ଉଜୁଡ଼ିଛି ଜଙ୍ଗଲ; ଅସୁରକ୍ଷିତ ବାଘ

0

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଗତ କିଛି ବର୍ଷ ହେଲା ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି ବନ୍ୟପ୍ରାଣୀ। ଜଙ୍ଗଲ ବିଭାଗର ଅପାରଗତା ଯୋଗୁଁ ବିଭିନ୍ନ ସମୟରେ ହାତୀ ଓ କଲରାପତରିଆ ବାଘ ଶିକାର ହେଉଥିବା ଅଭିଯୋଗ ହୋଇଛି। ଜିଲାର ବଡମାଲ, ଗନ୍ଧମାର୍ଦ୍ଧନ ଜଙ୍ଗଲରେ କଲରାପତରିଆ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଛି। ଗତ କିଛି ବର୍ଷ ଭିତରେ ବଲାଙ୍ଗିର ଜିଲାରେ ବାଘ ମୃତ୍ୟୁ ଘଟଣା ବନ ବିଭାଗର ଅହହେଳା ମନୋଭାବ ଓ ଅପାରଗତାକୁ ପଦାରେ ପକାଇ ଦେଇଛି।
୨୦୧୪ ବାଘ ଗଣନା ରିପୋର୍ଟରେ ବଲାଙ୍ଗିର ଜିଲାରେ କେବଳ ଦୁଇଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ୪ ବର୍ଷ ପରେ ୨୦୧୮ ଫେବୃୟାରୀରେ ହୋଇଥିବା ବାଘ ଗଣନା ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଦୁଇଟି କଲରାପତରିଆ ବାଘର ମୃତ୍ୟୁ ପରେ ବାଘ ସଂଖ୍ୟା ନେଇ ଦ୍ୱନ୍ଦାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି। ୨୦୧୪ରେ ବାଘ ଗଣନା ପରେ ନୂଆପଡା ସୀମାବର୍ତ୍ତୀ ଚାଉଲମୁଣ୍ଡାଠାରେ ଡିସେମ୍ବର ୨୦୧୬ରେ ମହାବଳ ବାଘର ମୃତଦେହ ଉଦ୍ଧାର ହୋଇଥିଲା। ୨୦୧୭ ଅପ୍ରେଲ ୧୬ରେ ତୁରେକେଲା କୁରଲି ଗ୍ରାମରେ କଲରାପତରିଆ ପଶି ଉତ୍ପାତ ମଚାଇବା ପରେ କଲରାପତରିଆ
ଉପସ୍ଥିତି ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ସେହି କଲରାପତରିଆକୁ ଧରି ହରିଶଙ୍କର ଜଙ୍ଗଳରେ ଛାଡି ଦିଆଯାଇଥିଲା। ୨୦୧୮ ଅପ୍ରେଲରେ କଲରାପତରିଆ ବାଘର ମୃତଦେହ ଗନ୍ଧମାର୍ଦ୍ଧନ ପାହାଡ ନିକଟରୁ ଉଦ୍ଧାର କରାଯାଇଥିଲା । ଅର୍ଥାତ ଦୁଇଟି କଲରାପତରିଆ ମଧ୍ୟରୁ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହେଲା। କିନ୍ତୁ ବଡମାଲ ଗୋଲାବାରୁଦ କାରଖାନା ନିକଟରେ ଗତ କିଛି ମାସ ତଳେ ଦୁଇଟି କଲରାପତରିଆ ବୁଲୁଥିବା ଦୃଶ୍ୟ ଭାଇରାଲ ହୋଇଥିଲା। ଗତ ୫ ତାରିଖରେ ବଡମାଲ ଗୋଳାବାରୁଦ କାରଖାନା ନିକଟରେ ଏକ କଲରାପତରିଆ ଶିକାର କରାଯାଇଥିବା ଜଣାପଡିଥିଲା। ଏପରି ସ୍ଥିତିରେ ଜିଲାରେ ବାଘ ସଂଖ୍ୟା ନେଇ ବନ ବିଭାଗ ନିକଟରେ ମଧ୍ୟ ତଥ୍ୟ ନଥିବା ପ୍ରକାଶ। ଏ ସଂକ୍ରାନ୍ତରେ ବଲାଙ୍ଗିର ଡିଏଫଓ ସମୀରକାନ୍ତ ଶତପଥୀଙ୍କୁ ପଚାରିବାରୁ ୨୦୧୮ରେ ହୋଇଥିବା ଗଣନା ସମୟରେ ଖଞ୍ଜାଯାଇଥିବା କ୍ୟାମେରାକୁ ଲେବକୁ ପଠାଯାଇଥିବାରୁ ବାଘ ସଂଖ୍ୟା ଜଣା ପଡିନଥିବା କହିଥିଲେ। ଯେଉଁଠି ଖବର ଆସୁଛି ସେଠାରେ ଗତିବିଧି ଉପରେ ନଜର ରଖାଯାଉଛି ବୋଲି ମତ ବ୍ୟକ୍ତ କରିଥିଲେ ।

Leave A Reply