କୁଡାସିଂହା ଡକାୟତି ମାମଲା : ୭ ଗିରଫ; ବୋଲେରୋ, ଅଟୋ ଓ ବାଇକ ଜବତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଦେଓଗାଁ ଥାନା କୁଡାସିଂହା ଗାଁରେ ଗତ ଜାନୁଆରି ୨୩ ତାରିଖରେ ହୋଇଥିବା ଡ଼କାୟତି ମାମଲାରେ ଶନିବାର ୭ ଜଣ ଗିରଫ ହୋଇଥିବା ଜଣାପଡିଛି। ଏହା ସହିତ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଏକ ବୋଲେରୋ, ଅଟୋରିକ୍ସା, ଗୋଟିଏ ବାଇକ, ୬୮ହଜାର ଟଙ୍କା ଏବଂ ୪ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଅର୍ଡା ଗାଁର ଲକ୍ଷ୍ମଣ ସୁନା, ମିଥୁନ ସୁନା, ସିଆଲଜୋର ଗାଁର ଘୁଣ୍ଡୁ ବାରିକ, ତୁଷୁରା ଥାନା ସିର୍ଜାପାଲି ଗାଁର ରାଜୁ ମହାନନ୍ଦ, ନୟାଗଡ ଓଡଗାଁ ବଡକିଲା ଗାଁର ପୂର୍ଣ୍ଣଚନ୍ଦ୍ର ମହାରଣା, ନୟାଗଡ ଫେତେଗଡ ବଲିଆପଟା ଗାଁର ପ୍ରଭାତ ନାୟକ,ବାହାଡା ଗାଁର ହାଲୁରି ସ୍ୱାଇଁ।
ଉଲ୍ଲେଖ ଯୋଗ୍ୟ, ଜାନୁଆରୀ ୨୩ରେ କୁଡାସିଂହା ଗାଁର ଉଜ୍ଜଳ ସାହୁଙ୍କ ଘରର ଗ୍ରୀଲ ଭାଙ୍ଗି ପଶିଥିଲେ ୧୨ରୁ ୧୪ଜଣ ଡକାୟତ। ହାତରେ ଧରିଥିଲେ ବିଭିନ୍ନ ମାରଣାସ୍ତ୍ର। ସେତେବେଳକୁ ସମୟ ରାତି ସାଢେ ୧୧ଟା। ଉଜ୍ଜଳ ଓ ତାଙ୍କ ଝିଅଙ୍କୁ ମାରଣାନ୍ତକ ଆକ୍ରମଣ କରି ଭୟଭୀତ କରିିଥିଲେ। ଆଉ ଉଜ୍ଜଳଙ୍କ ଘରୁ ୪ଲକ୍ଷ ଟଙ୍କା ଓ ୩୦ ଭରି ସୁନା ଡକାୟତି କରି ସେମାନେ ଫେରାର ହୋଇଯାଇଥିଲେ। ଏହି ମାମଲାରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲା ବଲାଙ୍ଗୀର ପୁଲିସ। ଆଉ ଏହି ସ୍କ୍ୱାର୍ଡକୁ ଅନୁଧ୍ୟାନ କରୁଥିଲେ ଖୋଦ୍‍ ଅତିରିକ୍ତ ଏସ୍‍ପି ମନୋରଂଜନ ପ୍ରଧାନ ଓ ଏସ୍‍ଡିପଓ ଶ୍ରୀମନ୍ତ ବାରିକ। ତଦନ୍ତ ବେଳେ ଜଣାପଡିଥିଲା ଯେ, କୁଡାସିଂହା ପାଖ ଅର୍ଡା ଗାଁର ଲକ୍ଷ୍ମଣ ସୁନା ହିଁ ମୁଖ୍ୟ ସୂତ୍ରଧର। ଯିଏ କି ଉଜ୍ଜଳଙ୍କ ଘରେ ବହୁ ଟଙ୍କା ଓ ସୁନା ଥିବା ଡକାୟତମାନଙ୍କୁ ସୂଚନା ଦେଇଥିଲେ। ଆନ୍ତ ରାଜ୍ୟ ଡକାୟତ ସତ୍ୟବାନ ସାହୁ ନେତୃତ୍ୱରେ ଡକାୟତମାନେ ଘରେ ପଶିଥିଲେ ଉଜ୍ଜଳଙ୍କ ଘରେ। ଅନ୍ୟ ଡକାୟତମାନଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜିଲା ବାହାରେ ରହିଥିବା ସୂଚନା ଦେଇଛନ୍ତି ଅତିରକ୍ତ ଏସ୍‍ପି ଶ୍ରୀ ପ୍ରଧାନ।

Comments are closed.