କେନ୍ଦୁଗଛର ଚୋରା କାରବାର; ନିର୍ମାଣଧିନ ଘରୁ ୭୦ଲକ୍ଷ ମୂଲ୍ୟର କେନ୍ଦୁଗଣ୍ଡି ଜବତ କଲା ବନ ବିଭାଗ

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗ ପକ୍ଷରୁ ମୁରିବାହାଲ ରେଞ୍ଜ ଖରଝୁରୀ ଗାଁରେ ପୁଣି ଏକ ବଡ ଧରଣର ଚଢଉରେ ବିପୁଳ ପରିମାଣର କାଠଗଣ୍ଡି ଜବତ କରିବାରେ ସଫଳ ହୋଇଛି। କେନ୍ଦୁଗଛର ଶତାଧିକ ଗଣ୍ଡି ଏକ ନିର୍ମାଣଧୀନ ଘରୁ ବନ ବିଭାଗ ଜବତ କରିଥିବାବେଳେ ଏହାର ମୂଲ୍ୟ ଖୋଲା ବଜାରରେ ପ୍ରାୟ ୭୦ଲକ୍ଷ ହେବ ବୋଲି ଜଣାପଡିଛି। କେନ୍ଦୁଗଛ ଗଣ୍ଡିକୁ କଣ୍ଟାବାଞ୍ଜିରେ ସାଇଜ କରି ସମ୍ବଲପୁର ଦେଇ କଲିକତାକୁ ଚାଲାଣ ହେଉଥିବାବେଳେ କିଛି ପରିମାଣର ରାଏପୁରକୁ ମଧ୍ୟ ଚାଲାଣ ହେଉଥିବା ବନ ବିଭାଗ ଜାଣିବାକୁ ପାଇଛି। ଏହି କାଠରୁ ବନ୍ଧୁକ, ଭାଓଲିନ ଭଳି ଦାମୀ ଜିନିଷ ତିଆରି ହେଉଥିବାରୁ ଏହି କାଠର ଚାହିଦା ରହିଥିବା ଜାଣିବାକୁ ମିଲିଛି।
ବଲାଙ୍ଗିର ଜିଲାରେ ଶାଗୁଆନ, ରେଙ୍ଗାଲ, ଶାଳ ଭଳି କେନ୍ଦୁ ଗଛର ବି ଚୋରା କାରବାର ଚାଲିଥିବା ସାମ୍ନାକୁ ଆସିଛି। ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଳରେ ରହିଥିବା କେନ୍ଦୁଗଛକୁ କାଟି ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ଗୁରୁବାର ବନ ବିଭାଗ ପକ୍ଷରୁ ଡିଏଫଓ ସମୀର କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ଚଢଉ କରାଯାଇଥିଲା। ମୁରିବାହାଲ ରେଞ୍ଜ ଅଧିନସ୍ଥ ଟାଙ୍ଗରା ଗାଁ ନିକଟରେ ଥିବା ଖରଝୁରୀ ଗାଁରେ ଏହି ଚଢଉ ହୋଇଥିଲା। ଗାଁର ଏକ ନିର୍ମାଣଧିନ ଘର ଭିତରୁ ବନ ବିଭାଗ ୧୧୦ ଖଣ୍ଡ କେନ୍ଦୁଗଣ୍ଡି ଜବତ କରିଥିଲା। ଏହି କେନ୍ଦୁଗଛର ଦର ସ୍ଥାନୀୟ ବଜାରରେ ୧୪ ଲକ୍ଷ ଓ ରାଜ୍ୟ ବାହାରେ ୭୦ଲକ୍ଷ ହେବ ବୋଲି ବନ ବିଭାଗ ଅନୁମାନ ଲଗାଇଛି। ଏହି ଗଛ ବଲାଙ୍ଗିରରୁ ସମ୍ବଲପୁର ଦେଇ ମୁଖତଃ କଲିକତାକୁ ଚୋରାରେ ଚାଲାଣ ହେଉଥିବା ସୂଚନା ମିଲିଛି। ପୂର୍ବରୁ ଏହି ବଡ ବଡ ଗଣ୍ଡିକୁ ଚୋରାରେ କଲିକତା, ରାୟପୁରକୁ ଚାଲାଣ କରାଯାଉଥିବାବେଳେ ସେଠାରେ ଏହାକୁ ସାଇଜ କରି ବିଭିନ୍ନ ଦାମୀ ସାମଗ୍ରୀ ତିଆରିରେ ବ୍ୟବହାର କରାଯାଉଥିଲା। କିନ୍ତୁ ଗଛ ଚାଲାଣରେ ସମସ୍ୟା ରହିଥିବାରୁ ଏହି ଚୋରା ବେପାରୀମାନେ କଣ୍ଟାବାଞ୍ଜିରେ ଏହାକୁ ସାଇଜ କରି ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଥିବା ବନ ବିଭାଗ ଜାଣିବାକୁ ପାଇଥିବା ଡିଏଫଓ ଶ୍ରୀ ଶତପଥୀ କହିଛନ୍ତି।

ଡିଏଫଓଙ୍କ ସୂଚନା ଅନୁସାରେ, ବଲାଙ୍ଗିର ଜିଲାରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ କେନ୍ଦୁ ଗଛ ବହୁ ପରିମାଣରେ ରହିଛି। ମୁରିବାହାଲର ତିଖାରୀ, ସଇଁନ୍ତଲାର ଭୀମଖୋଳ, ପାଟଣାଗଡର ବାରପାହାଡ, କୀରିବାଞ୍ଜି, ଟିଟିଲାଗଡର ବର୍ଣ୍ଣେଇ, ଦେଓଗାଁର ସିକେରପାଟ ଭଳି ଘଞ୍ଚ ସଂରକ୍ଷିତ ଜଙ୍ଗଳରୁ ଏହି ଗଛର ଚୋରାଚାଲାଣ ହେଉଥିବା ନେଇ ସୂଚନା ମିଲିଛି। ପୂର୍ବରୁ କଣ୍ଟାବାଞ୍ଜି, ଲୋଇସିଂହା, ପାଟଣାଗଡ ରେଞ୍ଜ ଅଞ୍ଚଳରେ ବହୁ ପରିମାଣର କାଠ ସାମଗ୍ରୀ ବନ ବିଭାଗ ଜବତ କରିଥିଲା। ତେବେ ଏହି ଘଟଣାରେ କେନ୍ଦୁଗଣ୍ଡି କାରବାର କରୁଥିବା ଅଭିଯୁକ୍ତକୁ ବନ ବିଭାଗ ଗିରଫ କରିପାରିନଥିବାବେଳେ ତଦନ୍ତ ଜାରି ରହିବ ବୋଲି ଡିଏଫଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

Comments are closed.