ମହାନଦୀ ନୁହେଁ, ତେଲ ଭରସାରେ ବଲାଙ୍ଗିର

ବଲାଙ୍ଗିର:ବଲାଙ୍ଗିର ସହରବାସୀ ପିଇବା ପାଣି ପାଇଁ ମହାନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ଏଇ କିଛି ବର୍ଷ ହେଲା ସୋନପୁର ଜିଲା ନନ୍ଦନମାଲ ନୁହେଁ, ତରଭା ବୁଦେଲମୁଣ୍ଡାରୁ ବଲାଙ୍ଗିର ସହରକୁ ଜଳଯୋଗାଣ ହେଉଛି। ପୂର୍ବରୁ ପାନୀୟ ଜଳ ସଂକଟ ଦେଖା ଦେଉଥିଲା। ଏବେ ସେଭଳି ସମସ୍ୟା ନାହିଁ ବୋଲି ଯୁକ୍ତି ହେଉଥିଲେ ବି ସହରରେ ଅନେକ ପଡ଼ାବାସୀ ପାଣି ଯୋଗାଇ ଦେବାକୁ ଦାବି କରୁଛନ୍ତି।
କିଛି ଦିନ ତଳେ ବରପାଲିପଡ଼ା ଅଞ୍ଚଳର ମହିଳାମାନେ ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ନିର୍ବାହୀ ଯନ୍ତ୍ରୀଙ୍କୁ ବରପାଲିପଡ଼ା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଇଥିଲେ। ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ବଲାଙ୍ଗିର ସହରରେ ଅନେକ ଅଞ୍ଚଳ ଏବେ ବି ପାଣି ମୁନ୍ଦାଏ ପାଇବାକୁ ଡହଳ ବିକଳ ହେଉଛନ୍ତି ଲୋକେ। ଜଳ କଷ୍ଟ ଆରମ୍ଭ ହେବା ପୂର୍ବରୁ ସଦର ବିଧାୟକ ପାନୀୟ ଜଳ ସମସ୍ୟା ନେଇ ସମୀକ୍ଷା କରିବା ସହ ଯଥେଷ୍ଟ ପରିମାଣର ଟେଙ୍କର ଓ ପଡ଼ା ପଡ଼ାରେ ଲୋକଙ୍କୁ ପାଣି ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ। କିଛିମାତ୍ରାରେ ପାନୀୟ ଜଳ ସମସ୍ୟା ଦୂର କରାଯାଇଥିଲେ ବି କିଛି ପଡ଼ାରେ ଏବେ ବି ପାଣି ଠିକ୍ ସମୟରେ ଯୋଗାଣ ହେଉ ନଥିବା ଅଭିଯୋଗ ହୁଏ।
ବଲାଙ୍ଗୀର ସହରବାସୀ ପୂର୍ବରୁ ସୋନପୁର ଜିଲା ନନ୍ଦନମାଲରୁ ମହାନଦୀ ପାଣି ପିଉଥିଲେ।

 

୫୦ କିଲୋମିଟର ଦୂରରୁ ଜଳଯୋଗାଣ ହେଉଥିବା ବେଳେ ବିଭିନ୍ନ ସମସ୍ୟା ଦେଖା ଦେଉଥିଲା। ପାଇପ୍ ଫଟାଇ ଲୋକେ ଚାଷ କରୁଥିବା ବେଳେ ଏହାକୁ ରୋକିବା କଷ୍ଟକର ହୋଇପଡୁଥିଲା। ତେବେ ଅତ୍ୟାଧୁନିକ ପାଇପ୍ ସଂଯୋଗ କରି ବର୍ତ୍ତମାନ ସୋନପୁର ଜିଲା ତରଭା ବୁଦେଲମୁଣ୍ଡାରୁ ଜଳ ଯୋଗାଣ ହେଉଛି। ବଲାଙ୍ଗିର ସହରବାସୀଙ୍କ ପାଇଁ ୧୬.୭୬ ଏମ୍ଏଲ୍‌ଡି ପାଣି ଆବଶ୍ୟକ ହେଉଛି। କିନ୍ତୁ ୧୪ ଏମ୍ଏଲ୍‌ଡି ପାଣି ବୁଦେଲମୁଣ୍ଡାରୁ ଯୋଗାଣ ହେଉଛି। ସେହିପରି ଟାଙ୍କର ଜରିଆରେ ବି ପାଣି ଯୋଗାଣ ହେଉଛି। ତେବେ ସମସ୍ୟା ତୁଟିବାର ନାଁ ନେଉ ନାହିଁ। ମେଘା ଇଞ୍ଜିନିୟରିଂ ପକ୍ଷରୁ ୫୫ କୋଟି ବ୍ୟୟ ଅଟକଳରେ ତରଭା ବୁଦେଲମୁଣ୍ଡାରୁ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ହେଲା ଏହି ଲାଇନ୍ରେ ପାଣି ଯୋଗାଣ ହେଉଥିବା ବେଳେ ନନ୍ଦନମାଲ ପ୍ରକଳ୍ପ ବନ୍ଦ ରହିଛି। ପୁରୁଣା ପାଇପ୍ ଲାଇନ ଯୋଗୁଁ ଓ ଅନେକ ସମସ୍ୟା କାରଣରୁ ଏହା ସାମୟିକ ଭାବେ ବନ୍ଦ ରହିଛି। ଅନେକ ଲୋକ ଆକଳନ କରୁଥିଲେ ଯେ, ଉଭୟ ନନ୍ଦନମାଲ ଓ ବୁଦେଲମୁଣ୍ଡାରୁ ବଲାଙ୍ଗିର ସହରରକୁ ଜଳଯୋଗାଣ ହେବ। ଲୋକଙ୍କ ଆବଶ୍ୟକତାଠାରୁ ଅଧିକ ପାନୀୟ ଜଳ ଯୋଗାଣ ହୋଇପାରିବ। କିନ୍ତୁ ବିଭାଗୀୟ ସୂଚନା ଅନୁସାରେ ସେଭଳି ହେବ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ଖରା ଦିନ ଯୋଗୁଁ ନଳକୂଅ, କୂଅ ଶୁଖିଯାଇଛି। ତେଣୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ଉପରେ ଅଧିକ ଲୋକ ନିର୍ଭରଶୀଳ। ତେବେ ସପ୍ତାହକୁ ୨ ଦିନ ବ୍ୟବଧାନରେ ପଡା ପଡାକୁ ପାଣି ଯୋଗାଇ ଦିଆଯାଉଥିବା ଜଣାପଡିଛି। ସେହିପରି ଟିଟିଲାଗଡରେ ବେଆଇନ୍ ମଟର ଲଗାଇ ଜନସ୍ୱାସ୍ଥ୍ୟ ବିଭାଗର ପାଣି ଚୋରି କରାଯାଉଥିବା ବେଳେ ବଲାଙ୍ଗିର ସହରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।

Comments are closed.