ବଲାଙ୍ଗିରରେ ଅମ୍ଳଜାନ ଅଭାବ ନେଇ ଆତଙ୍କ: ଶଯ୍ୟା ଅଭାବ, ଚୌକିରେ ଚାଲିଛି ଚିକିତ୍ସା

ରାତି ଅଧରେ ଆସି ସ୍ଥିତି ପରିଖିଲେ ଜିଲାପାଳ, ସଂକ୍ରମିତଙ୍କୁ ଗଚ୍ଛିତ ଅମ୍ଳଜାନ ଦେବାକୁ ନିର୍ଦେଶ

ବଲାଙ୍ଗିର:ରବିବାର ରାତି ୧ଟା ୫୦। ମୋବାଇଲ୍ ବାଜି ଉଠିଥିଲା। ଆଜ୍ଞା କିଛି କରନ୍ତୁ….ଭୀମ ଭୋଇ ଡାକ୍ତରଖାନା ସ୍ଥିତ କୋଭିଡ ପୃଥକୀକରଣ କେନ୍ଦ୍ର(ଆଇସୋଲେସନ୍ ସେଣ୍ଟର)ରେ ଅମ୍ଳଜାନ ସରି ଗଲାଣି। ରୋଗୀମାନେ ଡହଳ ବିକଳ ହେଉଛନ୍ତି। କେନ୍ଦ୍ରରେ ଥିବା ଡାକ୍ତର ଓ ଅନ୍ୟମାନେ ଅସହାୟ। ଗଚ୍ଛିତ ଅମ୍ଳଜାନ ସରି ଯାଇଥିବା କହୁଛନ୍ତି। ଏମିତି ହେଲେ ସଂକ୍ରମିତମାନେ ଅମ୍ଳଜାନ ନପାଇ ଛଟପଟ ହେଇ ମରିଯିବେ। ଏଭଳି ସମ୍ବେଦନଶୀଳ ଖବର ବିବ୍ରତ କରିବା ସ୍ୱାଭାବିକ। ଯେଉଁଠି ଆମ ରାଜ୍ୟ ଓଡ଼ିଶା ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟକୁ ବିମାନ ଯୋଗେ ଅମ୍ଳଜାନ ପଠାଉଛି; ବଲାଙ୍ଗିରରେ ଅମ୍ଳଜାନ ଅଭାବ କେମିତି ପ୍ରଶ୍ନ ଉଠିବା ସ୍ୱାଭାବିକ।
ରବିବାର ରାତିରେ ହିଁ ଭୀମ ଭୋଇ ଡାକ୍ତରଖାନା ସ୍ଥିତ କୋଭିଡ ପୃଥକୀକରଣ କେନ୍ଦ୍ରକୁ ଯାଇ ଅମ୍ଳଜାନ ସ୍ଥିତି ବୁଝିବା ବେଳେ ସେମାନେ ବି ଅସହାୟ ହୋଇ ପଡିଥିଲେ। ଖାମଖିଆଲି ଢଙ୍ଗରେ ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ ଯେ, ଦିଲ୍ଲୀ, ତାଲିମନାଡୁ, ମହାରାଷ୍ଟ୍ର ଭଳି ରାଜ୍ୟରେ ଅମ୍ଳଜାନ ମିଳୁନି। ବରଗଡ, ବୁର୍ଲା କେଉଁଠି ବି ଅମ୍ଳଜାନ ନାହିଁ। ଅଭାବ ଦେଖା ଦେଲାଣି। ରାତିରେ ପବନ ହେଉଛି। ଝରକା ଖୋଲା ଅଛି। ନିଶ୍ୱାସ ନେବାରେ କଷ୍ଟ ହେବ ନାହିଁ। ଚଳିଯିବ ବୋଲି ବୁଝାଇଥିଲେ। ଅନ୍ୟପଟେ ପୃଥକୀକରଣ କେନ୍ଦ୍ର(ଆଇସୋଲେସନ୍) କେନ୍ଦ୍ର ବାହାରେ ଜଣଙ୍କୁ ଚୌକିରେ ବସାଇ ଅମ୍ଳଜାନ ଦିଆଯାଉଥିଲା। ଶଯ୍ୟା ନଥିବାରୁ ଏଭଳି କରାଯାଇଥିବା ଜଣାପଡିଥିଲା। ଅନ୍ୟପଟେ ସଂକ୍ରମିତଙ୍କ ସଂପର୍କୀୟମାନେ ବେଶ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ। ଯେମିତି ହେଲେ ବ୍ୟବସ୍ଥା କରି ସେମାନଙ୍କ ସଂକ୍ରମିତଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ନେହୁରା ହେଉଥିଲେ। ଅନ୍ୟ ଉପାୟ ନପାଇ ଭୀମଭୋଇ ଡାକ୍ତରଖାନାର ଅଧୀକ୍ଷକ ଡା.ମହେନ୍ଦ୍ର ନାୟକଙ୍କୁ ରାତି ୨ଟା ୧୦ରେ ଫୋନ୍ରେ ଯୋଗାଯୋଗ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ।

