ସୁକତେଲ ନଦୀଗର୍ଭରୁ ବିରଳ ଶିଳାଖଣ୍ଡ ଉଦ୍ଧାର ଘଟଣା, ସୋମବଂଶୀ ରାଜାଙ୍କ ନିର୍ମିତ ଶୈବପୀଠ ନଦୀ ଗର୍ଭରେ ଲିନ ହୋଇଥିବା ଐତିହାସିକଙ୍କ ମତ

ବିଶେଷଜ୍ଞଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ବିଧାୟକ

ବଲାଙ୍ଗିର: ପଶ୍ଚିମ ଓଡିଶାର ଇତିହାସ, ଐତିହ୍ୟ ବେଶ ସମୃଦ୍ଧ ରହିଆସିଛି। ପୁରାତନ କାଳରୁ ଏହି ଅଞ୍ଚଳ ବେଶ ପ୍ରତିପତ୍ତିଶାଳୀ ଥିବା ବେଳେ ଏହି ଅଞ୍ଚଳର ମାଟି ଭିତରେ ବହୁ ପୁରାତନ ସଂସ୍କୃତି ଓ ଐତିହ୍ୟ ପୋତି ହୋଇରହିଥିବା ବିଭିନ୍ନ ଘଟଣାରୁ ଜଣାପଡେ। କିଛି ଦିନ ତଲେ ପଶ୍ଚିମଓଡିଶାର ନୂଆପଡା ଅଞ୍ଚଳର ଏକ ଜଙ୍ଗଳରୁ ମାଟିତଳେ ସୁନାମୁତ୍ତି ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଠିକ ସେହିଭଳି ପ୍ରାୟ ୧୫ ଦିନ ତଳେ ଜିଲାର ଲୋଇସିଂହା ଓ ପୁଇଁନ୍ତଲା ବ୍ଲକ ସୀମାବର୍ତ୍ତି ସୁକତେଲ ନଦୀ ମୁହାଣରୁ ହଠାତ ବହୁ ପରିମାଣର ପୁରାତନ ବିରଳ ପଥର ଖଣ୍ଡ ଉଦ୍ଧାର ହୋଇଥିଲା। ତେବେ ଏହାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିବା ବେଳେ ନଦୀ ଭିତରେ ପୁରୁଣା ମନ୍ଦିର ପୋତି ହୋଇଥାଇପାରେ ବୋଲି ଲୋକେ କହିଛନ୍ତି। ପର୍ଯ୍ୟୟକ୍ରମେ ବିଧାୟକ, ଜିଲା ସଂସ୍କୃତି ଅଧିକାରୀ ଉଦ୍ଧାର ସ୍ଥଳ ବୁଲିଦେଖିଥିବା ବେଳେ ଏହାକୁ ସରକାରୀ ସ୍ତରରେ ଉଦ୍ଧାର କରାଯିବା କିମ୍ବା ଏହାକୁ ସୁରକ୍ଷା ପ୍ରଦାନ, ଗବେଷଣା ଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏମିତିରେ ଏହି ପଥର ଉଦ୍ଧାର ଘଟଣାର ଗବେଷଣା କରିବା ସହିତ ଏହାକୁ ସୁରକ୍ଷା ପ୍ରଦାନ ପାଇଁ ଲୋଇସିଂହା ବିଧାୟକ ଚିଠି ଲେଖିଛନ୍ତି।

