ତାତିଲା ବଲାଙ୍ଗିର: ନିଶା କାରବାର ବିରୋଧରେ ଜନଆନ୍ଦୋଳନ

0

 

ଥାନା ଘେରିଲା ଆକ୍ସନ କମିଟି, ବିଙ୍ଗ୍‌ ହ୍ୟୁମାନ୍‌ର ଶୋଭାଯାତ୍ରା

ବଲାଙ୍ଗିର : ‘ସମାଜ’ ବଲାଙ୍ଗିର ଜିଲା କାର୍ଯ୍ୟାଳୟରେ ପ୍ରସାର ବିଭାଗରେ କାର୍ଯ୍ୟରତ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ଗତ ୨୮ ତାରିଖ ରାତିରେ କିଛି ଯୁବକ ଲୁଟ୍‌ ଉଦ୍ୟମ କରି ହତ୍ୟା ଘଟଣା ପରେ ତାତିଛନ୍ତି ବଲାଙ୍ଗିରବାସୀ। ଏଭଳି ଅଭାବନୀୟ ଘଟଣା ସହିତ ସହରରେ ବଢୁଥିବା ଅପରାଧ, ନିଶା କାରବାର ବିରୋଧରେ ସହରରେ ପ୍ରତିବାଦର ସ୍ୱର ଶାଣିତ ହୋଇଛି। ବିଭିନ୍ନ ବର୍ଗର ଲୋକେ ଏହି ଘଟଣାକୁ ସମାଲୋଚନା କରିଥିବା ବେଳେ ନିଶା କାରବାରକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବୁଧବାର ସକାଳେ ନିଶା କାରବାର ରୋକାଯିବା ଦାବିରେ ଟାଉନ୍‌ ଥାନା ପରିସରରେ ବଲାଙ୍ଗିର ଏକ୍ସନ କମିଟି ଓ ଯୁବ ଏକ୍ସନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ଅନ୍ୟପଟେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ପରିସରରୁ ସ୍ୱର୍ଗତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ଶାଣିତ କରିଥିଲେ ସ୍ୱର। ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଜିଲା ପୁଲିସ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଛି।
ବୁଧବାର ସକାଳେ ବଲାଙ୍ଗିର ଏକ୍ସନ କମିଟି ଓ ୟୁଥ୍‌ ଏକ୍ସନ କମିଟିର ସଦସ୍ୟମାନେ ଥାନାରେ ଏକ୍ରତିତ ହୋଇଥିଲେ। ସ୍ୱର୍ଗତ ପ୍ରତାପ ମହାପାତ୍ରଙ୍କ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଅପରାଧୀ ଓ ନିଶା କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇ ଥାନା ଘେରାଉ କରାଯାଇଥିଲା। ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ରିଲୁ ରଥ, ସନ୍ତୋଷ ସାହୁ, ସନ୍ତୋଷ ପଟ୍ଟନାୟକଙ୍କ ସହ ରବି ଖମାରୀ, ଗୋବିନ୍ଦ ଶତପଥୀ, ପିଙ୍କୁ ବନଛୋର, ସରୋଜ ସାହୁ, ରିଙ୍କୁ ବନଛୋର, ରବୀନ୍ଦ୍ର ପ୍ରଧାନ, ଅପର୍ମିତ ପରିଚ୍ଛା, ପ୍ରଶାନ୍ତ ନାଏକ, ରଶ୍ମିରେଖା ଦାନୀ, ପ୍ରମିତା ପ୍ରଧାନଙ୍କ ସହ ବହୁ ସଦସ୍ୟ ଘେରାଉରେ ସାମିଲ ହୋଇଥିଲେ। ପୁଲିସ ବିରୋଧରେ ସେମାନେ ବିଷୋଦଗାର କରିବା ସହ ନିଶା କାରବାରକାରୀଙ୍କୁ ଦୃଢ ହସ୍ତରେ ଦମନ କରିବାକୁ ଦାବି କରିଥିଲେ। ଏସ୍‌ପି ଆସି ଆଲୋଚନା ନ କରିବା ଯାଏ ସେମାନେ ଉଠିବେ ନାହିଁ ବୋଲି ଜିଦ କରିବା ସହ ଧାରଣାରେ ବସିଥିଲେ। ଶେଷରେ ଥାନା ଆଇଆଇସି ଗୋକୁଳାନନ୍ଦ ସାହୁ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କହିଥିଲେ । ନିଶା କାରବାର ଉପରେ ଚଢଉ ଚାଲିଥିବା କହିବା ସହ ଆଉ ପୁଲିସ ମଧ୍ୟ ନିଶା କାରବାରକାରୀଙ୍କୁ ଛାଡିବ ନାହିଁ ବୋଲି ଶ୍ରୀ ସାହୁ ମତ ରଖିଥିଲେ; କିନ୍ତୁ ପୁଲିସର ପଦକ୍ଷେପ ଓ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ ଏକ୍ସନ କମିଟିର ଆବାହକ ଶ୍ରୀ ପାଣିଗ୍ରାହୀ।