ଏହାପରେ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇଥିଲେ। ଅମ୍ଳଜାନ ସମସ୍ୟା ସଂପର୍କରେ ଅବଗତ କରିବାରୁ ସେ କହିଥିଲେ ଯେ, କଳାହାଣ୍ଡି ଜିଲା କେସିଙ୍ଗାରୁ ୨ଟି ଗାଡିରେ ଅମ୍ଳଜାନ ବଲାଙ୍ଗିର ଆସିବାର ଥିଲା। ରାଉରକେଲାକୁ ଗୋଟିଏ ଗାଡି ଯିବାର ଥିଲା। ତେଣୁ ରାଉରକେଲା ଅମ୍ଳଜାନ ଗାଡିକୁ ପ୍ରଥମେ ଛାଡିବା ପରେ ବଲାଙ୍ଗିରକୁ ଅମ୍ଳଜାନ ପଠାଯିବ। ତଥାପି କ’ଣ ସ୍ଥିତି ଅଛି ଅନୁଧ୍ୟାନ କରୁଛି କହିଥିଲେ ଜିଲାପାଳ ଶ୍ରୀ ରାଣା। ଆଉ ରାତି ଅଢେଇଟା ବେଳକୁ ଅମ୍ଳଜାନ ସଂରକ୍ଷଣ ଗୃହ ନିକଟରେ ଜିଲାପାଳ ଶ୍ରୀ ରାଣା ପହଞ୍ଚି ଯାଇଥିଲେ। ସେଠାରେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ୍ଓ) ଭୀମ ସାହୁ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ। ସଂରକ୍ଷିତ ଗୃହରେ ଯେତିକି ପରିମାଣର ଅମ୍ଳଜାନ ରହିଛି ତାକୁ ଦେବା ପାଇଁ ନିର୍ଦେଶ ଦେଇଥିଲେ ଜିଲାପାଳ ଶ୍ରୀ ରାଣା। ଏଥିସହିତ ଟିଟିଲାଗଡ କୋଭିଡ ସେବା କେନ୍ଦ୍ର(ସିସିସି)କୁ ଦିଆଯାଇଥିବା ୨୦ଟି ଅମ୍ଳଜାନ୍ ସିଲିଣ୍ଡରରୁ ୧୫ଟି, ଲର୍କିପାଲି କୋଭିଡ ସେବା କେନ୍ଦ୍ରକୁ ଦିଆଯାଇଥିବା ୫ଟିରୁ କିଛି ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆଣିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ଅମ୍ଳଜାନ ସଂରକ୍ଷଣ କେନ୍ଦ୍ରରେ ହିଁ ଜିଲାପାଳ ଅନ୍ୟ ଅଧିକାରୀମାନଙ୍କୁ ଡାକି ପରିସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ।
ମିଳିଥିବା ତଥ୍ୟ ଅନୁସାରେ, ଭୀମ ଭୋଇ ପୃଥକୀକରଣ କେନ୍ଦ୍ର(ଆଇସୋଲେସନ୍ ସେଣ୍ଟର)ରେ ଆବଶ୍ୟକ ଶଯ୍ୟାରୁ ୨ଗୁଣାରୁ ଅଧିକ ସଂକ୍ରମିତ ଥିବାରୁ ସେମାନଙ୍କୁ ଗୋଟିଏ ଶଯ୍ୟାରେ ୨ ଜଣ ସଂକ୍ରମିତଙ୍କୁ ରଖାଯାଇଥିବା ସଂକ୍ରମିତଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ରାତି ସାରା ବାଲି ଗଦା ଉପରେ ସଂକ୍ରମିତଙ୍କ ସଂପର୍କୀୟମାନେ ଜଗି ରହିବା ସହ କାଳେ କିଛି ଅଘଟଣ ହେବ ସେଥିପାଇଁ ଆତଙ୍କିତ ବି ହେଉଛନ୍ତି। କିନ୍ତୁ ଅନେକ ସମସ୍ୟା ଭିତରେ ବି ସଂକ୍ରମିତଙ୍କୁ ସେବା ଦେବା ସହ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରୟାସ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଜାରି ରଖିଥିବା ଜଣେ ଡାକ୍ତରଖାନା ଅଧିକାରୀ ମତ ଦେଇଛନ୍ତି।

Comments are closed.