ବଲାଙ୍ଗିର ଜିଲା ଦେଇ ପ୍ରବାହିତ ହୋଇଛି ସୁକତେଲ ନଦୀ। ସୁକତେଲ ଫାସଡ ଦେଇ ଲୋଇସିଂହା ବ୍ଲକ ଗୋପାଳପୁର, ଛେଳବାହାଲ ଦେଇ ବହିଯାଇଛି। ପୂର୍ବରୁ ସୁକତଲେ ନଦୀର ପ୍ରବାହ ଦିଗ ଅନ୍ୟତ୍ର ରହିଥିବା ବେଳେ କାଳକ୍ରମେ ଏହାର କୂଲଖାଇ ଛେଳବାହାଲ ମୁହାଣକୁ ସ୍ପର୍ହ କରିଥିବା ଜଣାଯାଏ। ଗତ କିଛି ଦିନ ତଲେ ଏହି ମୁହାଣକୁ ଲାଗି କିଛି ଶିଳାଖଣ୍ଡ ଲୋକେ ଉଦ୍ଧାର କରିଥିଲେ। ଏହି ଶିଳାଖଣ୍ଡ ଅତ୍ୟନ୍ତ ପୁରୁଣା ମନ୍ଦିରର ଭଗ୍ନାବଶେଷ ବୋଲି ଆଲୋଚନା ହୋଇଥିଲା। ପ୍ରାୟତଃ ଏହି ଅଞ୍ଚଳରେ ମାଙ୍କଡା ପଥରର ସେତେଟା ପ୍ରଚଳନ ନଥିବା ବେଳେ ଏହି ମାଟିତଳୁ ବହୁ ପରିମାଣର ମାଙ୍କଡା ପଥର ଓ ମନ୍ଦିର ଭଳି କାରୁକାର୍ଯ୍ୟ ହୋଇଥିବା ବଡ ବଡ ପଥର ଉଦ୍ଧାର ହୋଇସାରିଛି। ମାଟିତଳେ ଆହୁରି ଶିଳାଖଣ୍ଡ ରହିଥିବା ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଏହା କୈାଣସି ପୁରୁଣା ମନ୍ଦିରର ହୋଇଥାଇପାରେ ବୋଲି ଲୋକେ କହୁଥିବା ବେଳେ ଏହି ଶିଳାକୁ ଲୋକେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଛନ୍ତି। ଶନିବାର ଘଟଣା ସାମ୍ନାକୁ ଆସିବା ପରେ ଜିଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ ଉଦ୍ଧାରସ୍ଥଳର ପରିଦର୍ଶନ କରିଥିଲେ। ତାଙ୍କ କହିବା ଅନୁସାରେ ସେ ଏହି ଘଟଣା ବିଷୟରେ ଅନ୍ୟ ଐତିହାସିକ ଓ ପ୍ରତ୍ନତତ୍ୱ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ। ଐତିହାସିକ ଶିବ ପ୍ରସାଦ ନନ୍ଦଙ୍କ କହିବା ଅନୁସାରେ ନିହାତି ଭାବେ ମାଟି ଭିତରେ କୈାଣସି ମନ୍ଦିର ଥାଇପାରେ। କାଳକ୍ରମେ ସୁକତେଲ ନଦୀର ପ୍ରବାହ ଦିଗ ପରିବର୍ତ୍ତନ ହୋଇଛି। ନଦୀକଡରେ ଥିବା କୈାଣସି ମନ୍ଦିର ନଦୀ ଭିତରେ ପୋତିହୋଇରହିଥିବାର ଯଥେଷ୍ଟ ସମ୍ଭାବନା ରହିଛି। ଶିଳା କାରୁକାର୍ଯ୍ୟକୁ ନୀରିକ୍ଷଣ କଲେ ଏହା ୯ଶହ ଖ୍ରୀଷ୍ଟାବ୍ଦ ରୁ ୧୧ଶହ ଖ୍ରୀଷ୍ଟାବ୍ଦର ହୋଇଥିବ ବୋଲି ଐତିହାସିକ ଶ୍ରୀ ନନ୍ଦ ଆକଳନ କରିଥିବା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି। ଏହି ସମୟରେ ସୋମବଂଶ ରାଜା ମାନଙ୍କ ରାଜତ୍ୱ ରହିଥିବା ବେଳେ ଏହି ରାଜା ମାନେ ଶିବ ଉପାସନା କରୁଥିବାରୁ ଏହା ଶୈବପୀଠ ହୋଇଥାଇପାରେ ବୋଲି ଆକଳନ କରାଯାଉଛି। ସେହିପରି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ରବିବାର ଏହି ଉଦ୍ଧାରସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ଉଦ୍ଧାର ହୋଇଥିବା ଶିଳାଖଣ୍ଡ ଓ ଉଦ୍ଧାରସ୍ଥଳକୁ ଏକ ବିଶେଷଜ୍ଞ ଦଳ ଦ୍ୱାରା ଗବେଷଣା କରିବା ସହିତ ଆବଶ୍ୟକସ୍ଥଳେ ଖନନ କରି ଏହାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସେ ଚିଠି ମାଧ୍ୟମରେ ରାଜ୍ୟ ଓଡିଆ ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ବିଶେଷଜ୍ଞ ମାନେ ଏହାର ଗବେଷଣା କରିବା ପାଇଁ ଶ୍ରୀ ମହାଲିଙ୍ଗ ଉଭୟ ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ମାନଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ଦାବୀ କରିଛନ୍ତି।

ଅନ୍ୟପକ୍ଷରେ ଗତ କିଛି ଦିନ ହେଲା ଏହି ଉଦ୍ଧାରସ୍ଥଳରେ ଲୋକଙ୍କ ଭିଡ ଜମିବାରେ ଲାଗିଥିବା ବେଳେ ଏହାର ଗବେଷଣା ପାଇଁ ସମସ୍ତେ ଦାବି କରୁଛନ୍ତି। ଅନେକ ଅନ୍ଧବିଶ୍ୱାସ ପୂରାଇବା ପାଇଁ ଉଦ୍ୟମ ଚଲାଇଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ସରକାର ସ୍ପଷ୍ଟ କରିବା ପାଇଁ ଦାବି କରିଛନ୍ତି।

Comments are closed.