ପରିଚୟ ଖୋଜୁଛି ‘ବଲାଙ୍ଗିର ଜିଲା ସଂଗ୍ରହାଳୟ’: ବର୍ଷେ ଭିତରେ ପରିଦର୍ଶକଙ୍କ ସଂଖ୍ୟା ଶୂନ, ଧୂଳିରେ ପୋତି ହୋଇଛି ସଂଗୃହୀତ ସାମଗ୍ରୀ

ବଲାଙ୍ଗିର: ସେ ପ୍ରସ୍ତର ଯୁଗ ହେଉକି ଆବତ୍ତମାନର ସମୟ। ମଣିଷର ଚାଲିଚଳଣି ପୂର୍ବରୁ ବାନରର ଆକୃତି କଥା। ସାମାଜିକ, ସଂସ୍କୃତିକ, ଐତିହ ସମ୍ପନ୍ନର ଅନେକ ଗାଥା। ଶିଳାରେ ଆଙ୍କିଥିବା ସେ ଚରିତ୍ରମାନଙ୍କ କଥା। ମଣିଷର ଖାଦ୍ୟ ଅନ୍ୱେଷଣର ବିଭିନ୍ନ ପ୍ରକ୍ରିୟା, ଚତୁରତାର ମାଧ୍ୟମ। ଏ ସବୁ ଗୋଟିଏ ଛାତ ତଳେ, ବଲାଙ୍ଗିର ଜିଲା ସଂଗ୍ରହାଳୟରେ ରହିଛି। ହେଲେ ଆଜି ଦିନରେ ସେହି ସ୍ଥାନ ଖୁବ ଅବହେଳିତ। ସେଠାରେ ରହିଥିବା ରାଷ୍ଟ୍ରୀୟ ସମ୍ପତ୍ତି ବି ନଷ୍ଟ ହେବାରେ ଲାଗିଛି। ନିଜେ ନିଜର ପରିଚୟ ଖୋଜୁଥିବା ଜିଲା ସଂଗ୍ରାହଳୟ ପ୍ରତି ପ୍ରଶାସନ, ସରକାର ହାତ ଟେକି ଦେଇଛନ୍ତି।

