ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କଲେ ଡିଏଫ୍ଓ

ଜବତ କାଠ ଓ ଟ୍ରାକ୍ଟର ଛାଡିବାକୁ ଲାଞ୍ଚ ମାଗିବା ମାମଲା

ବଲାଙ୍ଗିର/ପାଟଣାଗଡ:ବନ ବିଭାଗ ପକ୍ଷରୁ ଏକ ଜାଳେଣି କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିଲା। କିନ୍ତୁ ଟ୍ରାକ୍ଟରକୁ ଛାଡିବା ପାଇଁ ବନ ବିଭାଗର ବାବୁ ଓ କର୍ମଚାରୀ ଟଙ୍କା ମାଗିଥିଲେ। ବୁଝାମଣା ସୂତ୍ରରେ ଜାଳେଣି କାଠ ଓ ଟ୍ରାକ୍ଟର ଛଡ଼ାଇବା ପାଇଁ ଟଙ୍କା ବି ଦିଆଯାଇଥିଲା। ଏହି ମାମଲାରେ ଲାଞ୍ଚଦାତା ଓ ବନ ବିଭାଗର ଫରେଷ୍ଟର ତଥା ଫରେଷ୍ଟ ଗାର୍ଡଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ପ୍ରଘଟ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲା ବନ ଅଧିକାରୀ(ଡିଏଫ୍ଓ) ଆବଶ୍ୟକୀୟ ତଥ୍ୟ ପ୍ରମାଣକୁ ଆଧାର କରି ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏଭଳି ଘଟଣା ବଲାଙ୍ଗିର ଜିଲାର ପାଟଣାଗଡ ବନାଞ୍ଚଳ ଅନ୍ତର୍ଗତ ଲରମ୍ଭା ଫରେଷ୍ଟ ବନ ସେକ୍ସନରେ ଘଟିଛି। ନିଲମ୍ବନ ମାମଲା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଲରମ୍ଭା ଫରେଷ୍ଟ ସେକ୍ସନ ଅଧୀନରେ ଆସୁଥିବା ଭରତବାହାଲ ଗାଁର କରୁଣାକର ମିଶ୍ର କିଛି ଦିନ ତଳେ ନିଜ କ୍ଷେତରୁ ଟ୍ରାକ୍ଟର ଯୋଗେ ଜାଳେଣି କାଠ ଆଣୁଥିଲେ। ଲରମ୍ଭା ଫରେଷ୍ଟର ଭଗବତିଆ ଦାସ, ଫରେଷ୍ଟ ଗାର୍ଡ ଗୋପାଳ ଗଡତ୍ୟା ଓ ଅନ୍ୟମାନେ ଚଢାଉ କରି କାଠ ସହ ଟ୍ରାକ୍ଟର ଜବତ କରିଥିଲେ। କରୁଣାକରଙ୍କ ଅଭିଯୋଗ ଅନୁସାରେ, ଟ୍ରାକ୍ଟର ଓ କାଠ ଛାଡିବା ପାଇଁ ବନ ବିଭାଗ ବାବୁମାନେ ଦେଢ ଲକ୍ଷ ଟଙ୍କା ତାଙ୍କଠାରୁ ଦାବି କରିଥିଲେ। ଶେଷରେ ମୂଲଚାଲ ହୋଇଥିଲା। ଫରେଷ୍ଟର ଶ୍ରୀ ଦାସଙ୍କୁ ୨୦ହଜାର ଟଙ୍କା ଓ ଫରେଷ୍ଟ ଗାର୍ଡ ଶ୍ରୀ ଗଡତ୍ୟାଙ୍କୁ ୫ ହଜାର ଟଙ୍କା ଦେବାକୁ ବୁଝାମଣା ହୋଇଥିଲା। ସେହି ଅନୁସାରେ କରୁଣାକର ଟଙ୍କା ଦେଇଥିଲେ। ତେବେ ଫୋନ୍ ଯୋଗେ ରାଜକୁମାର ଫରେଷ୍ଟର ଶ୍ରୀ ଦାସ ଓ ଫରେଷ୍ଟ ଗାର୍ଡ ଶ୍ରୀ ଗଡତ୍ୟାଙ୍କ ସହ ହୋଇଥିବା ଫୋନ ବାର୍ତ୍ତାଳାପ ପ୍ରଘଟ ହୋଇଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ପାଟଣାଗଡ ବନାଞ୍ଚଳର ରେଞ୍ଜର ଦିଲୀପ ପ୍ରଧାନ ଏସଂପର୍କରେ ଜାଣି ନଥିବା କହିଥିଲେ। ଅଭିଯୋଗ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ। ଅଧିକାରୀ ଯାହା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମତ ଦେଇଥିଲେ।

ଇତିମଧ୍ୟରେ ବଲାଙ୍ଗିର ଜିଲା ବନ ଅଧିକାରୀ ନୀତିଶ କୁମାରଙ୍କ ପାଖରେ ଲାଞ୍ଚ ମାମଲା ପହଞ୍ଚିଥିଲା। ସେ ଲାଞ୍ଚ ସଂପର୍କିତ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ପାଇବା ପରେ ଲରମ୍ଭା ବନ ସେକ୍ସନର ଫରେଷ୍ଟର ଶ୍ରୀ ଦାସ ଓ ଫରେଷ୍ଟ ଗାର୍ଡ ଶ୍ରୀ ଗଡତ୍ୟାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ସିନେ୍ଧକେଲା ବନ ସେକ୍ସନରେ ମନରେଗା ଯୋଜନାରେ ବନିକରଣ ନାଁରେ କାମ କରିଥିବା ଶ୍ରମିକଙ୍କଠାରୁ ୧ଲକ୍ଷ ୩ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଗିରଫ କରିଥିଲା। ଶ୍ରୀ ସ୍ୱାଇଁ ଜେଲରେ ଥିବା ବେଳେ ତାଙ୍କୁ ମଧ୍ୟ ଜିଲା ବନ ଅଧିକାରୀ ଶ୍ରୀ କୁମାର ନିଲମ୍ବିତ କରିଛନ୍ତି। ଜିଲାରେ ବିଭିନ୍ନ ଛୋଟରୁ ବଡ କାମରେ ଲାଞ୍ଚ ନେବା ମାମଲା ବଢି ବଢି ଚାଲିଛି। ଅନେକ ମାମଲା ସର୍ବସାଧାରଣ ହେଉଛି। କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି। କିନ୍ତୁ ଲାଞ୍ଚୁଆଙ୍କ ମନୋବୃତ୍ତି ବଦଳୁ ନାହିଁ। ଓଲଟି ଲାଞ୍ଚ ନେବା ଏକ ଅଧିକାର ବୋଲି ମାନସିକତା ସୃଷ୍ଟି ହୋଇଥିବା ସାଧାରଣରେ ମତପ୍ରକାଶ ପାଉଛି।

Comments are closed.