ସେହିପରି ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ପରିସରରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା। ସ୍ୱର୍ଗତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶୋଭାଯାତ୍ରାରେ ଫାଉଣ୍ଡେସନର ସଦସ୍ୟମାନେ ମୁହଁରେ କଳା କପଡ଼ା ବାନ୍ଧି ନୀରବ ପ୍ରତିବାଦ ଜଣାଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିଭିନ୍ନ ସଂଗଠନର ସଦସ୍ୟମାନେ ସମାଜସେବୀ ଲଳିତ ନାୟକଙ୍କ ନେତୃତ୍ୱରେ ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୁଲିସକୁ କଡ଼ା ସମାଲୋଚନା କରାଯାଇଥିଲା । ଆଗାମୀ ଦିନରେ ଅପରାଧୀ ଓ ନିଶା କାରବାରକାରୀଙ୍କୁ ଦମନ କରାନଗଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ ଶ୍ରୀ ନାୟକ। ସଭାରେ ନାଗରିକ କମିଟିର ସଭାପତି ଭବାନୀ ଶଙ୍କର ଶତପଥୀ, ସଂପାଦକ ବିଷ୍ଣୁପ୍ରସାଦ କେଡ଼ିଆ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ବାଇପାସ କମିଟିର ସଭାପତି ସୁରେଶ ଦଲାଇ, ସଂପାଦକ ହରିବନ୍ଧୁ ନାଏକ, ଜିଲା ଓକିଲ ସଂଘର ସଂପାଦକ ଅମନ ନାଗ, ଆଇନଜୀବୀ ରତନ ମହାରଣା, ମଧୁବୈଶ୍ୟ ସମାଜର ଅଧ୍ୟକ୍ଷ ମନୋରଞ୍ଜନ ସାହୁ, ଟାଙ୍ଗିଆ ଜାମ କମିଟିର ସଭାପତି ଗୋପାଳ ହୋତା, ଭିଆଇପିର ବିପିନ କୁଶଲିଆ, ପଶ୍ଚିମ ଓଡ଼ିଶା ପୁରାଣ ପଣ୍ଡା ଗାୟକ ମହାସଂଘର ସଂଗଠନ ସଂପାଦକ କିଶୋର ମିଶ୍ର, ଯୁବ ସଂଗଠକ ବିଦୁଭୂଷଣ ତ୍ରିପାଠୀ, ଚିତ୍ତ ମିଶ୍ର, ଜ୍ୟୋତିରଂଜନ ପାଣିଗ୍ରାହୀ, ଘନ ପଶାୟତ ପ୍ରମୁଖ ମତ ବ୍ୟକ୍ତ କରିଥିଲେ ।
ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ଉପସଭାପତି ବଳରାମ ମିଶ୍ର, ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ, ସଂପାଦକ ରଞ୍ଜିତ ବେହେରା, ସଂଗଠନ ସଂପାଦକ ଶରତ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ସଂଘର ସଦସ୍ୟମାନେ ସ୍ୱର୍ଗତ ମହାପାତ୍ରଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ। ପରେ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏକ ପ୍ରତିନିଧି ଦଳ ଆଗାମୀ ଦିନରେ ଭେଟି ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ନେଇ ଅବଗତ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ମୃତକ ଶ୍ରୀ ମହାପାତ୍ରଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବାକୁ ସ୍ଥିର କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦଦିକ ନବୀନ ପଶାୟତ, ସନ୍ଦୀପ କୁଅଁର, ଆନନ୍ଦଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସତ୍ୟସୁନ୍ଦର ଭଞ୍ଜ, ବିରେନ୍ଦ୍ର ଝାଙ୍କର, ଗୋପବନ୍ଧୁ ଶତପଥୀ, ପାର୍ଥ ମହାପାତ୍ର, ଚନ୍ଦ୍ରଭାନୁ ମୌଲାନା, ଦୀପକ ପୁରୋହିତ, ନିରୋଜ ମିଶ୍ର, ଘଟେଶ୍ୱର ମିଶ୍ର, ୱାହିଦ ଖାନ, ବିକ୍ରମ ପାତ୍ର, ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply