ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ‘ମରକ୍ରିପଡ଼ା’

ମୁରିବାହାଲ : ଗାଁରେ ଯେଉଁ ଗଛକୁ ଦେଖିଲେ ଶହ ଶହ ପକ୍ଷୀ। କିଏ ଛୁଆର ଯତ୍ନ ନେଉଛି ତ କିଏ ନିଜ ବସା ତିଆରିବା ପାଇଁ କୁଟାକାଠି ଆଣିବାରେ ବ୍ୟସ୍ତ। ଆଉ କିଏ ଖାଦ୍ୟ ସନ୍ଧାନରେ ଏଣେ ତେଣେ ଉଡି ବୁଲୁଛି। ମନହେଲେ ପକ୍ଷୀମାନେ ଘେରାଏ ଖୋଲା ଆକାଶରେ ଉଡି ଆସୁଛନ୍ତି। ଏ ଗଛରୁ ସେ ଗଛକୁ ଯାଇ ବସୁଛନ୍ତି। ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଶୁଭୁଛି। ଆଉ ସବୁଠାରୁ ବଡ କଥା ହେଉଛି ଯେ, ପକ୍ଷୀ ଶିକାରୀ ପ୍ରତି ସତର୍କ ଲୋକେ। ଖୋଦ୍‌ ଗାଁ ଲୋକେ ଏହି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାରେ ନିୟୋଜିତ। ୟେ ହେଉଛି ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଅଧୀନରେ ଥିବା ମାକ୍ରିପଡ଼ା ଗାଁ। ଯାହାକୁ ଏବେ ବିଦେଶାଗତ ପକ୍ଷୀଙ୍କ ଏନ୍ତୁଡିଶାଳ ବୋଲି କୁହାଯାଉଛି।
ଗାଁକୁ ଗଲା କିଛି ବର୍ଷ ହେଲା ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସୁଛନ୍ତି। ୫ ମାସ ଏଠାରେ ରହିବା ସହ ଛୁଆ ଦିଅନ୍ତି। ଏହା ପରେ ସେମାନେ ଉଡିଯାଆନ୍ତି କୁଆଡେ କେଜାଣି। ସେମାନଙ୍କ ପରବର୍ତ୍ତୀ ଠିକଣା କେଉଁଠି ତାହା ଜାଣିପାରନ୍ତି ନାହିଁ ମାକ୍ରିପଡ଼ା ଗାଁ ଲୋକେ। ତେବେ ପକ୍ଷୀଙ୍କ ୫ ମାସ ରହଣି ସମୟରେ ସେମାନଙ୍କୁ ସୁରକ୍ଷା ଦେଇଥାନ୍ତି ସ୍ଥାନୀୟ ଲୋକେ। ଗାଁରେ ପକ୍ଷୀ ବାସ କରିବା ଗାଁ ଲୋକ ତଥା ଚାଷୀମାନଙ୍କ ପାଇଁ ଉପକାରୀ ହୋଇଥିବା କହନ୍ତି ଗାଁର ନିର୍ମଳ ଭୋଇ। ଚାଷ ଜମିରେ ଗେଣ୍ଡା ସହ ଅନ୍ୟାନ୍ୟ ପୋକ ହେଉଥିବା ବେଳେ ଏହି ପକ୍ଷୀମାନେ ସେ ସବୁ ଆହାର କରନ୍ତି। ତେଣୁ ସେମାନଙ୍କୁ ପାଳି କରି ଲୋକେ ସୁରକ୍ଷା ଦେଇଥାନ୍ତି। ସେଥିପାଇଁ ପ୍ରତି ବର୍ଷ ଏଠାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି କହନ୍ତି ଶ୍ରୀ ଭୋଇ। ସେହି ଅଞ୍ଚଳ ବୁଲିବା ବେଳେ ଦେଖିବାକୁ ମିଳିଥିଲା ଯେ, ଚାଷ ଜମି ନିକଟରେ ଥିବା ଗଛଗୁଡ଼ିକରେ ଏହି ପକ୍ଷୀମାନେ ବେଶୀ ସଂଖ୍ୟାରେ ବସା କରି ରହୁଛନ୍ତି। ପ୍ରଥମେ ପ୍ରଥମେ କିଛି କିଛି ପକ୍ଷୀ ଆସୁଥିଲେ। ୧୦ ବର୍ଷ ହେଲା ସେମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗାଁ ଜମିରେ ଥିବା ସବୁ ଗଛରେ ପକ୍ଷୀଙ୍କ ବସା। ଏବେ ହଜାର ହଜାର ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ଲୋକଙ୍କ ଉତ୍କଣ୍ଠା। ଏକ ଭାବଗତ ସଂପର୍କ ତିଆରି ହେଇସାରିଛି ମାକ୍ରିପଡ଼ା ଗାଁ ଲୋକ ଓ ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ। ବିଦେଶାଗତ ପକ୍ଷୀଙ୍କ ଏନ୍ତୁଡିଶାଳ ବୋଲି ଆଖ ପାଖ ଅଞ୍ଚଳରେ ମାକ୍ରିପଡ଼ା ଗାଁର ପରିଚୟ।
ପ୍ରତ୍ୟକ ବର୍ଷ ଖରା ଦିନ ଶେଷ ହେବା ବେଳକୁ ପକ୍ଷୀମାନେ ଆସି ଗଛମାନଙ୍କରେ ଡେରା ଜମାନ୍ତି। ବସା ତିଆରି କରନ୍ତି। ବର୍ଷା ସମୟରେ ସେମାନେ ଛୁଆ ଦିଅନ୍ତି। ଶୀତ ବେଳକୁ ଛୁଆମାନେ ଡେଣା ମେଲାଇ ଉଡିବା ଆରମ୍ଭ କରନ୍ତି। ଏହାପରେ ପକ୍ଷୀମାନେ ପୁଣି ମାକ୍ରିପଡ଼ା ଗାଁରୁ ବିଦାୟ ନିଅନ୍ତି ପର୍ୟ୍ୟାୟ ପର୍ୟ୍ୟାୟ କରି। ଲେଉଟାଣି ଉଡା ଦିଅନ୍ତି ଏହି ବିଦେଶାଗତ ପକ୍ଷୀ। ତେବେ ଏହି ସ୍ୱଳ୍ପକାଳୀନ ବିଦେଶାଗତ ପକ୍ଷୀଙ୍କ ରହଣି କାଳରେ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ, ଏହି ପକ୍ଷୀମାନେ ମାକ୍ରିପଡ଼ା ଗାଁ ପାଇଁ ଶୁଭଙ୍କର। ପକ୍ଷୀମାନଙ୍କ ଆସିବା ଦେଖି ଚାଷୀମାନେ ବର୍ଷାର ପୂର୍ବାନୁମାନ କରିବା ସହ ଚାଷ ପାଇଁ ସଜବାଜ ହୁଅନ୍ତି। ପକ୍ଷୀଙ୍କ ପାଇଁ ଗାଁର ଭିନ୍ନ ପରିଚୟ ସୃଷ୍ଟି ହୋଇଛି କହନ୍ତି ଗାଁର ଯୁବରାଜ ନାଗ। ସେହିପରି ଶିକ୍ଷକ ସାଧୁଚନ୍ଦ୍ର ଛତର କହନ୍ତି ଯେ, ସ୍ଥାନୀୟ ଭାଷାରେ ଏହି ପକ୍ଷୀମାନଙ୍କୁ ପାଣିକୁଆଳି, ଗେଣ୍ଡୁଳିଆ, କଙ୍କଡ଼ା ବୋଲି ନାଁ ଦିଆଯାଇଛି। ତେବେ ଗାଁ ଲୋକେ ପକ୍ଷୀ ଶିକାର କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଦେବାକୁ ଆଗ୍ରହ ଦେଖାନ୍ତି। ସେମାନଙ୍କ ଗାଁ ଲୋକେ ସଭା କରିବା ସହ ପାଳି କରି ପକ୍ଷୀମାନଙ୍କୁ ଜଗନ୍ତି। କେହି ଶିକାରୀ ଗାଁ ଲୋକଙ୍କ ନଜରରେ ପଡିଲେ ଧମକ ଚମକ ଦେଇ ସେମାନଙ୍କୁ ଘଉଡାଇ ଦିଆଯାଏ ଶ୍ରୀ ଛତର ମତ ଦିଅନ୍ତି। ସେହିପରି ଜଙ୍ଗଲ ବିଭାଗ ବି ବିଦେଶାଗତ ପକ୍ଷୀଙ୍କୁ ନେଇ ସକରାତ୍ମକ ଆଭିମୁଖ୍ୟ ରଖିବା ସହ ଯତ୍ନବାନ। ପକ୍ଷୀଙ୍କ ପାଇଁ ଲୋକଙ୍କ ସହ ବିଭାଗ ଯୋଗାଯୋଗରେ ରହିଥିବା କହନ୍ତି ମୁରିବାହାଲ ବନବିଭାଗ ଅଧିକାରୀ ପ୍ରଶାନ୍ତ ନାୟକ।

Comments
Loading...