କାମ ଯୋଗାଇବାରେ ପ୍ରଶାସନ ବିଫଳ; ଗୁଜୁରାଟ ମୁହାଁ ବଲାଙ୍ଗୀର ଶ୍ରମିକ

ବଲାଙ୍ଗୀର : କରୋନା ମହାମାରୀ ଭୟ ଭିତରେ ଏବେ ଲୋକଙ୍କୁ ଘାରିଲାଣି ପେଟପାଟଣା ଚିନ୍ତା । ବନ୍ଦ ପଡ଼ିଥିବା ଜୀବନ ଜୀବିକାକୁ ଆଗକୁ ବଢାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ଦାଦନ ପ୍ରବଣ ବଲାଙ୍ଗୀର ଜିଲାରୁ ସବୁ ବର୍ଷ ଯାଉଥିବା ହଜାର ହଜାର ଦାଦନ ଶ୍ରମିକ ତାମିଲନାଡୁ, ଆନ୍ଧ୍ରରୁ ଘରକୁ ଫେରିଛନ୍ତି। ସେହିପରି ଗୁଜୁରାଟରେ କାମ କରୁଥିବା ଗଞ୍ଜାମ ଜିଲାର ଶ୍ରମିକ ମାନେ ଫେରିବା ପରେ ସେଠାରେ କରୋନା ଭୟାବହ ରୂପ ଦେଖାଇଛି। ସଂପୂର୍ଣ୍ଣ ଭାବେ ଓଡିଆ ଶ୍ରମିକ ମାନଙ୍କ ଭରସାରେ ଚାଲୁଥିବା ଗୁଜୁରାଟର କମ୍ପାନୀ ଗୁଡିକ ଠପ ହୋଇଯାଇଛି । ଏମିତିରେ ଏବେ ଗୁଜୁରାଟର କମ୍ପାନୀ ମାନଙ୍କ ନଜର ବଲାଙ୍ଗୀର ଜିଲାରେ ପଡ଼ିଛି। ଗତ କିଛି ଦିନ ଭିତରେ ଶତାଧିକ ଶ୍ରମିକ ଗୁଜୁରାଟ ଅଭିମୂଖେ ଯାଇଥିବା ଜଣାପଡ଼ିଛି। ପୂର୍ବରୁ ଗୁଜୁରାଟର କିଛି ଅଞ୍ଚଳକୁ ଦ୍ୱିତୀୟ ଗଞ୍ଜାମ କୁହାଯାଉଥିବା ବେଳେ ଏହି ସ୍ଥାନ ବଲାଙ୍ଗୀର ନେବ ନାହିଁ ତ ! ଏହିଭଳି କିଛି ଆଲୋଚନା ଆରମ୍ଭ ହୋଇଛି।

