ବଦଲୁଛି ନିଶା କାରବାରର ଟ୍ରେଣ୍ଡ, କଫସିରଫ୍ ଜାଗା ନେଉଛି ନିଶାବଟିକା !

ନିଶାବଟିକା କାରବାରରେ ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ବଦଲୁଛି ନିଶାକାରବାରର ଟ୍ରେଣ୍ଡ। କିଛି ବର୍ଷ ଧରି କଫସିରଫର ଚାହିଦା ରହିଥିବା ବେଳେ ଏବେ ବିଭିନ୍ନ ଉଚ୍ଚକ୍ଷମତା ନିଶା ବଟିକାର ସାହାର ନେଉଛନ୍ତି ସହରୀ ଯୁବକ। ବିନା ଡାକ୍ତରୀ ପେସକ୍ରିପସନ ଓ କମ ଦାମରେ ମିଲୁଥିବା ଏହି ନିଶାବଟିକାର ନିଶା କ୍ଷମତା ବହୁତ ରହିଥିବା ବେଳେ ଏହାର ଚୋରା କାରବାର ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଫସିରଫ ମାଫିଆଙ୍କ ପଛରେ ପଡ଼ିଥିବା ପୁଲିସ ହାତରେ ଲାଗିଛି କିଛି ଏହିଭଳି ନିଶା କାରବାରର ସୁରାକ। ଗୁରୁବାର ଟାଉନ ପୁଲିସ ନିଶାବଟିକା ବିକ୍ରୟ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତ ପାଖରୁ ନିଶାବଟିକା ଜବତ ହୋଇଥିବା ବେଳେ ଏହା କେଉଁଠୁ ଯୋଗାଣ ହେଉଛି ତାହାର ଖୋଳତାଡ ଆରମ୍ଭ କରିଛି ବଲାଙ୍ଗିର ଟାଉନ ପୁଲିସ।

ଗତ କିଛି ବର୍ଷ ଧରି ବଲାଙ୍ଗିର ସହରରେ କଫସିରଫର ଚାହିଦା ରହିଥିଲା। ନିଶା କରୁଥିବା ଯୁବକ ମାନେ କଫସିରଫ ପିଉଥିବା ବେଳେ ଏଥିରେ କଫସିରଫ ବ୍ୟବସାୟୀ ଓ ମାଫିଆ ମାନେ ମାଲେମାଲ ହୋଇଥିଲେ। ଅନ୍ୟପକ୍ଷରେ ଏହି ନିଶା ଯୋଗୁ ସହରରେ ଅପରାଧ ଦିନକୁ ଦିନ ବଢିଚାଲିଥିଲା। ଫଳରେ ପୁଲିସ କଫସିରଫ କାରବାରରକୁ ନିୟନ୍ତ୍ରଣ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। କଫସିରଫ ବ୍ୟବସାୟ ପଛରେ ଥିବା ଅନେକ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲରେ ପୁରାଇଥିଲା। ଜେଳରୁ ବେଲରେ ବାହାରି ଏହି ବ୍ୟବସାୟୀ ମାନେ ପୁଣି କାରବାର ଆରମ୍ଭ କରିଦେଇଥିବା ବେଳେ ବର୍ତ୍ତମାନ ସମୟରେ କିନ୍ତୁ କଫସିରଫ କାରବାର କିଛିଟା ପ୍ରଭାବିତ ହୋଇଛି। ପୂର୍ବଭଳି ଖୋଲାଖୋଲି ବିକ୍ରୟ ଉପରେ ରୋକ ଲାଗିଥିବା ବେଳେ ଏହି ଟ୍ରେଣ୍ଡ ବଦଲିବାକୁ ବସିଛି। କଫସିରଫର ଜାଗା ନେଉଛି ନିଶା ବଟିକା। ଅତ୍ୟନ୍ତ ଜରୁରୀକାଳିନ ରୋଗୀ ମାନଙ୍କୁ ଦିଆଯାଇଥିବା ନିଶା ଔଷଧକୁ ଯୁବକ ମାନେ ନିଶାଦ୍ରବ୍ୟ ଭାବେ ବ୍ୟବହାର କରିବାକୁ ବସିଛନ୍ତି। ଖୁବ ଅଳ୍ପ ଟଙ୍କା ଓ ସହଜରେ ମିଲିଯାଉଥିବା ଏହି ନିଶାବଟିକାର ଚାହିଦା ସହରରେ ବଢିବାକୁ ବସିଛି। ଏହି ନିଶା ବଟିକା ମଧ୍ୟରେ ଗୋଟିଏ ହେଉଛି ‘ଆନଜୋଲା – ୦.୫’ ଯାହାକୁ ଏଏନ ଫାର୍ମା ନାମକ ଏକ କଂପାନୀ ପ୍ରସ୍ତୁତ କରିଛି। ଏହି ବଟିକାରେ ଅଲଫ୍ରାଜୋଲମ ରହିଥିବା ବେଳେ ଏହାର ସାଧାରଣ ବ୍ୟବହାର ଓ ବିକ୍ରି ଉପରେ ସରକାର ରୋକ ଲଗାଇଛନ୍ତି। ବିନା କୌଣସି ଡାକ୍ତରୀ ଚିଠାରେ ଏହି ବଟିକା ବିକ୍ରି କରିବା ପାଇଁ ମନା ରହିଥିବା ବେଳେ ଏହା ସହରର ଛକ ମାନଙ୍କରେ ସହଜରେ ମିଲିଯାଉଥିବା ଅଭିଯୋଗ ହୋଇଛି। ତେବେ ଏବେ ପ୍ରଶ୍ନ ଉଠୁଛି ଏହି ବଟିକା ବଜାରକୁ ଆସୁଛି କେମିତି। ଔଷଧ ଦୋକାନ ମାନଙ୍କରେ ବିକ୍ରି ହେବାକୁ ଥିବା ଜିନିଷ ଛୋଟ ଛୋଟ ଦୋକାନ କୁ ଆସୁଛି କେମିତି। ଏହି କାରବାରରେ ବହୁ ବଡ ବଡ ଔଷଧ ବ୍ୟବସାୟୀଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି।

