ଗାଁକୁ ଗଡିଲା ପୋଷ୍ୟ ସନ୍ତାନ ସଚେତନତା ରଥ

ବଲାଙ୍ଗିର: ଆନ୍ତର୍ଜାତୀୟ ପୋଷ୍ୟ ଗ୍ରହଣ ମାସ ଅବସରରେ ଜିଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ପକ୍ଷରୁ ଏକ ଜନସଚେତନତା ରଥ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ଜିଲାପାଳ ଶ୍ରୀ ଲାଗୁରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଆଗାମୀ ଚାରି ଦିନ ଧରି ଜିଲାର ବିଭିନ୍ନ ବ୍ଲକ, ପୌରପରିଷଦ, ଏନଏସି ଯାତ୍ରା କରି ପ୍ରଚାର ପତ୍ର ବଣ୍ଟନ ସହ ପୋଷ୍ୟ ସନ୍ତାନ ଗ୍ରହଣର ବିଧି ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯିବ। ଏହି ଉଦଘାଟନୀ ଯାତ୍ରା ଶୁଭାରମ୍ଭ ଅବସରରେ ପୌଷ୍ୟ ସନ୍ତାନ ଆଗ୍ରହୀ ପିତାମାତାଙ୍କ ପାଇଁ ପୋଷ୍ୟ ସନ୍ତାନ ଯେତେ ଗୁରୁତ୍ୱପୂର୍ଣ୍ଣ ତା ଠାରୁ ଅଧିକ ଶିଶୁଟି ପାଇଁ ପରିବାର ଟିଏ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ଲାଗୁରୀ କହିଥିଲେ। ଏଥିରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ଜିଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ପ୍ରଧାନ, ଗ୍ରାମ ମଙ୍ଗଳ ପାଠାଗାର ସାଲେପାଲିର ସମ୍ପାଦକ କ୍ଷମାନିଧି ମେହେର, ଡିସିପିୟୁର ଦିଗାମ୍ବର କର, ସୁଧାଂଶୁ କୁମ୍ଭାର, ଚୁଡାମଣି ପଣ୍ଡା, ଅରୁଣ ଖୁଆସ, କାର୍ଯ୍ୟକ୍ରମ ପରିଚାଳକ ଜ୍ୟୋତିର୍ମୟୀ ତନ୍ତୀ, ଶ୍ୱାତୀସିନୀ ଛତ୍ରିଆ, ସୁନିତା ବେଶ୍ରା, ଚାଇଲ୍ଡ ଲାଇନର ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।

Comments are closed.