କୁଶୁଙ୍ଗାଇ ସେତୁ ଗାର୍ଡୱାଲରେ ଫାଟ, ଭାଙ୍ଗିଲା ବ୍ରିକ୍ସପ୍ୟାଚିଂ

ବଲାଙ୍ଗିର: ଭାରତୀୟ ରେଳବାଇ ପକ୍ଷରୁ ରେଳ ଭିତ୍ତିଭୂମି ବିକାଶ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ବଡ ବଡ ନିର୍ମାଣକାରୀ ସଂସ୍ଥା ଏହି ନିର୍ମାଣ କାମ ଚଲାଇଛନ୍ତି । ସମ୍ବଲପୁର ଡିଭିଜନ ଅଧିନରେ ଗତ କିଛି ବର୍ଷ ହେଲା ସମ୍ବଲପୁରରୁ ଟିଟିଲାଗଡ ରେଳ ଲାଇନର ଦୋହରୀକରଣ କାମ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି । ଏହି ରେଳ ଲାଇନ ଦୋହରୀକରଣ କାମ ପାଇଁ ନିର୍ମାଣ ହେଉଥିବା ପୋଳ, ଗାର୍ଡୱାଲ, ମାଟିଫିଲିଂ କାମ ଗୁଡିକ ପେଟି ଠିକାଦାର କରୁଥିବାରୁ ଏହାର ମାନ ଓ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋଇସିଂହା- ବଲାଙ୍ଗିର ନୂତନ ରେଳଲାଇନର କୁଶୁଙ୍ଗାଇ ନାଳ ବ୍ରୀଜକୁ ଲାଗି ନିର୍ମାଣ ହୋଇଥିବା ଗାର୍ଡୱାଲରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଲିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ରେଳ ଲାଇନ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ ।
ସମ୍ବଲପୁର ରେଳ ଡିଭିଜନ ଅଧିନରେ ଥିବା ଲୋଇସିଂହା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଦ୍ୱିତୀୟ ଲାଇନ କାର୍ଯ୍ୟକ୍ଷମ ହୋଇନାହିଁ। ଏପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଏହି ରେଳଲାଇନ ହସ୍ତାନ୍ତର କରାଯାଇନଥିବା ଜଣାପଡିଛି। ଏହି ୨୦ କିମି ରେଳଲାଇନ ମଧ୍ୟରେ ଏକାଧିକ ଛୋଟ ନାଳ ରହିଥିବା ବେଳେ ସୁକତେଲ ନଦୀ ରହିଛି। ଯଦ୍ୱାରା ପୋଳ ନିର୍ମାଣରେ ବିଲମ୍ବ ହୋଇଥିବାରୁ ଏହା ହସ୍ତାନ୍ତର ହୋଇନାହିଁ। ତେବେ ଲୋଇସିଂହା ରେଳଷ୍ଟେସନ ଠାରୁ କିଛି କିମି ଦୂରରେ ରହିଛି କୁଶୁଙ୍ଗାଇ ନାଳ। ଏହି ନାଳ ଉପରେ ରେଳ ବ୍ରୀଜ ନିର୍ମାଣ କରାଯାଇଛି। ବ୍ରୀଜକୁ ଲାଗି ଗାର୍ଡୱାଲ ନିର୍ମାଣ କରାଯାଇଛି। ନିର୍ମାଣର ମାତ୍ର କିଛି ମାସ ପରେ ଏହି ଗାର୍ଡୱାଲରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଲିଛି। କେବଳ ଏତିକି ନୁହଁ ଗାର୍ଡୱାଲରେ କରାଯାଇଥିବା ବ୍ରିକ୍ସପ୍ୟାଚିଂ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଲିଛି। ତେବେ ଏହି ଲାଇନ ଏପର୍ଯ୍ୟନ୍ତ ରେଳ ବିଭାଗକୁ ହସ୍ତାନ୍ତର ହୋଇନଥିବା ବେଳେ ଗାର୍ଡୱାଲରେ ଫାଟ ନିହାତି ଭାବେ କାମର ମାନ ଓ ସ୍ଥାୟୀତ୍ୱ ନେଇ ପ୍ରଶ୍ନବଉଚ ସୃଷ୍ଟି ହୋଇଛି। ମାଟି ଫିଲିଂ ସମୟରେ ଭଳ ଭାବେ ମାଟି ଫିଲିଂ କରାଯାଇନଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଯାହାଫଳରେ ଗତ ବର୍ଷ ବନ୍ୟା ସମୟରେ ବଲାଙ୍ଗିର ଆଖପାଖ କିଛି ସ୍ଥାନରେ ରେଳଧାରଣା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଲିଥିଲା। ଯଦି ଏହି ରେଳ ଲାଇନ ପରେ ଟ୍ରେନସେବା ଆରମ୍ଭ ହୁଏ ତେବେ ମାଟି ଧସିବା ସହ ଗାର୍ଡୱାଲ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଛି। ତେବେ ଏହି କାମ କିଏ କରିଛି ଏହାର ଦେଖାରେଖା ଦାୟିତ୍ୱରେ କେଉଁ ଅଧିକାରୀ ରହିଛନ୍ତି ତାହା ସ୍ପଷ୍ଟ ଭାବେ ସୂଚନା ମିଲିନଥିବା ବେଳେ କାମରେ ଅନେକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇଛି । କେବଳ କୁଶୁଙ୍ଗାଇ ବ୍ରୀଜ ନୁହଁ ଅନ୍ୟ ବ୍ରୀଜ ମାନଙ୍କରେ ମଧ୍ୟ ନିମ୍ନମାନର କାମ କରାଯାଇଥିବା ଦେଖିବାକୁ ମିଲିଛି ।
ସୂଚନା ଯୋଗ୍ୟ ଯେ ରେଳଲାଇନ ଉପରେ ହଜାର ହଜାର ଲୋକଙ୍କ ଜୀବନ ନିର୍ଭର କରୁଥିବା ବେଳେ ଉଚ୍ଚମାନର କାମ କୁ ଧ୍ୟାନରେ ରଖି ନିର୍ମାଣକାରୀ ସଂସ୍ଥା କୁ କାମ ପ୍ରଦାନ କରାଯାଇଥାଏ । କିନ୍ତୁ କଂପାନୀ ନିଜ ଲାଭ ଓ ସୁବିଧା ଦେଖି କାମ ପାଇଁ ପେଟି ଠିକାଦାର ମାନଙ୍କୁ କାମ ଦେଇଦେଉଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଠିକାଦାର ମାନେ ନିଜେ ଲାଭ ଦେଖି ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି । ତେବେ ଏହି କାମ ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଅଧିକାରୀଙ୍କ ଅବହେଲା ଓ ନିମ୍ନମାନର କାମ କରିଥିବା ଠିକାଦାର ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Comments are closed.