କରୋନା ମହାମାରୀ ସମୟରେ ଫେରିଥିବା ଶ୍ରମିକ ମାନଙ୍କୁ କାମ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ଗ୍ରହଣ କରିଥିଲା । ମନରେଗା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ବାସ୍ତବିକ ଚିତ୍ର ଭିନ୍ନ ରହିଛି। ନାମକୁ ମାତ୍ର ଶ୍ରମିକ ନିୟୋଜିତ ହୋଇଥିବା ବେଳେ ଏବେ ବି ମନରେଗା କାମରେ ମେସିନ ବ୍ୟବହରା କରାଯାଉଛି । ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନେ କାମଧନ୍ଦା ନ ପାଇ ଅର୍ଥ ଅନାଟନର ସମ୍ମୁଖୀନ ହୋଇଛନ୍ତି। କରୋନା ପାଇଁ ସବୁଆଡେ କଟକଣା ଲାଗିଥିବା ବେଳେ ପୂର୍ବ ପରୁ କିଭଳି ରାଜ୍ୟ ବାହାରକୁ କାମ ପାଇଁ ଯିବେ ସେହି ପ୍ରୟାସରେ ଏହି ଶ୍ରମିକ ମାନେ ଦିନ କାଟୁଛନ୍ତି। ବଲାଙ୍ଗିର ଜିଲାର ଲୋଇସିଂହା, ଆଗଲପୁର, ବଲାଙ୍ଗିର ସଦର, ଦେଓଗାଁ ବ୍ଲକ ଅଞ୍ଚଳରୁ ଗତ କିଛି ଦିନ ଭିତରେ ଶତାଧିକ ଶ୍ରମିକ ଗୁଜୁରାଟ ଅଭିମୂଖେ ଯାଇଥିବା ଜଣାପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜିଲାର ଗାଡି ମାନଙ୍କରେ ଏହି ଶ୍ରମିକ ମାନଙ୍କୁ ଗୁଜୁରାଟ ନିଆଯାଇଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଗାଡି ଭଡା, ଖାଇବା ପାଇଁ ହଜାର ହଜାର ଟଙ୍କା ମାଳିକ ମାନେ ବ୍ୟୟ କରିଥିବା ଜଣାପଡ଼ିଛି। ଗୁଜୁରାଟ ପହଞ୍ଚିବା ପରେ ସେଠାରେ ଦୁଇ ଗୁଣା ପାରିଶ୍ରମିକରେ ନିୟୋଜିତ କରାଯାଉଥିବା ସୂଚନା ରହିଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଶ୍ରମିକ ଚାଲାଣ କରିବା ପାଇଁ କମ୍ପାନୀ ଗୁଡିକ ଦଲାଲ ମଧ୍ୟ ନିଯୁକ୍ତ କରିଛନ୍ତି । ଗୋଟିଏ ପଟେ ଶ୍ରମିକଙ୍କ କାମ ଓ ଟଙ୍କା ଆବଶ୍ୟକତା ରହିଛି । ଅନ୍ୟପଟେ ଶ୍ରମିକ ନ ପାଇ ବନ୍ଦ ପଡ଼ିଥିବା କମ୍ପାନୀ ଆରମ୍ଭ କରିବାର ଚାପ ଭିତରେ ତାମିଲନାଡୁ, ଆନ୍ଧ୍ର, ଚେନ୍ନାଇରେ ମୁହାଁ ଶ୍ରମିକ ମାନେ ଏବେ ଗୁଜୁରାଟ ମୁହାଁ ହୋଇଛନ୍ତି । ସେହିପରି ଗୁଜୁରାଟ ଅଞ୍ଚଳରୁ ଘରକୁ ଶ୍ରମିକ ନେଇ ଫେରୁଥିବା ଗାଡିରେ ମଧ୍ୟ ଶ୍ରମିକ ମାନଙ୍କୁ ନିଆଯାଉଥିବା ଦେଖିବାକୁ ମିଲିଛି । ତେବେ ଆସିବା ସମୟରେ ପଞ୍ଜିକରଣ କରାଯାଉଥିବେ ବେଳେ ଏବେ ପୁଣି ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ ହେଉଛି ତ ! ରାଜ୍ୟ ସୀମା ଗୁଡିକ ସିଲ ଥିବା ବେଳେ ଏହି ଶ୍ରମିକ ନେଇ ଯାଉଥିବା ଗାଡି ଅନ୍ୟ ରାଜ୍ୟରେ ପ୍ରବେଶ କେମିତି କରୁଛନ୍ତି ! ତାହା ଏବେ ବଡ ପ୍ରଶ୍ନ ହୋଇରହିଛି । ଟଙ୍କା କମାଇବା ପାଇଁ କାମ କରିଥିବା ଠିକ କଥା କିନ୍ତୁ ପ୍ରଶାସନର ଅଜାଣତରେ ଏଭଳି ଏକ ବିପଦ ସମୟରେ ରାଜ୍ୟ ବାହାରକୁ ଯିବା କେତେ ଯୁକ୍ତିଯୁକ୍ତ । ଏନେଇ ଜିଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ଏନେଇ କୌଣସି ପ୍ରତିକ୍ରୀୟା ଦେଇନଥିଲେ। ଯାହାକୁ ସ୍ପଷ୍ଟ କରୁଛି ଏନେଇ ଶ୍ରମ ବିଭାଗ ପାଖରେ କୌଣସି ସୂଚନା ନାହିଁ।

Comments are closed.