ଗରିବ ଜିଲାରେ ଜାରି ରହିଛି ଅବହେଳିତ ଚିକିତ୍ସା

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ ଡାକ୍ତରଖାନାରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରୁଛନ୍ତି। ଗତ କିଛି ଦିନ ପୂର୍ବରୁ ଜଣେ ମହିଳା ସାମାଜିକ ଗଣମାଧ୍ୟମରେ ଏ ନେଇ ଭିଡିଓ କରିବା ସହ ଡାକ୍ତରଖାନାର ଅବ୍ୟବସ୍ଥା ସମ୍ପର୍କରେ ଜନସାଧାରଣ, ଜିଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେଡିକାଲ କଲେଜ ହେଲା ପରେ ମଧ୍ୟ ଡାକ୍ତର ଏଠି ଠିକରେ ଚିକିତ୍ସା କରୁନଥିବା ବେଳେ ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ତଥା ଜିଲା ମୁଖ୍ୟ ଡାକ୍ତରଖାନାରେ ଗତ ୬ ମାସ ମଧ୍ୟରେ ମାତ୍ର ୭ଟି ଅପରେସନ ହୋଇଥିବା ସୂଚନା ଅଧିକାର କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି। ଶ୍ରୀ ଶତପଥୀଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତଥ୍ୟରେ ଗତ ମାର୍ଚ୍ଚ ୨୨ ତାରିଖ ଲକ୍‍ ଡାଉନ ଘୋଷଣା ପରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ମାସ ମଧ୍ୟରେ ମାତ୍ର ୭ଟି ସର୍ଜରୀ କରାଯାଇଥିବା ଦର୍ଶାଯାଇଛି। ଏହି ୭ଟି ଅପରେସନ ଗୁଡିକ ମଧ୍ୟରେ ଅସ୍ଥି ଶଲ୍ୟ ସର୍ଜରୀ ଓ ସାଧାରଣ ସର୍ଜରୀ ରହିଛି। ଏକ ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜ ଡାକ୍ତରଖାନାରେ ଏତେ କମ୍‍ ସଂଖ୍ୟାରେ ସର୍ଜରୀ ହେବା ଘଟଣା ବିରଳ ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ଶତପଥୀ କହିଛନ୍ତି।

ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ସାଧାରଣ ଲୋକ ଏଣିକି ନିଜ ହାତ ପାହାନ୍ତାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପାଇବେ ବୋଲି ଆଶା ବାନ୍ଧିଥିଲେ। ଏପରିକି ଜିଲାର ଟାଣୁଆ ନେତାମାନେ ମେଡିକାଲ କଲେଜ ସମ୍ପର୍କରେ ଯେଉଁ ସ୍ୱପ୍ନ ଦେଖାଇଥିଲେ ତାର ବାସ୍ତବ ସ୍ଥିତି ଲୋକେ ଠିକ ବୁଝି ପାରୁଛନ୍ତି। ଯାହା ଫଳରେ ଡାକ୍ତରଖାନାରେ କିଭଳି ଗରିବ ତଥା ଉପାନ୍ତ ଅଞ୍ଚଳର ଲୋକେ ଚିକିତ୍ସା ସୁବିଧା ପାଉଛନ୍ତି ତାହା ବେଶ ସ୍ପଷ୍ଟ ଭାବେ ତଥ୍ୟରୁ ବାରି ହୋଇ ପଡୁଛି। ଜିଲା ମୁଖ୍ୟାଳୟରେ ଚିକିତ୍ସା ଅଭାବରୁ ଲୋକେ ବିଶାଖାପାଟଣା, ଭୁବନେଶ୍ୱର, ରାୟପୁର ଆଡକୁ ମୁହାଁଉଥିବା ବେଳେ ଜରୁରୀ ଚିକିତ୍ସା ପାଇଁ ଆଜି ମଧ୍ୟ ବୁର୍ଲା ସ୍ଥାନାନ୍ତରଣ ବନ୍ଦ ହୋଇ ପାରିନାହିଁ। ଏହି ରିପୋର୍ଟ ପ୍ରକାଶ ପାଇଲା ପରେ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.