ନ୍ୟାୟ ମାଗି ମାଗି ଥକିପଡୁଛି, ଇଚ୍ଛାମୃତ୍ୟୁ ପାଇଁ ଅତିରିକ୍ତ ଜିଲା ନ୍ୟାୟାଧିଶଙ୍କୁ ଗୁହାରି ଜଣାଇଲେ ଅମିତ ଜୈନ

ବଲାଙ୍ଗିର: ବହୁତ ହେଇଗଲା ମରି ମରି ବଞ୍ଚିବା। ବହୁତ ହେଇଗଲା କଷ୍ଟ ଯନ୍ତ୍ରଣାରେ ଜୀବନ ଜିଇଁବା। ଆଉ ଇଚ୍ଛା ନାହିଁ, ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବାକୁ। ଯେଉଁଠି ହକ୍ ପାଇଁ ଲଢି ଲଢି ମଣିଷଟିଏ ହାରି ଯାଉଛି। ନ୍ୟାୟ ମାଗି ମାଗି ଥକିପଡୁଛି। ସରକାରୀ ଦପ୍ତରକୁ ଦୌଡି ଦୌଡି, ପ୍ରଶାସନ ପାଖକୁ ଧାଇଁ ଧାଇଁ ପ୍ରାଣ ବାହାରି ଯାଉଛି। ଏତେ ସବୁ ପରେ ବି ପ୍ରଶାସନ ଶୁଣୁନି କି ହକ୍ ଫେରାଇ ଦେଉନି। କ୍ଷମତାଶାଳୀ ଲୋକଙ୍କ ସହ ଆଉ କେତେ ଲଢିବି? ଆଉ ପାରୁନି ମହାମହିମ। ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ନ୍ୟାୟ ତ ମିଳୁନି, ଏ ନିଶ୍ୱାସ ରହି ଲାଭ କ’ଣ? ମୁଁ ଇଚ୍ଛାମୃତ୍ୟୁ ଚାହୁଁଛି, ମୁଁ ଜୀବନ ହାରିବାକୁ ଚାହୁଁଛି। ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ କଣ୍ଟାବାଞ୍ଜିର ଦିବ୍ୟାଙ୍ଗ ଅମିତ ଜୈନ ଗତ ଏପ୍ରିଲ ମାସରେ ଏଭଳି ଭାବପୂର୍ଣ୍ଣ ପତ୍ର ଲେଖି ଚର୍ଚ୍ଚାକୁ ଆସିଥିଲେ। ଆଉ ସୋମବାର କଣ୍ଟାବାଞ୍ଜି ଅତିରିକ୍ତ ଜିଲା ନ୍ୟାୟାଧିଶଙ୍କ ନିକଟରେ ଦିବ୍ୟାଙ୍ଗ ଅମିତ ଓ ତାଙ୍କ ବଡ ଭାଇ ଉପସ୍ଥିତ ହୋଇ ସମସ୍ୟା ସଂପର୍କରେ ଜଣାଇଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ରଖିଛନ୍ତି।
କଣ୍ଟାବାଞ୍ଜି ସହରର ଦିବ୍ୟାଙ୍ଗ ଯୁବକ ଅମିତ ଜୈନ(୩୫)। କଣ୍ଟାବାଞ୍ଜି ସହରର ମୁଖ୍ୟ ରାସ୍ତାରେ ଏକ ଦୋକାନ କରି ବାପା ଘର ଚଳାଉଥିଲେ। ୨୦୦୯ ମସିହାରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଲେ ଅମିତ। ଡାହାଣ ହାତ ବି ଅଚଳ ହେଇଗଲା। ହ୍ୱିଲ୍ ଚେୟାର୍ରେ ସେ ବସି ରହୁଛନ୍ତି। ୨୦୧୧ରେ ବାପାଙ୍କର କର୍କଟ(କ୍ୟାନସର)ରେ ମୃତ୍ୟୁ ହୋଇଥିଲା। ବଡ ଭାଇ ଶାଲୁ ଜୈନ ବି ରକ୍ତ କର୍କଟରେ ପୀଡିତ। ଅମିତଙ୍କ ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଅମିତ ରାଷ୍ଟ୍ରପତିଙ୍କୁ ଲେଖିଥିବା ଇଚ୍ଛାମୃତ୍ୟୁ ପତ୍ରରେ ସେମାନଙ୍କୁ ସରକାରୀ ସ୍ତରରେ କୌଣସି ସହାୟତା ମିଳି ପାରୁନି। ତାଙ୍କର ଯେଉଁ ସମ୍ପତ୍ତ ଅଛି, ତାକୁ ବି ଦଖଲକୁ ନେଇ ପାରୁ ନାହାନ୍ତି। ଘରର ଆର୍ଥିକ ସ୍ଥିତି ଠିକ୍ ନାହିଁ। ବିକଳାଙ୍ଗ ହୋଇ ପଡି ରହିଛି। ବାପାଙ୍କ ମୃତ୍ୟୁ ପରେ ତାଙ୍କ ଦୋକାନ ମାଫିଆମାନେ ମାଡି ବସିଛନ୍ତି। ନିଜସ୍ୱ ଜମି ଥିଲେ ବି ସେଠାରେ ମୁଷ୍ଠିମେୟ ଲୋକେ ଘର କରିବାକୁ ଦେଉ ନାହାନ୍ତି। ଜମି ଓ ଦୋକାନ ଘର ସମସ୍ୟା ନେଇ ତହସିଲଦାରଙ୍କଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଯାଏ ପତ୍ର ଲେଖିଲେ। ତହସିଲଦାରଙ୍କୁ ଭେଟିଲେ। ୧୧ ବର୍ଷ ହେଲା ବିବାଦର ସମାଧାନ ହେଉନି। ପୁଲିସ ପାଖକୁ ଗଲେ କେହି ଶୁଣୁ ନାହାନ୍ତି। ପ୍ରଶାସନ ବି ଗୁରୁତ୍ୱ ଦେଉନି। ସରକାର, ପୁଲିସ ଓ ପ୍ରଶାସନଠାରୁ ନିରାଶ ହୋଇପଡିଥିବା ଇଚ୍ଛାମୃତ୍ୟୁ ପତ୍ରରେ ଦର୍ଶାଇଥିଲେ। ଗତ ଏପ୍ରିଲ ୨୧ ତାରିଖରେ ‘ସମାଜ’ରେ ଏନେଇ ଖବର ପ୍ରକାଶ ପାଇଥିଲା।

