେ ଛୋଟ ଛୋଟ ଦୋକାନ କରିରହିଥିବା ବ୍ୟବସାୟୀ ମାନେ ଚିତ୍କାର କରୁଛନ୍ତି । ଜିରୋ ଟୋଲୋରେନ୍ସ ନିୟମ ଆପଣାଇ ପ୍ରଶାସନ ନିଜର କର୍ତ୍ତବ୍ୟ କରିଚାଲିଥିବା ବେଳେ ଶତାଧିକ ବ୍ୟବସାୟୀଙ୍କ ପିଠିରେ ଶକ୍ତ ଧକ୍କା ବାଜିଛି । ଡ୍ରେନ ହେଉ କି ରାସ୍ତା ନିର୍ମାଣ ପାଇଁ ଚାଲିଥିବା ଏହି ଜବରଦଖଳ ପ୍ରକ୍ରିୟାରେ ବହୁ ଜବରଦଖଳକାରୀଙ୍କ ଘର ମଧ୍ୟ ଭଙ୍ଗାଯାଇଛି । କିନ୍ତୁ ଯେଉଁମାନେ ଛୋଟ ଛୋଟ ଦୋକାନ କରି ପରିବାର ଚଲାଉଥିଲେ ସେମାନଙ୍କର କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସମସ୍ତ ବର୍ଗର ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଭଳି ଏକ ଦୁର୍ବିସହ ସମୟରେ ଜବରଦଖଳ ଉଚ୍ଚେଦ ଯୋଗୁ ଉଠାଦୋକାନୀ ମାନେ ଅସନ୍ତୋଷ ଜାହିର କରିଛନ୍ତି ।

ସ୍ମାର୍ଟ ହେବ ବଲାଙ୍ଗିର ସହର । ସହର ଭିତରେ ଥିବା ରାସ୍ତାର ପ୍ରଶସ୍ତିକରଣ, ଡ୍ରେନ ପରିଚାଳନା ପାଇଁ କାର୍ଯ୍ୟକାରୀ କରାଯିବ ମାଷ୍ଟର ପ୍ଲାନିଂ । କିଛି ଏହିଭଳି ଲକ୍ଷ୍ୟ ନେଇ ସହରରେ ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପର୍ଯ୍ୟାୟକ୍ରମେ ପୈାରପ୍ରଶାସନ ଜବରଦଖଳକାରୀ ମାନଙ୍କୁ ନାଲିଆଖି ଦେଖାଇଥିଲେ । ବ୍ରାହ୍ମଣପଡା, ବରପାଲିପଡା, ଦୈନିକ ବଜାର, ପାଟଣା ଛକ ଠାରୁ ଗାନ୍ଧିନଗରପଡା ଛକ, ଭାଗରଥୀଛକ, ମାଲପଡା ଭଳି ଅନେକ ଅଞ୍ଚଳରେ ଏହି ଉଚ୍ଚେଦ କରାଯାଇଥିଲା । ଗତ ଅଗଷ୍ଟରେ ହୋଇଥିବା ବନ୍ୟା ପରେ ଡ୍ରେନ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ମାଷ୍ଟର ପ୍ଲାନିଂ କରାଯାଇଥିଲା । ଏହାକୁ ସଫଳ କରିବା ପାଇଁ ଏହି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା ଯଦିଓ ଆରମ୍ଭ କରାଯାଇଥିଲା । ଏଥିରେ ରାସ୍ତା ପ୍ରଶସ୍ତିକରଣକୁ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଫଳରେ ୨୬ ନଂ ଜାତୀୟ ରାଜପଥ କଡ, ଭାଗରଥୀ ଛକ ଠାରୁ ସାପ୍ତାହିକ ବଜାର ଛକ ଅଞ୍ଚଳରୁ ମଧ୍ୟ ଜବରଦଖଳ ହଟାଯାଇଥିଲା । ଏହି ସମୟରେ କରୋନା ଯୋଗୁ ପ୍ରଶାସନ ପକ୍ଷରୁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ଚାରି ମାସ ପରେ ପୁଣି ପ୍ରଶାସନ ପକ୍ଷରୁ ଏହି ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ମଙ୍ଗଳବାର ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଅଞ୍ଚଳରେ ଜବରଦଖଳ ଉଚ୍ଚେଦ ହୋଇଥିଲା । ବୁଧବାର,ଗୁରୁବାର ବିଏସଏନଏଲ ଛକ ଠାରୁ ଟିକ୍ରପଡା ରାସ୍ତା, କଦମପଡାରୁ ସୁରେଶ୍ୱରୀ ମନ୍ଦିର ଛକ, ଚାନ୍ଦମନ୍ଦିର ଦେଇ ପ୍ରତାପସାଗରପଡା, ବିଏସଏନଲ ଅଫିସ ନିକଟସ୍ଥ ଏସପି ଅଫିସ ପଛପଟ ଅ-୍ଚଳକୁ ସଂପୂର୍ଣ୍ଣ ଭାବେ ଖାଲି କରାଯାଇଥିଲା । ଏହି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟାକୁ କିଛି ବର୍ଗର ଲୋକେ ସ୍ୱାଗତ କରିଛନ୍ତି । କିନ୍ତୁ ଏହି ପ୍ରକ୍ରିୟାରେ ଶତାଧିକ ଉଠାଦୋକାନୀ, ଛୋଟ ଦୋକାନୀ ନିଜ ରୋଜଗାର ହରାଇଥିବା ଅଭିଯୋଗ ଆଣିଛନ୍ତି । କରୋନା ଭଳି ମହାବିପଦ ସମୟରେ ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ପଟେ ଆବଶ୍ୟକତା ଅନୁସାରେ ବ୍ୟବସାୟ ହେଉନାହିଁ ଅନ୍ୟପଟେ ଉଚ୍ଚେଦରେ ଦୋକାନ ହରାଇ ବେକାର ହୋଇଥିବା ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଉଚ୍ଚେଦ ଓ ବ୍ୟବସାୟୀ ରାସ୍ତାକୁ ଚାଲିଆସିବା ସହରରେ କିଛି ନୁଆ କଥା ନୁହଁ। ଉଠାଦୋକାନୀ ଓ ଛୋଟ ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଭେଣ୍ଡିଂଜୋନ ବ୍ୟବସ୍ଥା କରିବା ଦାବି ଦୀର୍ଘ ବର୍ଷ ହେଲା ହୋଇଆସିଛି । କିନ୍ତୁ ଏହାର ସମଧାନ ପ୍ରଥମେ ନକରି ଏହି ଉଚ୍ଚେଦ କାମ ତ୍ୱରାନ୍ୱିତ କରିବା କେତେ ଯୁକ୍ତିଯୁକ୍ତ ବୋଲି ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ପୂର୍ବରୁ ଖାଲିକରାଯାଇଥିବା ସ୍ଥାନ ଗୁଡିକରେ ହେବାକୁ ଥିବା କାମ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ଫଳରେ ଉଚ୍ଚେଦ ହୋଇଥିବା ଦୋକାନୀ ପୁଣି ସେଠାରେ ଦୋକାନ ଲଗାଇଲେଣି । ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଯଦିଓ ଜବରଧଖଳ ହଟାଇବାକୁ ଲୋକେ ସ୍ୱାଗତ କରୁଛନ୍ତି କିନ୍ତୁ ଯେଉଁକାମ ପାଇଁ ଏହା କରାଯାଉଛି ତାହା ପ୍ରଥମେ ସମାପ୍ତ କରିବା ପାଇଁ ସହରବାସୀ ଦାବି କରିଛନ୍ତି । ଯେଉଁ ଲକ୍ଷ୍ୟ ନେଇ ଏହି ଉଚ୍ଚେଦ କରାଯାଉଛି ତାହା ଖୁବଶୀଘ୍ର ସଂପୂର୍ଣ୍ଣ ହେବ ଓ ସେଥିରୁ ସହରବାସୀ ଲାଭ ପାଇବେ ତେଣୁ ଏହାକୁ ସହଯୋଗ କରିବା ଉଚିତ ବୋଲି ଉପଜିଲାପାଳ ସଞ୍ଜୟ ମିଶ୍ର  ପ୍ରକାଶ କରିଛନ୍ତି।

Comments are closed.