ହତ୍ୟାକାଣ୍ଡ ଅଭିଯୋଗରେ ଜଣେ ଅଟକ

ବେଲଗାଁ : ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ଝରବାହାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ଘଟଣାରେ ଜଣକୁ ଅଟକ ରଖିଥିବା ସଇଁନ୍ତଲା ଥାନା ଆଇଆଇସି ଶ୍ରୀବାରିଣୀ ଦାସ ସୂଚନା ଦେଇଛନ୍ତି। ଏନେଇ ସଇଁନ୍ତଲା ଥାନା ଅଧିକାରୀ ଦାସ ତଥା ବଲାଙ୍ଗୀର ସାଇନ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। ଅପରପକ୍ଷରେ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଝରବାହାଲି ଗ୍ରାମର ଜଗଦିଶ ମନହିରା(୪୫) ଗତକାଲି ରାତ୍ରିରେ ଗ୍ରାମ ପାଖ କୁକୁଡା ଫାର୍ମରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ଦେଖାଯାଇଛି। ସେ ଗ୍ରାମ ପାଖ ଟିକ୍ରାପଡା କଲେଜରେ ପିଅନ ଭାବରେ କାର୍ଯ୍ୟରତ ଥିଲେ। ଏନେଇ ଗ୍ରାମରେ କିଛି ସମୟ ଧରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାରବର୍ଗ ତଥା ଗ୍ରାମବାସୀ ହୋହଲ୍ଲା କରିଥିଲେ। ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.