ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ, ବଙ୍ଗୋମୁଣ୍ଡା ବିଡିଓ ଦିକ୍ଷିତ ବେହେରା, ତହସିଲଦାର ଗୁଣମଣି ସୁନାନୀଙ୍କ ସମେତ ଶିକ୍ଷା ବିଭାଗ, ସ୍ୱାସ୍ଥ୍ର୍ୟ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, ପୋଲିସ, ଅବକାରୀ ବିଭାଗ, କୃଷି ଓ ମତ୍ସ୍ୟ ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, ସମାଜ ମଙ୍ଗଳ ବିଭାଗ,ପ୍ରାଣୀ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ସର୍ବମୋଟ ୭୫ ଅଭିଯୋଗ କରାଯାଇଥିବା ବେଳେ ସେଥିରେ ବ୍ୟକ୍ତିଗତ ୬୬ ଟି ଅଭିଯୋଗ ଏବଂ ୯ ଟି ସାମୂହିକ ଅଭିଯୋଗ ହୋଇଥିଲା।ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା ଠାରେ ରହିଥିବା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ କନ୍ୟାଛାତ୍ରୀ ନିବାସ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିବା ନେଇ ଅଭିଯୋଗ ହୋଇଥିଲା। ବଙ୍ଗୋମୁଣ୍ଡା ବ୍ଲକର ଅନେକ ପଞ୍ଚାୟତରେ ଫସଲ ବୀମା,ଇନପୁଟ ସବସିଡି ଚାଷୀ ଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଥିଲା।ଚୁଲିଫୁଙ୍କା,ଖଇରା,ବଙ୍ଗୋମୁଣ୍ଡା ପଞ୍ଚାୟତର ଚାଷୀ ଙ୍କୁ ୨୦୧୯ ର ଫସଲ ବୀମା ଟଙ୍କା ପ୍ରଦାନ କରଯାଇନଥିବା ନେଇ ଦେବେନ୍ଦ୍ର ବହିଦାର, ମଧୁ ବାରିକ,ବୃନ୍ଦା ହାତୀ,କପିଳ ବେହେରା,ଯତିନ୍ଦ୍ର ପୁଟେଲ ପ୍ରମୁଖ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଭତ୍ତା, ରାସନକାର୍ଡ, ଆବାସ ଗୃହ ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଅଭିଯୋଗ କରିଥିଲେ।

Comments are closed.