ଲାଭ ଓ ଲୋଭ ଜାଲରେ ଗାଁ ମହିଳା; ଟଙ୍କା ଆତ୍ମସାତ ମାମଲାର ତଦନ୍ତ କଲେ ଏଏସ୍‌ପି ଓ ଏସ୍‌ଡିପିଓ

ବଲାଙ୍ଗିର/ମୁରିବାହାଲ : ଟଙ୍କା ଜମା କର। ଦି’ ଗୁଣା ହେଇଯିବ ଟଙ୍କା। ଏମିତି ଲାଭ ଓ ଲୋଭ ଦେଖାଇଲେ ଗାଁ ମହିଳାମାନଙ୍କୁ। ସେମାନେ ବି ଏଥିରେ ଛନ୍ଦି ହେଇଗଲେ। ଦେଶରେ ଚିଟଫଣ୍ଡରେ ଲକ୍ଷ ଲକ୍ଷ ଲୋକ ଏହି ଲାଭ ଓ ଲୋଭରେ ଜାଲ୍‌ରେ ପଡି ଏବେ ଦହଗଞ୍ଜ। ତଥାପି ଚେତିଲେନି ଗାଁ ମହିଳା। ଏଜେଣ୍ଟଙ୍କ ଫନ୍ଦିଫିକରରେ ପଡି ଟଙ୍କା ଆଣି ଜମା କରିଦେଲେ। ଆଉ ମୂଳ ସହ ଲାଭ ଖୋଜିଲା ବେଳକୁ ସଂସ୍ଥା ଗାୟବ। ଏଭଳି ଏକ ଘଟଣା ଏବେ ବଲାଙ୍ଗିର ଜିଲା ମୁରିବାହାଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କୋଟି କୋଟି ଟଙ୍କାର ହେରଫେର କରି ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀମାନେ ଫେରାର ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ଆତ୍ମ ସମର୍ପଣ କରିବା ପରେ ଟଙ୍କା ଫେରି ପାଇବା ଆଶାରେ ଜାଲରେ ଫଶିଥିବା ମହିଳାମାନେ। ତେବେ ମାମଲାର ଗୁରୁତ୍ୱକୁ ନଜରରେ ରଖି ଗୁରୁବାର ବଲାଙ୍ଗିର ଅତିରିକ୍ତ ଏସ୍‌ପି, କଣ୍ଟାବାଞ୍ଜି ଏସ୍‌ଡିପିଓ ମୁରିବାହାଲ ଯାଇ ତଦନ୍ତ କରିଥିବା ଜଣାପଡିଛି।
ଜଣଙ୍କ ପରେ ଜଣେ ମହିଳା। ଏମିତି ଶହ ଶହ ମହିଳା ବିଶ୍ୱାସ କରି ଉପାର୍ଜିତ ଓ ଋଣ କରି ଆଣିଥିବା ଟଙ୍କା ହାତରେ ଦେଇଦେଲେ ଦି’ଗୁଣା ପାଇବା ଆଶାରେ। ଆଉ ଟଙ୍କା ଫେରି ପାଇବା ସମୟ ପାଖେଇ ଆସିଲା ବେଳକୁ ଲୋଭ ଦେଇଥିବା ମୁଖ୍ୟ କାର୍ପଟଦାର ଫେରାର। ଅକଲ୍‌ଗୁଡୁମ୍‌ ମହିଳାମାନଙ୍କର। ଏକଜୁଟ ହୋଇ ମହିଳାମାନେ ମୁରିବାହାଲ ବ୍ଲକର ତତ୍କାଳୀନ ବିଡିଓ ଦାୟିତ୍ୱରେ ମହେନ୍ଦ୍ର ପ୍ରଧାନୀଙ୍କୁ ଦେଇଥିଲେ ଦାବିପତ୍ର। ସେହିପରି ମାଳିଶିର. ଡେଙ୍ଗପଦର, ଚିକିନିବାହାଲ, ଦେଶିଲ, କଙ୍କଡ଼ାପଦର, ଖଇରମାଲ, ବାଙ୍କେଲ, ଦେଭୂଇଁ, ଲେଂଝା, ଲଖନା, ଫଣ୍ଡେଲପଦର, ଡଙ୍ଗରପଡ଼ା, ରୁଗୁଡ଼ିପଡ଼ା ଭଳି ବିଭିନ୍ନ ଗାଁର ମହିଳାମାନେ କୋଟି କୋଟି ଟଙ୍କା ଆର୍‌ଏମ୍‌ସିସି ସଂସ୍ଥାରେ ଜମା କରିଥିବା ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। କେତେ ଟଙ୍କା ଜମା କରିଥିଲେ ତାହା ସ୍ପଷ୍ଟ ହିସାବ ମିଳି ନଥିବା ବେଳେ ଆଇଆଇସି ତରା ଜସ୍ମିନ ଗୁରିଆ ଆଇପିସିର ୪୨୦, ୪୬୭, ୪୬୮, ୩୪ ଦଫାରେ ୨୪୩ ନମ୍ବର ମାମଲା ରୁଜୁ କରିଥିଲେ। ଆର୍‌ଏମ୍‌ସିସି ସଂସ୍ଥା ଖୋଲି ରାତାରାତି କୋଟିପତି ହୋଇଥିବା ତଥା ଆର୍‌ଏମ୍‌ସିସି ସଂସ୍ଥାର ମୁଖିଆ କହୁଥିବା ଗଁରେଇ ପଞ୍ଚାୟତ ଅସୁରମୁଣ୍ଡା ଗାଁର ଠାକୁର ସେଲମା ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମ ସମର୍ପଣ କରିଥିଲେ। ତାଙ୍କୁ ମୁରିବାହାଲ ପୁଲିସ ନିଜ ଜିମାରେ ନେଇଥିଲା। ପରେ କୋର୍ଟ ଚାଲାଣ କରିଥିଲା। କିନ୍ତୁ ବୁଧୁବାର ବିଭିନ୍ନ ଗାଁର ମହିଳାମାନେ ବଲାଙ୍ଗିର ଏସ୍‌ପି ଏମ୍‌.