କଫସିରଫ ଭଳି ଏହି ଛୋଟ ସାଇଜର ବଟିକାରେ ବେଶୀ   ନିଶା ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ଯୁବକ ମାନେ ଛାଟିପିଟି ହେଉଥିବା ଦେଖିବାକୁ ମିଲିଛି। କିଛି ଔଷଧ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଏହି ନିଶା ରେ ବ୍ୟକ୍ତି ବଶବର୍ତ୍ତି ହୋଇଗଲେ ଏହାକୁ ଛାଡିବା ମୁସ୍କିଳ। ଏହା ସହିତ ଏହାର ବେଶୀ ବ୍ୟବହାର କରିବା ଦ୍ୱାରା ଜୀବନହାନୀର ମଧ୍ୟ ଆଶଙ୍କା ରହିଛି। ଏହା ସାମ୍ନାକୁ ଆସିବା ପରେ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ କହିବା ଅନୁସାରେ ଏନେଇ ସୁରାକ ମିଲିବା ପରେ ସହରରେ ପୁଲିସ ତନାଘନା ଆରମ୍ଭ କରିଛି। ଖୁବଶୀଘ୍ର ଏହି ନିଶା ବ୍ୟବସାୟ ଚଲାଇଥିବା ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିବ ବୋଲି କହିଛନ୍ତି।

ନିଶାବଟିକା କାରବାରରେ ଜଣେ ଗିରଫ
କଫସିରଫ ଭଳି ନିଶା ବଟିକା କାରବାର କରୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଛି। ହାତୀଶାଳପଡା ଜୋରଖଣ୍ଡିରେ ରହୁଥିବା ବସନ୍ତ ସାହୁ ବେଆଇନ ଭାବେ ନିଶା ବଟିକା ବିକୁଥିବା ଅଭିଯୋଗରେ ଗିରଫ କରିଛି। ପେଟ୍ରୋଲିଂ ସମୟରେ ବସନ୍ତ ଆଲଫ୍ରାଜୋଲମ ମିଶ୍ରିତ ଆନଜୋଲମ – ୦.୫ ବଟିକା ବିକୁଥିବା ବେଳେ ପୁଲିସ ସନ୍ଦେହରେ ପଚରାଉଚୁରା ଆରମ୍ଭ କରିଥିଲା। ନିଶା ପାଇଁ ଯୁବକ ମାନଙ୍କୁ ବସନ୍ତ ବିକ୍ରୀ କରୁଥିବା ବେଳେ ତାକୁ ପୁଲିସ ଗୁରୁବାର ଏନଡିପିଏସ ଆଇନରେ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମନ୍ତ ବାରିକ। ଏପରିକି ପୂର୍ବରୁ ମଧ୍ୟ ବସନ୍ତ ଗର୍ଭବତୀ ମହିଳା ମାନଙ୍କୁ ଦିଆଯାଉଥିବା ଔଷଧ ନିଶା ଭାବେ ବ୍ୟବହାର କରିବା ପାଇଁ ବିକ୍ରୀ କରୁଥିବା ସମୟରେ ଗିରଫ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବସନ୍ତ ଠାରୁ ପୁଲିସ ୨୦ଷ୍ଟ୍ରିପ ଆଲଫ୍ରାଜୋଲମ ରହିତ ଆନଜୋଲମ ଔଷଧ ଜବତ କରିଛି।

Comments are closed.