ଏବେବି ରହସ୍ୟ ଭିତରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟଣା,୧୫ ଦିନ ପରେ ମଧ୍ୟ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ, ପୁଲିସ ଓ ପରିବାର ନୀରବ

ବଲାଙ୍ଗିର : ଦେଖୁ ଦେଖୁ ୧୫ ଦିନ ବିତିଗଲାଣି ଦୁଇ ଯୁବତୀଙ୍କ ମୃତ୍ୟୁ ଘଟଣା। କିନ୍ତୁ ଆଜି ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇପାରିଲାନି ପୁଲିସ। ଗତ ୧୫ ତାରିଖ ସକାଳୁ ତୁଷୁରା – ଗୁଡଭେଲା ରାସ୍ତାରେ ତେଳ ନଦୀ ବ୍ରୀଜ ଉପରୁ ଦୁଇ ଜଣ ଯୁବତୀ ଡେଇଁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ଆତ୍ମହତ୍ୟା କରିବା ଭଳି କୈାଣସି କାରଣ ନଥିବା ପରିବାର ଲୋକେ କହିଥିଲେ। ତେବେ ଉଭୟ ଭଉଣୀ ଆତ୍ମହତ୍ୟା କରିଥିଲେ ନା ଦୁର୍ଘଟଣାବଶତଃ ସେମାନଙ୍କ ମୃତ୍ୟୁ ହୋଇଥିଲା ତାହା ପୁଲିସ ସ୍ପଷ୍ଟ କରିପାରିନାହିଁ। ଏମିତିରେ ଆଜି ଏହି ଦୁଇ ଭଉନୀଙ୍କ ମୃତ୍ୟୁର କାରଣ ଖୋଜୁଛନ୍ତି ସ୍ଥାନୀୟ ଲୋକେ।

ଘଟଣାକ୍ରମ ଅନୁସାରେ ବଲାଙ୍ଗିର ଜିଲା ଗୁଡଭେଲାର ଜଣେ ବ୍ୟବସାୟୀ ରାମତୋର ଅଗ୍ରୱାଲଙ୍କ ତିନି ଝିଅ ମଧ୍ୟରୁ ଦୁଇ ଜଣ ଝିଅ ଅନମୋଲ ଅଗ୍ରୱାଲ ଓ ଆଞ୍ଚଳ ଅଗ୍ରୱାଲ ସକାଳୁ ଘରୁ ନିଜ ସ୍କୁଟିରେ ବାହାରିଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ତୁଷୁରା ଓ ଗୁଡଭେଲା ରାସ୍ତାରେ ଥିବା ତେଳ ନଦୀ ଉପରେ ଥିବା ବ୍ରୀଜ ଉପରେ ଏକ ସ୍କୁଟି ଓ ଦୁଇ ହଳ ଚପଲ ଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଜଣାପଡିଥିଲା ଏହି ସ୍କୁଟି ରାମତୋର ଅଗ୍ରୱାଲଙ୍କ ନାଁରେ ରହିଥିବା ବେଳେ ତାଙ୍କ ଦୁଇ ଝିଅ ଏହି ସ୍କୁଟିରେ ଘରୁ ବାହାରିଥିଲେ। ଉଭୟ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଆଲୋଚନା ହୋଇଥିଲା। ଏନେଇ ତୁଷୁରା ପୁଲିସ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ବାହିନୀର ସହାୟତାରେ ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ନଦୀ ପଠାରୁ ମିଲିଥିଲା।

ତେବେ ଏହି ଦୁଇ ଜଣ ଯୁବତୀ ଆତ୍ମହତ୍ୟା କରିଥିବା ନେଇ କେହି କେହି କହୁଥିବା ବେଳେ ପରିବାର ଲୋକଙ୍କ କହିବା ଅନୁସାରେ ଆତ୍ମହତ୍ୟା କରିବା ଭଳି କୈାଣସି ପରିସ୍ଥିତି ବା କୈାଣସି ସମସ୍ୟା ନଥିଲା। ତେବେ ଏହି ଦୁଇ ଭଉଣୀଙ୍କୁ ମୃତ୍ୟୁ କିପରି ହେଲା ତାହା ଜାଣିବା ପାଇଁ ସ୍ଥାନୀୟ ଲୋକେ ଚାହିଁ ବସିଥିବା ବେଳେ ପୁଲିସ ଏନେଇ କିଛି ସ୍ପଷ୍ଟ କରିପାରିନାହିଁ। ଅନମୋଲଙ୍କ ବୟସ ହୋଇଥିବାରୁ ତାଙ୍କର ବିବାହ ପ୍ରସ୍ତାବ ଆରମ୍ଭ ହୋଇଥିଲା। ସେହିଭଳି ଆଞ୍ଚଳ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ତାଙ୍କ ପାଠପଢା ଜାରି ରହିଥିଲା। ଏମିତି ଏକ ସ୍ଥିତିରେ ଏହି ଦୁଇ ଜଣଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ତେବେ ଏହି ଦୁଇ ଭଉଣୀଙ୍କ ପ୍ରତି କୈାଣସି ବିଷୟ କୁ ନେଇ ପରିବାରିକ ଚାପ ରହିଥିଲା କି?ଅନମୋଲଙ୍କ ବିବାହ ପ୍ରସ୍ତାବକୁ ନେଇ କୈାଣସି ସମସ୍ୟା ରହିଥିଲା କି ? ସ୍ଥାନୀୟ ଲୋକେ ଏମିତି ଅନେକ ପ୍ରଶ୍ନ କରିଥିବା ବେଳେ ପରିବାର ଲୋକ ମଧ୍ୟ ନୀରବ ରହିଛନ୍ତି। ମୃତ୍ୟୁର କାରଣ ଖୋଜିବା ପାଇଁ କୈାଣସି ଚେଷ୍ଟା କରୁନଥିବା ବେଳେ ପରିବାର ଲୋକଙ୍କ ନୀରବତାରେ ପୁଲିସ ମଧ୍ୟ ଚୁପ ବସିଛି। ଯଦି ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି ତେବେ ଆତ୍ମହତ୍ୟା ପଛର କାରଣ ଖୋଜିବା ସହ କାହା ଚାପରେ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ପୁଲିସ ସ୍ପଷ୍ଟ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି। ସେହିପରି ଯଦି ସେମାନେ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ତେବେ ତାହା ମଧ୍ୟ ପୁଲିସ ସ୍ପଷ୍ଟ କରିବା ପାଇଁ ଦାବି ହୋଇଛି।

Comments are closed.