ନାବାଳିକାକୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ହତ୍ୟା ମାମଲା, ୭ ବର୍ଷ ପରେ ପୁଲିସ ଜାରି କଲା ସନ୍ଦିଗ୍ଧଙ୍କ ଫଟୋ ଚିତ୍ର

ଅଭିଯୁକ୍ତଙ୍କୁ ଚିହ୍ନାଇ ଦେଲେ ମିଳିବ ୨୦ହଜାର ଟଙ୍କା ପୁରସ୍କାର

ବଲାଙ୍ଗିର: ସଇଁନ୍ତଲା ଥାନା ବରଗାଁ-ଡଙ୍ଗରମୁଣ୍ଡା ରାସ୍ତାର ଚାଷ ଜମିରୁ ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ୨୦୧୫ ଜୁଲାଇ ମାସରେ ଜବତ କରିଥିଲା ସଇଁନ୍ତଲା ପୁଲିସ। ବିଭିନ୍ନ ଦିଗରୁ ମାମଲାକୁ ଛାନବିନ ଚଳାଇଥିଲା। ସେତେବେଳେ କେସିଙ୍ଗାରୁ କେତେଜଣଙ୍କୁ ଆଣି ପଚରା ଉଚୁରା କରାଯାଇଥିଲା। ତତ୍କାଳୀନ ଏସପି ଡା.ଦୀପକ କୁମାର ମାମଲାକୁ ବେଶ ଗୁରୁତ୍ୱ ଦେଇ ତଦନ୍ତ କରିଥିଲେ ବି ପୁଲିସର ହାତ ଖାଲି ରହିଥିଲା। ସନ୍ଦିଗ୍ଧ ଅଭିଯୁକ୍ତମାନେ ଘଟଣା ଦିନ ରାତି ୧୧ଟା ୪୭ ସମୟରେ ମହଗାଁ ପେଟ୍ରୋଲ ପମ୍ପରୁ ପାଣି ବୋତଲରେ ପେଟ୍ରୋଲ ନେଇ ନାବାଳିକାଙ୍କ ଉପରେ ଢାଳି ପ୍ରମାଣ ନଷ୍ଟ ପାଇଁ ପୋଡି ଦେଇଥିବା ସନ୍ଦେହ କରାଯାଇଥିଲା। ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ବ୍ୟବଚ୍ଛେଦରୁ ସ୍ପଷ୍ଟ ହୋଇଥିଲା। ସେତେବେଳେ ମହଗାଁ ପେଟ୍ରୋଲ ପମ୍ପରୁ ସନ୍ଦିଗ୍ଧଙ୍କ ସିସି ଟିଭି ଫଟୋ ମଧ୍ୟ ଆଣିଥିଲା ପୁଲିସ। ହେଲେ ସିସି ଟିଭି ଫଟୋରେ ମୁହଁ ସ୍ପଷ୍ଟ ଆସୁ ନଥିବାରୁ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଥିଲା।

 

ସେହିପରି କୌଣସି ନାବାଳିକା ନିଖୋଜ ନେଇ ନିକଟସ୍ଥ ଜିଲା ତଥା ଛତିଶଗଡରେ ରିପୋର୍ଟ ହୋଇଛି କି ବୋଲି ଖୋଳତାଡ କରାଯାଇଥିଲା। ସେଭଳି ନିଖୋଜ ତଥ୍ୟ ବି ହାତେଇପାରି ନଥିଲା ବଲାଙ୍ଗିର ପୁଲିସ। ତେବେ ଉତ୍ତରାଞ୍ଚଳ ଡିଆଇଜି ଭାବେ ଡା.କୁମାର ଯୋଗ ଦେବା ପରେ ପୁଣି ସେହି ନାବାଳିକା ହତ୍ୟା ମାମଲା ନେଇ ଗୁରୁତ୍ୱ ଦେଇଛନ୍ତି। ମାମଲା ଅନ୍ଧାରରେ ରହିଯାଇଥିବାରୁ ତଦନ୍ତକୁ ଜୋରଦାର କରିବାକୁ ଉଦ୍ୟମ କରିଥିଲେ। ଯେମିତି ହେଲେ ବି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସବୁପ୍ରକାର ପୁଲିସ କୌଶଳ ପ୍ରୟୋଗ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଦୀର୍ଘ ୭ ବର୍ଷ ପରେ ଏହି ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ଚିତ୍ର ଜାରି କରିଛି ବଲାଙ୍ଗିର ଜିଲା ପୁଲିସ। ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ଚିହ୍ନଟକାରୀଙ୍କ ପରିଚୟ ଗୋପନ ରଖାଯିବା ସହ ତାଙ୍କୁ ୨୦ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର କହିଛନ୍ତି।

Comments are closed.