କାନ୍ଦୁଛି ବଲାଙ୍ଗିର ଜିଲା କପା ଚାଷୀ: ମିଳୁନି ଲାଭ, କମ୍ ଦାମ୍‌ରେ କିଣି ମିଲର୍ସ ମାଲେମାଲ

ବଲାଙ୍ଗିର:କୃଷି ଭିତ୍ତିକ ଜିଲା ବଲାଙ୍ଗିର। ଧାନ ଚାଷ ପରେ କପା ଚାଷ ହେଉଛି ଅନ୍ୟତମ ଅର୍ଥକାରୀ ଫସଲ। କିନ୍ତୁ ଅଭିଯୋଗ ହେଉଛି ଯେ, ଚାଷୀ ଲାଭବାନ ହେବା ବଦଳରେ ମାଲେମାଲ ହେଉଛନ୍ତି ମିଲର୍ସ, ଦଲାଲ ଓ ଏହି ବ୍ୟବସ୍ଥା ସହ ଯୋଡି ହୋଇଥିବା ଅଧିକାରୀମାନେ। ଧଳା ସୁନା(କପା) ଉତ୍ପାଦିତ ଜିଲା ଭାବେ ବଲାଙ୍ଗିର ଜିଲାରେ ଜାତୀୟସ୍ତରରେ ଖ୍ୟାତି ରହିଛି। ଗୁଣାତ୍ମକ ଦୃଷ୍ଟିକୋଣରୁ ଦେଖିଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବଲାଙ୍ଗିର ଜିଲାରେ ଉତ୍ପାଦିତ କପାର ଚାହିଦା ଭଲ।
ବଲାଙ୍ଗିର ଜିଲାର ପାଟଣାଗଡ, ଟିଟିଲାଗଡ ଉପଖଣ୍ଡ ସହ କଣ୍ଟାବାଞ୍ଜି ଓ ଆଖପାଖ ବ୍ଲକରେ ଧାନ ଅପେକ୍ଷା କପା ଚାଷର ଆଦର ଅଧିକ। ସୂଚନା ଅନୁସାରେ, ବଲାଙ୍ଗିର ଜିଲାରେ ୫୦ହଜାର ୩୩ହେକ୍ଟର ଜମିରେ କପା ଚାଷ ହୋଇଛି। ୭ଲକ୍ଷ ୪୮ହଜାର କ୍ୱିଣ୍ଟାଲ କପା ଅମଳ ହେବାର ଲକ୍ଷ୍ୟ ରହିଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାନ୍ତି କହିଛନ୍ତି। ଉଣା ଅଧିକ ଚାଷୀ କପା ଅମଳ କରିସାରିଲେଣି। ଇତିମଧ୍ୟରେ କପା ବିକ୍ରି ପାଇଁ ଜିଲାର ବଲାଙ୍ଗିର, ପାଟଣାଗଡ ଯୋଗୀମୁଣ୍ଡା ଆର୍ଏମ୍ସି, ଟିଟିଲାଗଡ ଓ କଣ୍ଟାବାଞ୍ଜି ଆର୍ଏମ୍ସିରେ ମଣ୍ଡି ଖୋଲା ଯାଇଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମହାନ୍ତି। ସେହିପରି ବେଲପଡ଼ା ବ୍ଲକ ମଣ୍ଡଳରେ କପା ଚାଷୀଙ୍କ ସୁବିଧା ପାଇଁ ଅତିରିକ୍ତ ମଣ୍ଡି ଖୋଲିବା ପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇଛି।