ସନ୍ଦୀପ ସମ୍ପତଙ୍କୁ ସାକ୍ଷାତ କରି ସେମାନଙ୍କ ଟଙ୍କା ଠକେଇ ହେଇଥିବା ଓ ସେମାନେ ବିଭିନ୍ନ ପ୍ରକାର ହଇରାଣ ହେଉଥିବା ଏସ୍‌ପିଙ୍କୁ ଜଣାଇଥିଲେ। ଏହି ମାମଲାର ଗୁରୁତ୍ୱକୁ ଅନୁଭବ କରି ଗୁରୁବାର ଏସ୍‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌ପି ମନୋରଞ୍ଜନ ପ୍ରଧାନ, କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ ମହାପାତ୍ର ମୁରିବାହାଲ ଥାନାକୁ ଯାଇଥିଲେ। ସେଠାରେ ବିଭିନ୍ନ ଗାଁର ମହିଳାମାନେ ପୂର୍ବରୁ ଥିଲେ। ଜଣେ ପରେ ଜଣେ ଏମିତି ଥାନାକୁ ଆସିଥିବା ମହିଳାମାନଙ୍କର କେତେ ଟଙ୍କା ଜମା ହୋଇଛି, କାଗଜପତ୍ର ଆଦି ଯାଞ୍ଚ କରିଥିଲେ। ପୁଲିସ ଅଧିକାରୀଙ୍କ କହିବା ଅନୁସାରେ କୋଟି କୋଟି ଟଙ୍କା ହଡପ କରିଥିବା କୁହାଯାଉଥିଲେ ବି ନିର୍ଦ୍ଦିଷ୍ଟ କେତେ ଟଙ୍କା ହଡପ କରାଯାଇଛି ତାହାର ହିସାବ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ତେଣୁ ଏନେଇ ସେମାନେ କୌଣସି ପ୍ରତିକ୍ରିୟା ରଖିପାରି ନଥିଲେ।
ବଲାଙ୍ଗିର ଜିଲା କେବଳ ନୁହେଁ, ରାଜ୍ୟର ବିଭିନ୍ନ ଜିଲାରେ ବିଭିନ୍ନ ସଂସ୍ଥା ଏଭଳି ଲାଭ ଓ ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ଟଙ୍କା ଖାଇଗଲେ। କିଏ ଜେଲ୍‌ରେ ପୁଣି କିଏ ବେଲ୍‌ରେ। ଚିଟ୍‌ଫଣ୍ଡରେ ଟଙ୍କା ଖଟାଇ ସର୍ବସ୍ୱାନ୍ତ ହୋଇଥିବା ଲୋକେ ଏବେ ଦୟନୀୟ ଜୀବନ ଜିଉଁଛନ୍ତି। ରାଜ୍ୟ ସରକାର ସ୍ୱଳ୍ପ ଟଙ୍କା ଖଟାଇଥିବା ଲୋକଙ୍କୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରିଥିଲେ। ତେବେ ଏହା କେତେଦୂର ସଫଳ ହେଲା ତାହା ଅସ୍ପଷ୍ଟ। ହେଲେ ନିଜର ଉପାର୍ଜିତ ଟଙ୍କା ଲଗାଇ ନିସ୍ୱ ହୋଇଯାଇଥିବା ଲୋକେ ଚିନ୍ତାରେ ପ୍ରାଣ ହରାଇଥିବା ବେଳେ ଅନେକେ ଆତ୍ମହତ୍ୟା ବି କରିଛନ୍ତି, ଦାଣ୍ଡର ଭିକାରୀ ହେଇଛନ୍ତି। ପରିବାର ଉଜୁଡ଼ି ଯାଇଛି। ଆଉ ଏବେ ମୁରିବାହାଲ ବ୍ଲକ ଅଞ୍ଚଳରେ ଆର୍‌ଏମ୍‌ସିସି ସଂସ୍ଥା ଗାଁଉଲି ମହିଳାଙ୍କୁ ହାତ କରି ସେମାନଙ୍କ ଟଙ୍କା ହଡପ କରିବା ପରେ ଚିନ୍ତାରେ। ଏହି ମାମଲ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ପୁଲିସ ସ୍ୱତନ୍ତ୍ର ଟିମ୍‌ କରିବା ସହ କେତେ ଟଙ୍କା ଆତ୍ମସାତ ହୋଇଛି, ପୀଡ଼ିତାମାନଙ୍କ ତାଲିକା ପ୍ରସ୍ତୁତ ସହ କାରବାରରେ ସାମିଲ ଅନ୍ୟ ଲୋକଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.