ଓଡ଼ିଶା ତାଲୁକ ଆଇନ ସେବା କମିଟି ନିର୍ଦ୍ଦେଶରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲା ନ୍ୟାୟାଧିଶ(ଏଡିଜେ) ହିମାଂଶୁ ମଲ୍ଲିକ ନ୍ୟାୟାଳୟକୁ ଆସି ଅଭିଯୋଗ ଜଣାଇବା ପାଇଁ ଦିବ୍ୟାଙ୍ଗ ଅମିତଙ୍କୁ ଚିଠି କରିଥିଲେ। ସେହି ଅନୁସାରେ ସୋମବାର ଅମିତଙ୍କୁ ହ୍ୱିଲ ଚେୟାର୍ରେ ବଡ ଭାଇ ଶାଲୁ ଜୈନ କଣ୍ଟାବାଞ୍ଜି ଏଡିଜେଙ୍କ ନ୍ୟାୟାଳୟରେ ପଞ୍ଚିଥିଲେ। ସେଠାରେ କଣ୍ଟାବାଞ୍ଜି ଥାନା ଅଧିକାରୀ ଓ କଣ୍ଟାବାଞ୍ଜି ଅତିରିକ୍ତ ତହସଲଦାର ଉପସ୍ଥିତ ଥିଲେ। ନ୍ୟାୟାଧିଶଙ୍କ ଆଗରେ ଅଭିଯୋଗର ସମସ୍ତ ଦସ୍ତାବେଜ ଦେଖାଇବା ସହ ନିଜ ପକ୍ଷ ରଖିଥିଲେ ଦିବ୍ୟାଙ୍ଗ ଅମିତ ଓ ବଡ ଭାଇ ଶାଲୁ। କ୍ଷତିପୂରଣ, ଜମି ଆଦି ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କୁ ନ୍ୟାୟ ମିଳିବ। ସମସ୍ୟାର ସମାଧାନ କରାଯିବ ବୋଲି ଏଡିଜେ ପ୍ରତିଶ୍ରୁତି ଦେଇଥିବା ଅମିତ କହିଛନ୍ତି।

Comments are closed.