ଘୁଘୁରା ଖୋଳ ପାହାଡ ତଳେ ମକର ମେଳା

ରେଙ୍ଗଲିକେମ୍ପ: ଆଜି ପବିତ୍ର ମକର ସଂକ୍ରାନ୍ତିରେ ପ୍ରତିବର୍ଷ ଭଳି ଘୁଘୁରାଖୋଳ ପାହାଡ଼ ତଳେ ପାଳିତ ହୋଇଯାଇଛି ମକର ମେଳା।ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାରପାହାଡ ର ପାଦଦେଶରେ ରହିଛି ଘୁଘୁରାଖୋଲ ପାହାଡ଼। ଏହି ଅଞ୍ଚଳରେ କାହିଁ କେତେ ଦିନରୁ ପାରମ୍ପରିକ ରୀତିନୀତିରେ ଚାଲିଆସୁଛି ଏହି ମକର ପର୍ବ। ଅତାବିରା ନିର୍ବାଚନ ମଣ୍ଡଳୀର ବୁଥ ନଂ ୧ ଘନଘାଟିରୁ ୧୨ କିମି ଦୂର ପାହାଡିଆ ରାସ୍ତା ଦେଇ ଯିବା ପରେ ପ୍ରାୟ ହଜାରେ ଫୁଟ ତଳେ ରହିଛି ଏକ ଡଙ୍ଗରକୁଡ୍ଡୁ ଗଛ । ସେଇ ଗଛ ତଳେ ଋଷିମୁନି ବାବାଙ୍କ ପୀଠ। ଗୋଟିଏ ଲମ୍ବା ସିଡି ଦେଇ ଓହ୍ଲାଇବାକୁ ପଡ଼ିଥାଏ ଏହି ପୂଜା ସ୍ଥଳୀକୁ ଯିବା ପାଇଁ। ପୂଜା ପୀଠର ନାଁ ଶୁଣି ଲାଗେ ସେଠାରେ କୌଣସି ସାଧୁ ସନ୍ଥ କିମ୍ବା ଋଷି ମୁନିଙ୍କ ଆଶ୍ରମ ସ୍ଥଳ ହୋଇଥିବ । କିନ୍ତୁ ବାସ୍ତବରେ ତାହା ଜନଶୂନ୍ୟ ଅଞ୍ଚଳ। ଆଶ୍ଚର୍ଯ୍ୟ ଲାଗେ ଏହି ପୀଠର କିମ୍ବଦନ୍ତୀ ଶୁଣିଲେ। ଆଉ ଶୁଣିଲା ପରେ ସେହି ସ୍ଥାନକୁ ଯିବା ପାଇଁ ମନରେ ଉତ୍ସୁକତା ଭରିଯାଏ । ଅଞ୍ଚଳବାସୀ କହନ୍ତି ବହୁ ବର୍ଷ ପୂର୍ବରୁ ଥରେ ପାହାନ୍ତିଆ ସମୟରେ ହଠାତ୍ ମୃଦଙ୍ଗ ଓ କସ୍ତାଳର ଧ୍ବନି ଶୁଭିଲା। ଲୋକେ ଭାବିଲେ ନିଘଞ୍ଚ ଜଙ୍ଗଲ ଭିତରେ କିଏ କୀର୍ତ୍ତନ କରୁଛି। ଯେଉଁଠି ବାଘ ଭାଲୁଙ୍କ ବାସସ୍ଥଳୀ ସେଠି କୀର୍ତ୍ତନର ଶବ୍ଦ? ମନରେ ଉତ୍ସାହ ଭରି ଆଗେଇ ଚାଲିଲେ ଗାଆଁର ଗୌନ୍ତିଆ ଓ ଗ୍ରାମବାସୀ ସେଇ ଧ୍ବନି ଆସୁଥିବା ଅଭିମୁଖେ। ଶବ୍ଦକୁ ଅନୁକରଣ କରି ଆଗେଇ ଚାଲିଲେ ଘଞ୍ଚ ଜଙ୍ଗଲ ଭିତରେ। କିନ୍ତୁ ଯେତେବେଳେ ସେଇ ଶବ୍ଦର ଉତ୍ସ ସ୍ଥଳରେ ପହଞ୍ଚିଲେ, ସମସ୍ତେ ସ୍ତମ୍ଭିଭୂତ ହୋଇଗଲେ। ନିର୍ଜନ ଜଙ୍ଗଲ ଭିତରେ ଏକ ଡଙ୍ଗରକୁଡ଼୍ଦୁ ଗଛ ତଳେ କିଛି ପୂଜା ଦ୍ରବ୍ୟ ଏପଟ ସେପଟ ହୋଇ ପଡ଼ିଥିଲା। ସତେ ଯେମିତି କିଛି ସମୟ ପୂର୍ବରୁ କେହି ପୂଜା କରି ଯାଇଛି । କାଳେ କେହି ଲୋକ ଆସିଥିବ ଭାବି ଲୋକେ ଦୃଷ୍ଟି ପରିସୀମା ପର୍ଯ୍ୟନ୍ତ ଦେଖିଲେ, କିନ୍ତୁ କେହି ଦୃଷ୍ଟିଗୋଚର ହେଲେ ନାହିଁ।

ଅତି ଆଶ୍ଚର୍ଯ୍ୟ ର କଥା ଥିଲା ସେଇ ଗଛ ଭିତରୁ ହିଁ ମୃଦଙ୍ଗ ଓ କସ୍ତାଲର ଶବ୍ଦ ଗୁଞ୍ଜରିତ କରୁଥିଲା ସାରା ବନଭୂମିକୁ। ଗୌନ୍ତିଆ ଭାବିଲେ ଏହା ନିଶ୍ଚିତ ଭାବରେ ଭଗବାନଙ୍କ ଲୀଳା। ହୁଏତ ଅତୀତରେ ଏହା କୌଣସି ଋଷିମୁନିଙ୍କ ଆଶ୍ରୟ ସ୍ଥଳୀ ଥିଲା। ସେହି ଦିନ ଥିଲା ଆଜି ଭଳି ପବିତ୍ର ମକର ସଂକ୍ରାନ୍ତି। ଆଉ ସେହି ଦିନଠାରୁ ସେହି ପୀଠର ନାମ ହେଲା ଋଷିମୁନି ପୀଠ। ପ୍ରତି ମକର ସଂକ୍ରାନ୍ତିରେ ଉକ୍ତ ଗଛ ମୂଳରେ ପୂଜା ହେବା ସହ ମହା ଆଡ଼ମ୍ବରରେ ଏହି ମକର ମେଳା ଅନୁଷ୍ଠିତ ହୋଇ ଆସୁଅଛି। ଗୋଟିଏ ମାସ ପୂର୍ବରୁ ଏହି ମକର ମେଳାର ଆୟୋଜନରେ ଲାଗି ପଡନ୍ତି ଗ୍ରାମବାସୀ। ପ୍ରକୃତି ରାଣୀର ଶୋଭା ପରିବେଷ୍ଟିତ ଏହି ନିଘଞ୍ଚ ଜଙ୍ଗଲରେ ଏହି ମେଳା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ସଂକୀର୍ତ୍ତନ ଦଳ ସାଙ୍ଗକୁ କୃଷ୍ଣଗୁରୁ ,ପାଲା ଆଦି ଅନେକ ପ୍ରକାର ର ମନୋରଞ୍ଜନ କାର୍ଯ୍ୟକ୍ରମ ହୁଏ। ଘନଘାଟି ର ଦୁଇ ଗୌନ୍ତିଆ ଭିକାରୀ ସାହୁ ଓ ସୁନ୍ଦରମଣି ସାହୁଙ୍କ ତତ୍ବାବଧାନରେ ଏହି ମକର ପର୍ବ ଅନୁଷ୍ଠିତ ହୋଇଆସୁଥିଲା।

ହେଲେ ସେମାନଙ୍କ ବିୟୋଗ ପରେ ତାଙ୍କର ସାତ ପୁଅ ଓ ଛଅ ଝିଅ ଙ୍କ ମଧ୍ୟରୁ ବର୍ତ୍ତମାନ, ଜୀବିତ ଥିବା ତାଙ୍କର ଝିଅ ପ୍ରେମସିଲା ବୁଦ୍ଧିଆ, ତକ୍ଷଶିଳା ପ୍ରଧାନ ଓ ସବିତା ପ୍ରଧାନ ଓ ପୁଅ ପରେଶ୍ଚନ୍ଦ୍ର ସାହୁ ଅର୍ଥ ସହଯୋଗ କରୁଛନ୍ତି ଏହି ପର୍ବ ପାଇଁ। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏହା କିଛି ପରିମାଣରେ ଫିକା ପଡ଼ିଯାଇଛି। ଚଳିତ ବର୍ଷ ଏହି ପୂଜାରେ ଉତ୍ତମ ବେହେରା କର୍ତ୍ତା ଦାୟିତ୍ଵ ତୁଲାଇ ଥିବାବେଳେ ଚୁଲଧରର ଅଶୋକ ପତି ପୂଜକ ଦାୟିତ୍ୱରେ ଥିବା ଜଣା ପଡିଛି। ଦେବରାଜ ବରିହା,ମୋହନ ବେହେରା ଓ ବିଚିତ୍ରା ବରିହା ପୂଜା ଦାୟିତ୍ୱରେ ଥିବା ବେଳେ ବଳରାମ ବରିହା,ମହାଜନ ସାହୁ,ବିରାଟ ବେହେରା,ଗୋକୁଳ ଗହିର,ସଚ୍ଚିଦାନନ୍ଦ ଖମାରୀ,କୈଳାଶ ସାନ୍ତରା ଓ ସୁଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ନୁଆଁପଡ଼ା ଓ ଲଚିଦାର ସଙ୍କୀର୍ତ୍ତନ ଦଳ ଦ୍ବାରା ନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ।ସକାଳ ୯ଟାରୁ ସନ୍ଧ୍ୟା ସାତଟା ଯାଏ ଏହି ପର୍ବ ଉତ୍ସବ ମୁଖରିତ ହୋଇଥିଲା।

Comments are closed.