ବେଲପଡା ବ୍ଲକ ମଧ୍ୟପୁର ପଞ୍ଚାୟତରେ ମନରେଗା ଅନିୟମିତତା: ମିଲିଲାନି ପାଉଣା,ଡିଆରଡିଏ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ବଲାଙ୍ଗିର : ବଲାଙ୍ଗିର ଜିଲା ବେଲପଡା ବ୍ଲକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ମାନେ ମାସ ମାସ ଧରି ମାଟି ବୋହିଛନ୍ତି କିନ୍ତୁ ତାଙ୍କ ବ୍ୟାଙ୍କ ଜମାଖାତାରେ ପାଉଣା ଜମା ହୋଇନାହିଁ। କାମ କରିନଥିବା ଶ୍ରମିକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜମା ହୋଇଥିବା ଅଭିଯୋଗ କରିଛନ୍ତି ବେଲପଡା ବ୍ଲକ ମଧ୍ୟପୁର ପଞ୍ଚାୟତ ମଧ୍ୟପୁର ଓ କେନକେବେ ଗାଁର ଲୋକେ।
ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲା ବେଲପଡା ବ୍ଲକ ମଧ୍ୟପୁର ପଞ୍ଚାୟତର ମଧ୍ୟପୁର ଓ କେନକେବେ ଗାଁରେ ମନରେଗା ଯୋଜନାରେ ଅନେକ ମାଟିକାମ କରାଯାଇଛି। ଗତ କିଛି ବର୍ଷ ହେଲା ଏହି କାମ ମାନଙ୍କରେ ଜନକାର୍ଡ ଧାରୀ ଶ୍ରମିକ ମାନଙ୍କୁ ପଞ୍ଚାୟତ ପକ୍ଷରୁ ନିୟୋଜିତ କରାଯାଇଥିଲା। ପ୍ରାୟ ୫୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଶ୍ରମିକ ମାନେ ମାସ ମାସ ଧରି ମାଟି ବୋହିଥିଲା । ଏହି ମାଟିକାମର ପାଉଣା ମିଲିଲେ ସେମାନଙ୍କ ପରିବାର ପୋଷିବେ ବୋଲି ଆଶା ରଖିଥିଲେ। କିନ୍ତୁ ଏହି ପାଉଣା ଟଙ୍କା ତାଙ୍କୁ ଏପର୍ଯ୍ୟନ୍ତ ମିଲିନାହିଁ। ବାରମ୍ବାର ଏନେଇ ବ୍ଲକ ଏପିଓ, ବିଡିଓଙ୍କ ଠାରେ ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଲୁନାହିଁ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଶ୍ରମିକ ମାନେ କାମ କରିନାହାନ୍ତି ସେହି ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଥିବା ଅଭିଯୋଗ ହୋଇଛି।

ପଞ୍ଚାୟତର ଗାଁସାଥୀ, ଗ୍ରାମ ରୋଜଗାର ସେବକ ଓ ପ୍ରଶାସନିକ ଅଧିକାରୀ ମାନେ ମିଳିମିଶି ସେମାନଙ୍କ ଟଙ୍କା ହଡପ କରିଥିବା ବେଳେ ଏହି ଅନିୟମିତତାର ଏକ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଯୁବ ସଙ୍ଗଠକ ସିପୁନ ଖମାରୀଙ୍କ ନେତୃତ୍ୱରେ ପଚାଶରୁ ଉର୍ଦ୍ଧ ଶ୍ରମିକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଘେରାଓରେ ବାଳମୁକୁନ୍ଦ ସୁନା, କୁଞ୍ଜବିହାରୀ ରଣା, ଶ୍ରୀକାନ୍ତ ପାଣିଗ୍ରାହୀ, ସିନ୍ଧୁସୁତା ପାଣିଗ୍ରାହୀ, କମଲ ଷାଣ୍ଢ, ଗୈାତମ ଖର୍ସେଲ, ହେମନ୍ତ ପାଣିଗ୍ରାହୀ, ହରିହର ବିଶ୍ୱାଲ, ଶମ୍ଭୁନାଥ କସନା, ସମ୍ପାରି ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.