ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

– ଅଭିଯୋଗ ପରେ ଆକଳନ ଚାଲିଛି – କୃଷି ଜିଲା ଅଧିକାରୀ
– କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ – ଚାଷୀନେତା
ବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା। ଗତ ୨୦ ତାରିଖରେ ରାତ୍ରିରେ ଲୋଇସିଂହା ଓ ଆଗଲପୁର ବ୍ଲକରେ ହୋଇଥିବା ବର୍ଷାରେ ବହୁ ଚାଷୀଙ୍କ ଧାନ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଲିଛି। ବହୁ କଷ୍ଟରେ ଧାନ ଅମଳ ପୂର୍ବରୁ ଏହି ଅବସ୍ଥା ଏବେ ଚାଷୀକୁ ଚିନ୍ତାରେ ପକାଇଛି।
“ଆଜ୍ଞା ସବୁଆଡର ଧାନ କ୍ଷତି ହେଲେ ତ କିଛି ସହାୟତା ନାଇ ମିଲବାର ଇଟା ଆମର ଦୁଇଟି ବଲକର କଥା। ଇଥି କେନୁ ଆର କାଣା ସହାୟତା ମିଲବା। ଦୁଇ ତିନ ବଛର କ୍ଷତି ସହେଲା ପରେ ଯାଇ ଇଥର ଟିକେ ଧାନ ଚାଷ ଉଭାଗର ହେଇଥିଲା। ହେଲେ କଣା କରମି କହୁନି ମୋର ଡୁଲି କେ ଦେଖୁନ ଆଉ କେତେ ଧାନ ପାଏମି ଯେ କହୁନ।” ଏ ହେଉଛି ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକର ଜଣେ ଅସହାୟ ଚାଷୀ ବଳରାମ ସାହୁଙ୍କ ପ୍ରତିକ୍ରିୟା। ପବନ ଓ ପାଣି ଯୋଗୁ ଚାଷ କ୍ଷତି ହେଲା ପରେ ଅସହାୟ ହୋଇପଡିଥିବା ଏହି ଚାଷୀ ଜଣକର ସରକାର ଓ ପ୍ରଶାସନ ଉପରୁ ଭରସା ତୁଟିଛି। କିଛି ବର୍ଷ ଧରି ଚାଷ କ୍ଷୟକ୍ଷତିର ଶୀକାର ହୋଇଥିଲେ। ସହାୟତା ବାବଦକୁ ଟଙ୍କାଏ ପାଇନଥିଲେ। ବୀମା କରିଥିଲେ ମଧ୍ୟ କ୍ଷତିପୂରଣ ଟଙ୍କା ପାଇନାହାନ୍ତି। ଚଳିତ ବର୍ଷ ଭଲ ଫସଳ ହୋଇଥିବାରୁ ଏହାରି ଟଙ୍କାରେ ସମସ୍ତ ଋଣ ସୁଝିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ପ୍ରକୃତି ମାଡରେ ଘାଇଲା ହୋଇଛନ୍ତି ଚାଷୀ ଜଣକ। ଏହିଭଳି ଲୋଇସିଂହା ଓ ଆଗଲପୁର ବ୍ଲକ ଅଞ୍ଚଳର ଶତାଧିକ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଲିଛି।

ସୂଚନା ଅନୁସାରେ, ଗତ ୨୦ ତାରିଖରେ ଜିଲାର ଲୋଇସିଂହା ଓ ଆଗଲପୁର ବ୍ଲକରେ ବର୍ଷା ହୋଇଥିଲା। ୨୦ ତାରିଖ ରାତ୍ରିରେ ପବନ ବହିବା ସହିତ ବହୁ ପରିମାଣର ବର୍ଷା ହୋଇଥିଲା। ଆଗଲପୁର ବ୍ଲକରେ ୩୬ ମିମି ବର୍ଷା ହୋଇଥିବାବେଳେ ଲୋଇସିଂହା ବ୍ଲକରେ ୫ମିମି ବର୍ଷା ରେକର୍ଡ କରାଯାଇଛି। ଏହି ବର୍ଷାରେ ଏକର ଏକର ଜମିର ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଲିଛି। ପବନ ଓ ପାଣି ସ୍ରୋତରେ ଧାନ ସବୁ ଜମିରେ ଶୋଇ ପଡିଥିବାବେଳେ ଚାଷୀମାନେ କ୍ଷତି ସହିଛନ୍ତି। ଏମିତିରେ ଲଗାତାର ଏହି ଚାଷୀମାନେ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି। ପୂର୍ବ ବର୍ଷ ମାନଙ୍କର ବୀମା ଟଙ୍କା ସେମାନେ ପାଇନଥିବାବେଳେ ଚଳିତ ବର୍ଷ ମଧ୍ୟ ବହୁ ଚାଷୀ କରୋନା କଟକଣା ଯୋଗୁ ବୀମା କରିନାହାନ୍ତି। ଫଳରେ ଏହି କ୍ଷତି ଭରଣା ହେବ ନା ନାହିଁ ତାହା କହିବା ମୁସ୍କିଲ। ଅନ୍ୟପକ୍ଷରେ ଏହି କ୍ଷତି ଜିଲାର ଅନ୍ୟ ବ୍ଲକରେ ହୋଇନଥିବାବେଳେ କେବଳ ଏହି ଦୁଇ ବ୍ଲକରେ ହିଁ ଧାନ ଫସଲ ନଷ୍ଟ ହୋଇଛି। ଏନେଇ କୃଷି ଜିଲା ଅଧିକାରୀ ହିମାଁଶୁ ଶେଖର ପାଢୀଙ୍କ କହିବା ଅନୁସାରେ ଏନେଇ ଚାଷୀମାନଙ୍କଠାରୁ ଅଭିଯୋଗ ଆସିଛି। ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ଅଧିକାରୀ, କର୍ମଚାରୀମାନେ କ୍ଷତି ଆକଳନ କରୁଛନ୍ତି। ଯଦି ସେମିତି କିଛି କ୍ଷତି ହୋଇଥାଏ ତେବେ ବୀମା କଂପାନୀଙ୍କୁ କ୍ଷତିପୂରଣ ପାଇଁ ସୁପାରିଶ କରାଯିବ। ଏହା ସହିତ ଇନପୁଟ ସବସିଡି ପାଇଁ ମଧ୍ୟ ସୁପାରିଶ କରାଯିବ ବୋଲି ଶ୍ରୀ ପାଢୀ କହିଛନ୍ତି। ଅନ୍ୟପକ୍ଷରେ ଲଗାତାର କିଛି ବର୍ଷ ହେଲା ଚାଷୀମାନେ କ୍ଷତି ସହି ଆସୁଛନ୍ତି। ଚଳିତ ବର୍ଷ କରୋନା ପାଇଁ ପୂର୍ବରୁ ସମସ୍ୟାରେ ରହିଥିବା ଚାଷୀମାନଙ୍କ ପାଇଁ ଏହି କ୍ଷତି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଫଳରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ଯଥାଶୀଘ୍ର କ୍ଷତିପୂରଣ ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଚାଷୀ ନେତା ହିମାଁଶୁ ସାହୁ କହିଛନ୍ତି।

Comments are closed.