ବିବାହ ନାଁରେ ଠକେଇ; ଝିଅ ଦେଖାଇ ନେଇଗଲେ ୭୦ହଜାର ଟଙ୍କା

ଧରାଛୁଆଁ ଦେଲେନି ମଧ୍ୟସ୍ଥି, ଥାନାରେ ମାମଲା

ବଲାଙ୍ଗିର : ଝିଅ ଦେଖା ସରିଲା। ଖୁସିରେ ଖାଇଲେ ମିଠା। ବିବାହ ପାଇଁ ପ୍ରସ୍ତୁତ ହୋଇଗଲେ ବର-କନ୍ୟା। ଶାଢୀ, ସିନ୍ଦୁର, ଚୁଡି ଓ ମଙ୍ଗଳସୂତ୍ର କିଣିବାକୁ ମଧ୍ୟସ୍ଥି ବରାଦ ଦେଲେ ବରକୁ। ଆଉ ଦୁଇଟି ପର୍ଯ୍ୟାୟରେ ୭୦ହଜାର ଟଙ୍କା ବି ନେଲେ। ମଧ୍ୟସ୍ଥିଙ୍କ କହିବା ମୁତାବକ ଶୁକ୍ରବାର ବର ବୋଲେରୋ ଗାଡିରେ ବସି ପୁଇଁନ୍ତଲା ଚେରୁପାଲିରେ ହାଜର। ହେଲେ ନାଁ ଝିଅ ପକ୍ଷର ଦେଖା ଅଛି, ନା ମଧ୍ୟସ୍ଥିଙ୍କ ଫୋନ୍‍ ଲାଗୁଛି। ପରେ ମଧ୍ୟସ୍ଥି ଧମକ ଦେଉଛନ୍ତି ଯେ, ଭଲ ଦଶା ଅଛି ତ ଏଠୁ ପଳାଅ। ନହେଲେ ଜୀବନ ଯିବ। ସୁଦୂର ମଧ୍ୟପ୍ରଦେଶରୁ ଆସିଥିବା ବର ଟଙ୍କା ଦେଇ ମନ୍ଦିରରେ ବାହା ହେବ କ’ଣ, ନ୍ୟାୟ ପାଇଁ ବଲାଙ୍ଗିର ଟାଉନ୍‍ ଥାନାର ଦ୍ୱାରସ୍ଥ ହୋଇଛି।
ଉତ୍ତରପ୍ରଦେଶ ଲଳିତପୁର ଜିଲାର ନିଖୋରା ଗାଁର ରାଜଭାନ ପାଲ(୨୭)। ତାଙ୍କ ଗାଁ ନିକଟରେ ଜଣେ ଯୁବକଙ୍କର ବିବାହ ବଲାଙ୍ଗିରର ଜଣେ ମଧ୍ୟସ୍ଥି ଜରିଆରେ ହୋଇଥିଲା। ମଧ୍ୟସ୍ଥି ଝିଅ ନେଇ ସେଠାରେ ବିବାହ କରାଇଥିବାରୁ ଖବର ପାଇ ରାଜଭାନ ବି ମଧ୍ୟସ୍ଥି ଦୀପକ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। ରାଜଭାନଙ୍କ ଭଳି ମଧ୍ୟପ୍ରଦେଶ ସାଗର ଜିଲା ନିୱାରୀ ଗାଁର କିଶୋରୀ ପାଲ ମଧ୍ୟ ମଧ୍ୟସ୍ଥି ଦୀପକଙ୍କ ଯୋଗାଯୋଗରେ ରହିଥିଲେ। ରାଜଭାନ ଓ କିଶୋରୀ ବଲାଙ୍ଗିର ଆସିଥିଲେ ୧୯ ତାରିଖରେ। ସେମାନେ ଭାଗିରଥୀ ଛକରେ ଥିବା ଏକ ଲଜ୍‌ରେ ରହିଥିଲେ। ପାଟଣାଗଡ ତମିଆଁ ଅଏଁଲାତୁଙ୍ଗାର ଦୀପକ ରାଜଭାନ ଓ କିଶୋରୀଙ୍କୁ ନେଇ ଝିଅ ଦେଖିବାକୁ ଯାଇଥିଲେ। ଝିଅ କିଶୋରୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ରାଜଭାନଙ୍କ ପାଇଁ ଆଉ ଜଣେ ଯୁବତୀ ଠିକ୍‍ କରିଦେବା ପାଇଁ ପ୍ରସ୍ତାବ ଦେଇଥିଲେ ଦୀପକ। ଏହାପରେ ମିଠା ଖୁଆଖୁଇ ହୋଇଥିଲେ ସେମାନେ। ଝିଅ ଦେଖାଇ ନେବା ପୂର୍ବରୁ ୪୦ହଜାର ସେମାନଙ୍କଠାରୁ ମଧ୍ୟସ୍ଥି ନେଇଥିଲେ। ଶୁକ୍ରବାର ମନ୍ଦିରରେ ବିବାହ ହେବ, ତେଣୁ ସାମଗ୍ରୀ କିଣାକିଣି କରିବାକୁ କୁହାଯାଇଥିଲା। ଅଧିକ ୩୦ହଜାର ଟଙ୍କା ମାଗିଥିଲେ ମଧ୍ୟସ୍ଥି। ଘରୁ ଟଙ୍କା ଅନ୍ୟଜଣଙ୍କ ଖାତାରେ ଡିପୋଜିଟ କରିବା ପରେ ମଧ୍ୟସ୍ଥି ସେହି ଟଙ୍କା ମଧ୍ୟ ନେଇଥିଲେ। ଶୁକ୍ରବାର ସକାଳେ ଏକ ଗାଡି ଠିକ୍‍ କରି ମଧ୍ୟସ୍ଥି ଉଭୟଙ୍କୁ ଚେରୁପାଲିରେ ଛାଡିଦେବାକୁ କହିଥିଲେ। ମଧ୍ୟସ୍ଥି ଚେରୁପାଲିରେ ପହଞ୍ଚିଥିଲେ। ମଧ୍ୟସ୍ଥି ଧରାଛୁଆଁ ଦେଲେ ନାହିଁ। ଫୋନ୍‍ ସୁଇଚ୍‍ ଅଫ୍‍ ହୋଇଯାଇଥିଲା। ଅନେକ ଥର ଯୋଗାଯୋଗ କରିବା ପରେ ଶେଷରେ ଲାଗିଥିଲା ଫୋନ୍‍। ଆଉ ମଧ୍ୟସ୍ଥି ଧମକ ଦେଇଥିଲେ ଯେ, ସେମାନେ ଏଠାରୁ ଚାଲି ଯାଆନ୍ତୁ। ଯୁବ ୟୁଥ୍‍ ଏକ୍ସନ କମିଟିର ସନ୍ତୋଷ ପଟ୍ଟନାୟକ ଦୁଇ ଯୁବକଙ୍କ କଥା ଶୁଣିବା ପରେ ଟାଉନ୍‍ ଥାନାକୁ ଆଣିଥିଲେ। ପୁଲିସ ନିକଟରେ ସବୁ କଥା କହିବା ପରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଶନିବାର ଉଭୟ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲାର ଖୋଳତାଡ କରୁଥିବା କହିଛନ୍ତି ଟାଉନ୍‍ ଥାନା ଆଇଆଇସି ସଂଗ୍ର୍ରାମ କେଶରୀ ପଟ୍ଟନାୟକ।
ବଲାଙ୍ଗିର ଜିଲାରେ କିଛି ମାସ ତଳେ ଚାଲିଥିବା ଦେହ କାରବାର ସୂତ୍ରଧର କିଛି ଯୁବକ ଏବେ ବିବାହ ପ୍ରଲୋଭନ ଦେଇ ରାଜ୍ୟ ବାହାର ଯୁବକଙ୍କୁ ଠକେଇ କରୁଥିବା ଜଣାପଡିଛି। ଏହି ଠକେଇର ଶିକାର ରାଜଭାନ ଓ କିଶୋରୀ ହୋଇଥିବା ସନ୍ଦେହ କରୁଛି ପୁଲିସ। ମଧ୍ୟସ୍ଥିର ଠିକଣା, ମଧ୍ୟସ୍ଥି ଓ ବିବାହ ପ୍ରସ୍ତାବ ଦିଆଯାଇଥିବା ଯୁବତୀଙ୍କ ଫଟୋ, ଟଙ୍କା ନେବାର ଭିଡିଓ, ଅନ୍ୟ ଜଣଙ୍କ ଆକାଉଣ୍ଟରେ ଆସିଥିବା ଟଙ୍କାର ସୂଚନା ସବୁ ପୁଲିସକୁ ମିଳିଛି। ଏନେଇ ଖୋଳତାଡ କଲେ କେବଳ ରାଜଭାନ, କିଶୋରୀ ନାଁ ଏଭଳି ଅନେକ ରାଜ୍ୟ ବାହାରର ଯୁବକ ବିବାହ ଲୋଭରେ ଠକେଇର ଶିକାର ହୋଇଛନ୍ତି ତାହା ଜଣାପଡିବ ବୋଲି କହିଛନ୍ତି ଆଇଆଇସି ଶ୍ରୀ ପଟ୍ଟନାୟକ।

Comments are closed.