ପୁଅ-ଝିଅ ଅନୁପାତରେ ଅସଙ୍ଗତି

ବଲାଙ୍ଗିର : ବଂଶ ପରମ୍ପରା ରକ୍ଷା କରିବାକୁ ପୁଅ ଦରକାର। ପୁଅ ପାଇଁ ଅଲୋଡା ହେଉଛି ଝିଅ। ଶିଶୁ କନ୍ୟା ଭୃଣ ହତ୍ୟା, ଜନ୍ମିତ ଝିଅକୁ ରାସ୍ତାରେ ଫିଙ୍ଗିଦେବା ଭଳି ଘଟଣା ଦେହସୁଆ। ଅନ୍ୟ ଜିଲା ଭଳି ବଲାଙ୍ଗିର ଜିଲାରେ ବି ଏହି ସମାନ କଥା। ଓଡ଼ିଶା ତୁଳନାରେ ଅନ୍ୟ ରାଜ୍ୟରେ ପୁଅ-ଝିଅଙ୍କ ଅନୁପାତରେ ଅନେକ ଅସଙ୍ଗତି। ନୀତି ଆୟୋଗର ପୁଅ-ଝିଅ ଅନୁପାତ ଦେଖିଲେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ଭଳି କିଛି ରାଜ୍ୟରେ ଝିଅ ସଂଖ୍ୟା ଢେର୍‍ କମ୍‍। ବଂଶକୁ ଆଗକୁ ବଢାଇବା କଥା ପଡିଲା ବେଳକୁ ବାଡୁଅ ପୁଅଙ୍କୁ କନ୍ୟା ମିଳିବା କଷ୍ଟକର। ତେଣୁ ରାଜ୍ୟ ବାହାରର ଅନେକ ବାଡୁଅ ପୁଅ ଟଙ୍କା ଦେଇ ଝିଅ ବାହା ହେବାକୁ ବି ପଛଉ ନାହାନ୍ତି। ଯାହାର ଏକ ଉଦାହରଣ ବଲାଙ୍ଗିରରେ ଦେଖିବାକୁ ମିଳିଛି ଶନିବାର।
ମଧ୍ୟପ୍ରଦେଶ ନିଖୋରୀ ଗାଁର ରାଜଭାନ ପାଲ୍‍ଙ୍କ ଗାଁ ନିକଟର ଜଣେ ଯୁବକ ବଲାଙ୍ଗିରର ଜଣେ ଯୁବତୀଙ୍କୁ ବିବାହ କରଥିଲେ। ରାଜଭାନଙ୍କୁ କନ୍ୟା ମିଳୁ ନଥିଲେ। ତେଣୁ ମଧ୍ୟସ୍ଥି ଦୀପକ ମିଶ୍ରଙ୍କ ଜରିଆରେ କନ୍ୟାଟିଏ ଖୋଜି ବାହା କରାଇ ଦେବାକୁ କହିଥିଲେ। କେବଳ ରାଜଭାନ ନୁହନ୍ତି, ତାଙ୍କ ସହ ଉତ୍ତରପ୍ରଦେଶର କିଶୋରୀ ପାଲ୍‍ ମଧ୍ୟ ବିବାହ ପାଇଁ ବଲାଙ୍ଗିର ଆସି ଠକେଇର ଶିକାର ହେଲେ। ଝିଅ ଦେଖା ପରେ ୨ଟି କସ୍ତିରେ ୭୦ହଜାର ଟଙ୍କା ନେଇ ମଧ୍ୟସ୍ଥି ଫେରାର ହୋଇଗଲେ। ମାମଲା ଏବେ ଟାଉନ୍‍ ଥାନାରେ। ତେବେ ବଲାଙ୍ଗିର ଜିଲାର ଗରିବ ଓ ବିବାହ ଖର୍ଚ୍ଚ ବହନ କରିପାରୁ ନଥିବା ପରିବାରକୁ ଦୃଷ୍ଟିରେ ରଖି ମଧ୍ୟସ୍ଥି ମାନେ ରାଜ୍ୟ ବାହାରର ଯୁବକଙ୍କୁ ବିବାହ ପ୍ରଲୋଭନ ଦେଉଛନ୍ତି। ରାଜ୍ୟ ବାହାରୁ ବର ଆସି ବିବାହ କରି ଘରକୁ ଫେରି ଯାଉଛନ୍ତି। ଆଉ କିଛି ଏଠାରେ ହିଁ ଜ୍ୱାଇଁ ପୁଅ ହୋଇ ରହିଯାଉଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଛତିଶଗଡ ପଡୋଶୀ ରାଜ୍ୟ ହୋଇଥିବାରୁ ବରଗଡ ସୋହେଲା, ପଦ୍ମପୁର, ନୂଆପଡ଼ା, ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା, ତୁରେକେଲା, କଣ୍ଟାବାଞ୍ଜି ଅଞ୍ଚଳର ଝିଅ ଓ ପୁଅଙ୍କର ବିବାହ ହେଉଛି। ତେବେ ମଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରୁ ପୁଅମାନେ ଆସି ଲୋଇସିଂହା, ପାଟଣାଗଡ, ଆଗଲପୁର, ତୁରେକେଲାର ଗ୍ରାମାଞ୍ଜଳ ଯୁବତୀଙ୍କୁ ବିବାହ କରୁଛନ୍ତି। ଏସଂପର୍କିତ ତଥ୍ୟ ବି ପୁଲିସ ପାଉଛି। ତେବେ କାଁ ଭାଁ କିଛି ବୈବାହିକ ସମସ୍ୟା ଓ ଅଭିଯୋଗକୁ ଛାଡି ଦେଲେ ରାଜ୍ୟ ବାହାରେ ବିବାହିତ ଝିଅଙ୍କର ସମସ୍ୟା ସେଭଳି କିଛି ସାମ୍ନାକୁ ଆସି ନଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
କାହିଁକି ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ, ମଧ୍ୟପ୍ରଦେଶର ବାଡୁଅ ଯୁବକ ଓଡ଼ିଶା ଉପରେ ଆଖି ପକାଇଛନ୍ତି ବୋଲି ପ୍ରଶ୍ନ ଉଠାଇବା ସ୍ୱାଭାବିକ। ଜାତୀୟ ନୀତି ଆୟୋଗର ପୁଅ-ଝିଅ ଅନୁପାତ ଉପରେ ଦୃଷ୍ଟି ପକାଇଲେ ପଡୋଶୀ ଛତିଶଗଡରେ ପ୍ରତି ହଜାରେ ପୁଅରେ ଝିଅ ସଂଖ୍ୟା ୯୬୧। ଆଉ ହଜାରେ ପୁଅଙ୍କ ଅନୁପାତରେ ରାଜସ୍ଥାନରେ ୮୫୩, ହରିୟାଣାରେ ୮୩୧, ମଧ୍ୟପ୍ରଦେଶରେ ୯୧୯, ଉତ୍ତରାଖଣ୍ଡରେ ୮୪୪, ଉତ୍ତରପ୍ରଦେଶରେ ୮୭୯ ଝିଅ ଥିବା ଜଣାପଡିଛି। ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ବହୁତ କମ୍‍ ଥିବାରୁ ବାଧ୍ୟ ହୋଇ ଓଡ଼ିଶା ଉପରେ ଆଖି ପଡୁଥିବା ଜଣାପଡିଛି। ସେହିପରି ବିବାହ ନାଁରେ ଯୁବତୀଙ୍କୁ ନେଇ ଅନ୍ୟତ୍ର ବିକ୍ରି କରିଦେବା, ଦଲାଲଙ୍କ ଜରିଆରେ ବେଶ୍ୟା ବୃତ୍ତି କରାଇବା ଭଳି ଅଭିଯୋଗ ଆସେ। ତେଣୁ ରାଜ୍ୟ ବାହାରେ ବିବାହ କରୁଥିବା ଝିଅମାନଙ୍କ ପଞ୍ଜୀକରଣ କରାଇବା ବ୍ୟବସ୍ଥା କରାଗଲେ ଝିଅମାନଙ୍କ ସ୍ଥିତି କେମିତି ଅଛି, କୌଣସି ଅସୁବିଧା ହେଲେ ଖୋଳତାଡ କରିବାକୁ ସହଜ ହୁଅନ୍ତା ବୋଲି ସାମାଜିକ କର୍ମୀମାନେ ମତ ଦିଅନ୍ତି।

Comments are closed.