‘ଲଳିତ ନାୟକ ସ୍ମୃତି ସପ୍ତାହ’ ଉଦଘାଟିତ

ବଲାଙ୍ଗିର: ଲଲିତା ନାୟକ କେବଳ ଶ୍ରମିକ, ଖଟିଖିଆ ଲୋକଙ୍କ ପାଇଁ କାମ କରୁ ନଥିଲେ। ସେ ଅସହାୟ ଓ ଅପରିଚିତଙ୍କ ପାଇଁ ସହାୟତାର ହାତ ବଢାଉଥିଲେ। ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ। ଆର୍ଥିକ ହେଉକି ରୋଗାଗ୍ରସ୍ତ ନହେଲେ ମୃତ ବ୍ୟକ୍ତିଙ୍କୁ କେମିତି ସହଯୋଗ ମିଳିପାରିବ ସେଥିପାଇଁ ନିରନ୍ତର ଉଦ୍ୟମ କରୁଥିଲେ। ଚିହ୍ନା ଲୋକ ଯେତେବେଳେ ମୁହଁ ମୋଡି ପଳାଉଥିଲେ ସେତେବେଳେ ଅନେକଙ୍କ ସହାଭରସା ସାଜୁଥିଲେ ଲଳିତ ନାୟକ। ତାଙ୍କ ସେବା ମନୋଭାବକୁ ଆଗକୁ ବଢାଇ ନେବା ସହ ତାଙ୍କ ଅଧୁରା କାର୍ଯ୍ୟକୁ ପୂରଣ କରିବା ପାଇଁ ଆଗକୁ ମଧ୍ୟ ପ୍ରୟାସ ହେଉ। ସମାଜସେବା କ୍ଷେତ୍ରରେ ବେଶ ଜଣାଶୁଣା ନାଁ ସ୍ୱର୍ଗତ ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି(ମଙ୍ଗଳବାର)ରୁ ୧୮ତାରିଖ ଯାଏ ଆୟୋଜିତ ‘ଲଳିତ ନାୟକ ସ୍ମୃତି ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଷ ସିଂ ଯୋଗଦେଇ ଏହା କହିଛନ୍ତି।
ସ୍ଥାନୀୟ ସାମ୍ବାଦିକ ଭବନରେ ଲଳିତ ନାୟକ ସ୍ମୃତି କମିଟି ଓ ଲଳିତ ନାୟକ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ପ୍ରଭାସ କୁମାର ପାଣିଗ୍ରାହୀ। କାର୍ଯ୍ୟକ୍ରମରେ ସଂପାଦକ ପ୍ରଭାକର ମିଶ୍ର, ସଂପାଦକ(ଆର୍ଥିକ) ଆଡଭୋକେଟ ରତନ ମହାରଣା, ପରାମର୍ଶଦାତା ପଦ୍ମଚରଣ ଆଚାର୍ଯ୍ୟ, ଲଳିତ ନାୟକ ଫାଉଣ୍ଡେସନର ଅଧ୍ୟକ୍ଷ ଦୀପକ ରଞ୍ଜନ ନାୟକ ମଞ୍ଚାସୀନ ଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ସଂପାଦକ ପ୍ରଭାକର ମିଶ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବୀରେନ୍ଦ୍ର ଝାଙ୍କର।
ଏହି ଅବସରରେ ସାମ୍ବାଦିକ ଭବନ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ସାଂସଦ ଶ୍ରୀ ସିଂ ଶିବିରକୁ ଶୁଭାରମ୍ଭ କରିଥିଲେ। ବହୁ ଲଳିତ ପ୍ରେମୀ ଓ ଶୁଭେଚ୍ଛୁ ସ୍ୱର୍ଗତ ନାୟକଙ୍କ ସ୍ମରଣରେ ରକ୍ତଦାନ କରିଥିଲେ। ଏଥିସହିତ ଭୀମ ଭୋଇ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ ବି କରାଯାଇଥିଲା।

Comments are closed.