କରୋନା ସଙ୍କଟରେ ମଧ୍ୟାହ୍ନ ଭୋଜନ ଚାଉଳ ହଡପ; କାଗଜପତ୍ରରେ ସବୁଠିକ, ବାସ୍ତବିକ ଚିତ୍ର ଭିନ୍ନ

ପଞ୍ଚାୟତରେ ବଳକା ଚାଉଳରେ ଚାଲିଛି ହେରାଫେରି

ବଲାଙ୍ଗିର: ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା କିଛି ନୁଆ କଥା ନୁହଁ। ବିଭିନ୍ନ ଉପାୟରେ ଅସାଧୁ ସରକାରୀ କର୍ମଚାରୀ, ବ୍ୟବସାୟୀ ମାନେ ଶିଶୁ ମାନଙ୍କ ଚାଉଳ ହଡପ କରୁଥିବା ନେଇ ଅଭିଯୋଗ ହୋଇଥାଏ। କିନ୍ତୁ କରୋନା ମହାମାରୀ ସମୟରେ କିପରି ଶିଶୁ ମାନଙ୍କ ଘରେ ଚାଉଳ ପହଞ୍ଚିବ ସେନେଇ ରାଜ୍ୟ ସରକାର ରୂପରେଖ ତିଆରି କରିଥିଲେ। କିନ୍ତୁ ଏହି ରୂପରେଖ ପୁଣି ସେହି ବ୍ୟବସାୟୀ ଓ କର୍ମଚାରୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଥିବା ବେଳେ କାଗଜପତ୍ରରେ ସବୁ ଠିକ ଦର୍ଶାଇ ଭିତରେ ଏହି ଶିଶୁ ମାନଙ୍କ ଚାଉଳ ହଡପ କରୁଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲାର ଛୋଟ ଛୋଟ ଗାଁ ମାନଙ୍କରେ ଏନେଇ ଅଭିଯୋଗ ହେବା ଆରମ୍ଭ ହୋଇଥିବା ବେଳେ ଆଗକୁ ଅଭିଯୋଗ ତାଳିକା ଲମ୍ବା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବଲାଙ୍ଗିର ଜିଲାରେ ମଧ୍ୟାହ୍ନ ଭୋଜନରେ ଅନେକ ଉପାୟରେ ଅନିୟମିତତା କରାଯାଇଥାଏ। ପରିବହନ ଏଜେଣ୍ଟ ଠାରୁ ଆରମ୍ଭ କରି ସ୍କୁଳ ଦାୟିତ୍ୱରେ ଥିବା ଶିକ୍ଷକ ମାନେ ଏହି କାରବାରରେ ସଂପୃକ୍ତ ରହୁଥିବା ଅଭିଯୋଗ ହେଉଥିବା ବେଳେ ଅନେକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। କିନ୍ତୁ କରୋନା ଭଳି ଏକ ସଙ୍କଟ ସମୟରେ ଛାତ୍ରଛାତ୍ରୀ ମାନଙ୍କ ଚାଉଳ ହଡପ ଘଟଣା ଏକ ନିନ୍ଦନୀୟ ବିଷୟ। ତଥାପି ଜିଲାରେ ଏହି କାରବାର ଚରମସୀମାରେ ପହଞ୍ଚିଛି। ସୂଚନା ଅନୁସାରେ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟାହ୍ନଭୋଜନ ଚାଉଳ ପଞ୍ଚାୟତରୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ପାଇଁ ଟଙ୍କା ପ୍ରଦାନ କରୁଛନ୍ତି। ସେହି ଟଙ୍କାରେ ଯୋଗାଣ ବିଭାଗ ପକ୍ଷରୁ ପିଡିଏସ ବ୍ୟବସ୍ଥା ସହ ମିଶାଇ ପଞ୍ଚାୟତ ମାନଙ୍କୁ ଚାଉଳ ପ୍ରଦାନ କରାଯାଇଛି। ସ୍କୁଳ କର୍ତ୍ତୁପକ୍ଷଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ଏମଡିଏମ ଚାଉଳ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୦ ଦିନ, ଦ୍ୱିତୀୟ ପର୍ଯ୍ୟାୟରେ ୫୭ ଦିନର ଚାଉଳ ପ୍ରଦାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଏହିକ୍ରମରେ ବଲାଙ୍ଗିର ଜିଲାରେ ପ୍ରଥମ ପର୍ଯ୍ୟାୟ ଚାଉଳ ପ୍ରଦାନ ସରିଛି। ଏହି ପର୍ଯ୍ୟାୟରେ ଜିଲାରେ ଥିବା ପ୍ରାୟ ୨୨ଶହ ରୁ ଉର୍ଦ୍ଧ ସ୍କୁଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପ୍ରାୟ ୧ଲକ୍ଷ୯୨ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଚାଉଳ ପ୍ରଦାନ କରାଯାଇଥିବା ଯୋଗାଣ ବିଭାଗ ସୂଚନା ଦେଇଛି। ପ୍ରାଥମିକଙ୍କ ପାଇଁ ୯୦ଦିନ ପାଇଁ ୯କେଜି ଓ ଉଚ୍ଚପ୍ରାଥମିକଙ୍କ ପାଇଁ ସାଢେ ୧୩ କେଜି ଚାଉଳ ପ୍ରଦାନ କରାଯାଇଛି। ଜିଲାରେ ସମୁଦାୟ ୨୨ହଜାର୧୩୪ କ୍ୱିଣ୍ଟାଲ ଚାଉଳ ଦିଆଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ବାସ୍ତବିକ ଚିତ୍ର ଭିନ୍ନ ରହିଛି। ବହୁ ଛାତ୍ରଛାତ୍ରୀ ଚାଉଳ ପାଉନଥିବା ବେଳେ ଅନେକଙ୍କ ଅଭିଭାବକ ନେବା ପାଇଁ ଅଗ୍ରାହ୍ୟ କରିଛନ୍ତି। ତେବେ ସେମାନଙ୍କ ଚାଉଳ ଗଲା କୁଆଡେ। ଏପରିକି ଅନେକ ଛାତ୍ରଛାତ୍ରୀଙ୍କ ଟୋକନ କାଟି ସ୍କୁଳ ପ୍ରଧାନଶିକ୍ଷକ ମାନେ ଚାଉଳ ଉଠାଉଥିବାର ମଧ୍ୟ ଅଭିଯୋଗ ରହିଛି। ଏହି ଅନିୟମିତତାରେ ପଞ୍ଚାୟତ ମାନଙ୍କରେ ଯୋଗାଣ ଦାୟିତ୍ୱରେ ରହୁଥିବା କର୍ମଚାରୀ ମାନେ ମଧ୍ୟ ସଂପୃକ୍ତ ରହୁଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀ ନେଉନଥିବା ଚାଉଳ ଏହି କର୍ମଚାରୀ ମାନେ ହଡପ କରୁଥିବା ବେଳେ ଏହି କାରବାର ବିଶେଷ କରି ଆଭ୍ୟନ୍ତରୀଣ ପଞ୍ଚାୟତ ମାନଙ୍କରେ ଜୋରସୋରରେ ଚାଲିଥିବା ଦେଖିବାକୁ ମିଲିଛି। ଏନେଇ ଜଣେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ନିଜ ପରିଚୟ ଗୋପନ ରଖି କହିଛନ୍ତି ଯେ ଏହି କାରବାର ବିଷୟରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ପ୍ରତି ପଞ୍ଚାୟତରେ ବଳକା ଚାଉଳର ବ୍ୟବସାୟ ଚାଲିଛି। ଯେହେତୁ ବଣ୍ଟନ ଦାୟିତ୍ୱ ଯୋଗାଣ ବିଭାଗ ହାତରେ ରହିଛି କିଏ କାହାକୁ ଅଭିଯୋଗ କରିବ ବୋଲି ସେ କହିଛନ୍ତି। ସବୁକଥା ଜାଣି ମଧ୍ୟ ଶିକ୍ଷା ବିଭାଗ ଅଧିକାରୀ ମାନେ ଚୁପ ରହୁଥିବା ସେ କହିଛନ୍ତି। ତେବେ ସଂପୃକ୍ତ ଅଧିକାରୀ ଜଣକର କଥା ଯଦି ସତ୍ୟ ତେବେ ଏମଡିଏମ ବ୍ୟବସ୍ଥାରେ ମହା ଅନିୟମିତତା ସ୍ପଷ୍ଟ ହୋଇଛି। ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଏହାର ତଦନ୍ତ ପାଇଁ ଦାବି ହୋଇଛି।

Comments are closed.