କଳା, କଳାକାର ଓ କଳାପ୍ରେମୀମାନଙ୍କ ହୃଦୟ କହିଲେ କୋଶଳ କଳାମଣ୍ଡଳ ପଡିଆକୁ ବୁଝାଏ। ବର୍ଷ ତମାମ ମନୋରଞ୍ଜନର କେନ୍ଦ୍ରସ୍ଥଳୀ କଳାମଣ୍ଡଳ। ଏହା ଜନ ଆକର୍ଷଣର କେନ୍ଦ୍ର ବିନ୍ଦୁ। ତତ୍କାଳୀନ ବଲାଙ୍ଗିର ଜିଲାର ଜିଲାପାଳ ସୁଶିଲ କୁମାର ଲୋହାନୀଙ୍କ ଦ୍ୱାରା ୨୦୦୩ ମସିହା ନଭେମ୍ବର ୫ ତାରିଖରେ ଜିଲା ସଂଗ୍ରହାଳୟର ନୂତନ ଗୃହ କୋଶଳ କଳାମଣ୍ଡଳରେ ପ୍ରତିଷ୍ଠା ହୋଇଥିଲା। ଏହାର ପୌରହିତ୍ୟ କରିଥିଲେ ତତ୍କାଳୀନ ଜିଲା ସଂସ୍କୃତି ଅଧିକାରୀ ମାନସ ରଞ୍ଜନ ରାୟ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ସଂଗ୍ରହାଳୟ ଆରଟିଓ ଅଫିସ ଛକ ଠାରେ ଥିଲା। ତେବେ ଏହା ନୂତନ ଗୃହ ଉଦଘାଟିତ ହେବା ପରେ ଲୋକଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା। ଏଠାରେ ଆଦିମ ଜନଜୀବନର କାହାଣୀ ଠାରୁ ଆରମ୍ଭ କରି ବିଭିନ୍ନ ହାତ ହତିଆର, ପାରମ୍ପରିକ ବ୍ୟବହୃତ ମାଟି ସାମଗ୍ରୀ, ବାଉଁଶ ତିଆରି ସାମଗ୍ରୀ ରହିଛି। ଏପରିକି ଜିଲାର ବିଭିନ୍ନ ସ୍ଥାନରୁ କାଳକ୍ରମେ ଉଦ୍ଧାର ହୋଇଥିବା ଅନେକ କୀର୍ତ୍ତିରାଜୀ ପଥର ପ୍ରତିମୂର୍ତ୍ତି ମଧ୍ୟ ଏଠାରେ ରହିଛି। କେବଳ ସେତିକି ନୁହେଁ, କାହିଁ କେତେ ଯୁଗର ତାଳପତ୍ରର ପୋଥି ପୂରାଣ ଗଚ୍ଛିତ ହୋଇ ରହିଛି। ବିଭିନ୍ନ ମୁଦ୍ରା ରହିଥିବା ବେଳେ ଏ ଅଞ୍ଚଳର କଳାକୃତି ମଧ୍ୟ ସାଇତା ହୋଇ ରହିଛି। ଚିତ୍ରକରଙ୍କ ଦ୍ୱାରା ନୃତ୍ୟ ଶିଳ୍ପୀଙ୍କ ଡାଲାଖାଇ ନାଚ ଚିତ୍ର ଦେଖିଲେ ଆଖି ସାମ୍ନାରେ କେହି ଜଣେ ନୃତ୍ୟ କରୁଛି ଭଳି ଅନୁଭବ ହୁଏ। ବଲାଙ୍ଗିର ଜିଲା କଳା, ସଂସ୍କୃତି ଓ ଐତିହ ସମ୍ପର୍କରେ ଗବେଷଣା ଓ ନୂତନ ପୀଢି ପାଇଁ ଏହା ଏକ ପରିଚିତି। ଏହା ଦେଶର ରାଷ୍ଟ୍ରୀୟ ସମ୍ପତ୍ତି। ହେଲେ ଦୀର୍ଘ ବର୍ଷ ହେଲା ରକ୍ଷଣା ବେକ୍ଷଣ ଅଭାବରୁ ନିଜ ସ୍ଥିତି ହରେଇବାକୁ ବସିଲାଣି ଏହି ସଂଗ୍ରହାଳୟ। ଦୀର୍ଘ ଦିନ ଧରି ବନ୍ଦ ପଡି ଥିବାରୁ ଧୂଳି ଗୁଣ୍ଡରେ ରୁନ୍ଧି ହେଉଛି ଶବ୍ଦ ବିହୀନ ସାମଗ୍ରୀ।


ବିଭାଗୀୟ ସୂଚନା ଅନୁଯାୟୀ, ଗଲା ବର୍ଷେ ଭିତରେ ପରିଦର୍ଶକଙ୍କ ସଂଖ୍ୟା ଶୂନ। ଏହାର ପ୍ରଚାର ପ୍ରସାର ଅଭାବ ଓ ବିଭାଗୀୟ ନିଷ୍କ୍ରିୟତା ଯୋଗୁଁ ଏହା ଅବହେଳିତ ହୋଇ ପଡିଛି। ସଂଗ୍ରହାଳୟ କୋଠା ଦୁର୍ବଳ ହେବାକୁ ବସିଥିବା ବେଳେ ଛାତରୁ ଅତଡା ଖସୁଛି। ଏହାର ମରାମତି ସହ ଆନୁସଙ୍ଗିକ ବିକାଶ କରିବାକୁ ସଚେତନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ କହିଛନ୍ତି ଯେ, କରୋନା କଟକଣା ଯୋଗୁଁ ସଂଗ୍ରହାଳୟ ବନ୍ଦ ରହିଥିଲା। ନିଶ୍ଚିତ ଭାବେ ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଆମେ ଏଥିପ୍ରତି ସଚେତନ ଅଛୁ। ତେଣୁ ବିଭିନ୍ନ ସମୟରେ ଏହାକୁ ସଫା ସୁତରା କରାଯାଉଛି। ଆମେ ଖୁବ ଶୀଘ୍ର ଏହାର ପୁନରୁଦ୍ଧାର ପାଇଁ ଯାହା କିଛି ଆବଶ୍ୟକ ତାହା କରିବୁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

Comments are closed.