କଟନ କର୍ପୋରେସନ୍ ଅଫ୍ ଇଣ୍ଡିଆ(ସିସିଆଇ) ଅଧିକାରୀ, ଆର୍ଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ମଣ୍ଡିରେ ପଞ୍ଜୀକୃତ ଚାଷୀଙ୍କ କପା କିଣାଯାଏ। ସେହି କପାକୁ ମିଲ୍କୁ ପଠାଯାଏ ଜିନିଂ ପାଇଁ। ଚାଷୀ କପା ବିକ୍ରି ବାବଦ ଟଙ୍କା ଦିଆଯାଏ। ଜିନିଂ ହେଇ ସାରିବା ପରେ ସିସିଆଇ ନିଏ କପା। ତେବେ ଚାଷୀମାନଙ୍କ କହିବା ଅନୁସାରେ ପ୍ରତିବର୍ଷ ଡିସେମ୍ବର ୧୦ରୁ ୧୫ ତାରିଖରେ କପା ମଣ୍ଡି ଖୋଲୁଥିବା ବେଳେ ଜିଲା ପ୍ରଶାସନ ନଭେମ୍ବର ୧୬ ତାରିଖରୁ କପା ମଣ୍ଡି ଖୋଲିବା ସ୍ୱାଗତଯୋଗ୍ୟ। ଏଥର ସିସିଆଇ ପକ୍ଷରୁ କପା କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ଦର ୫ହଜାର ୮୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ମିଲର୍ସ ସିଧାସଳଖ ଚାଷୀଙ୍କ କପା କିଣିପାରିବେ ନାହିଁ ନିୟମ ରହିଛି। କିନ୍ତୁ ମଣ୍ଡିରେ ଚାଷୀମାନେ କପା ଆଣି ରଖିଥିଲେ ବି ସେମାନଙ୍କ କପା କିଣାଯାଉ ନଥିବା ଅଭିଯୋଗ ହେଉଛି। ଶୀତ କାକରରେ ସେମାନେ ପଡି ରହୁଛନ୍ତି। ଶେଷରେ ବାଧ୍ୟ ହୋଇ ଦଲାଲ ଜରିଆରେ ଚାଷୀ ମିଲର୍ସଙ୍କ ମିଲ୍କୁ ଯାଇ କପା ବିକ୍ରି କରୁଥିବା କହିଛନ୍ତି। ସରକାରୀ ଦାମ୍ ବଦଳରେ ୪୫ଶହ ଟଙ୍କାରେ କପା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ କି ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।
ପାଟଣାଗଡ ବ୍ଲକ ଗେର୍ଡା ପଞ୍ଚାୟତର ମରାଲ ଗାଁ ଚାଷୀ ଲିଙ୍ଗରାଜ ନାଏକ କହିଛନ୍ତି ଯେ, ଚାଷ ପୂର୍ବରୁ ହିଁ ମିଲର୍ସଙ୍କ ଦଲାଲମାନେ ଗାଁରେ କପା ଚାଷୀଙ୍କ ପାଖରେ ଭିଡ ଜମାନ୍ତି। ପୂର୍ବରୁ ମହାରାଷ୍ଟ୍ରର ଦଲାଲମାନେ ଜିଲାରେ ପଇଁତରା ମାରୁଥିବା ବେଳେ କିଛି ବର୍ଷ ହେଲା ବଲାଙ୍ଗିର ଜିଲାର ମିଲର୍ସମାନେ ସେମାନଙ୍କୁ ପଶିବାର ସୁଯୋଗ ଦେଉ ନାହାନ୍ତି। ଚାଷ ପୂର୍ବରୁ ମିଲର୍ସଙ୍କ ଦଲାଲ ଟଙ୍କା, ବିହନ, ସାର ସହ ଅନ୍ୟାନ୍ୟ ଉପକରଣ ଦିଅନ୍ତି ଚାଷୀଙ୍କୁ। ଅମଳ ହେଲା ପରେ କମ୍ ଟଙ୍କା ଦେଇ ସେହି ଅମଳ କପା ନେବାକୁ ଅଲିଖିତ ଚୁକ୍ତି କରୁଥିବା କହନ୍ତି ଚାଷୀ ଶ୍ରୀ ନାଏକ। ତେଣୁ ଦଲାଲଙ୍କୁ ପଠାଇ ଗାଁ ଦାଣ୍ଡରୁ କପା କିଣୁଛି ମିଲର୍ସ। ସୂଚନା ଅନୁସାରେ, ମଣ୍ଡିରେ ଆର୍ଏମ୍ସି, ସିସିଆଇ କର୍ମଚାରୀ ବିକ୍ରି ବାବଦ ଟଙ୍କା ଦିଅନ୍ତି। ତେବେ ପଞ୍ଜୀକୃତ ଚାଷୀଙ୍କ ବଦଳରେ ଆରଏମ୍ସି ଓ ସିସିଆଇ ମଧୁଚନ୍ଦ୍ରିକାରେ ଦଲାଲଙ୍କ ନାଁରେ କାଗଜପତ୍ର ହୁଏ। ଟଙ୍କା ଯାଏ ଦଲାଲ ଖାତାକୁ। ଚାଷୀ ଲାଭାଂଶ ହରାନ୍ତି ବୋଲି ଅଭିଯୋଗ ହୁଏ।
ଏକ ସର୍ଭେ ଅନୁସାରେ ଏଥର ଏକର ପ୍ରତି ୬ ରୁ ୭ କ୍ୱିଣ୍ଟାଲ କପା ପାଇବା ଆଶା ରହିଥିଲା। କିନ୍ତୁ ମାତ୍ରାଧିକ ବର୍ଷା ଓ ଗରମରେ ଫୁଲ କଶି ଝଡି ଗଲା। ଉତ୍ପାଦନ ହାର ୪ କ୍ୱିଣ୍ଟାଲ ତଳକୁ ଆସିଛି। ଓଡ଼ିଶାରେ କପା ଉତ୍ପାଦନ ୧୫/୨୦ ପ୍ରତିଶତ ପଛେଇ ଯାଇଛି। ବଲାଙ୍ଗିର, ଓଡ଼ିଶା ନୁହେଁ, ଜାତୀୟସ୍ତରରେ ଏହି ସମସ୍ୟା ବୋଲି ଜଣେ କପା ଚାଷ ଅଭିଜ୍ଞ ବ୍ୟକ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଜିଲାରେ ଇତିମଧ୍ୟରେ ମାତ୍ର ୩୭ହଜାର ୮ଶହ କ୍ୱିଣ୍ଟାଲ କପା କିଣାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚାଷୀ ଖାଲି କହୁଛନ୍ତି। କୌଣସି ଅଭିଯୋଗ କରୁ ନାହାନ୍ତି କାହିଁକି? ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ମତ ଦେଇଛନ୍ତି

Comments are closed.