ଦାଦନ ଶ୍ରମିକଙ୍କୁ ଲିଫ୍ଟଦେଇ ଲୁଟ ଘଟଣା, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର : କରୋନା ସମୟରେ ଗାଁମୁହାଁ ହୋଇଥିଲେ ଦାଦନ ଶ୍ରମିକ । କିଏ ନିଜ ଗାଡିରେ ତ ପୁଣି କିଏ ଚାଲି ଚାଲି ସୁଦୂର ତାମିଲନାଡୁରୁ ଘରକୁ ଫେରୁଥିଲେ। ଏହାର ସଯୋଗ ନେଇ ବଲାଙ୍ଗିର ସହର ସୀମାବର୍ତ୍ତି ଅଞ୍ଚଳରେ ଏକାଧିକ ଲୁଟ ମାମଲା ସାମ୍ନାକୁ ଆସିଥିଲା। କିଛି ଥାନାରେ ମାମଲା ହୋଇଥିଲା ତ ଆଉ କିଛି ଶ୍ରମିକ ଭୟରେ ଅଭିଯୋଗ କରିନଥିଲେ। ଗତ ମେ ମାସରେ ହୋଇଥିବା ଏକ ଲୁଟ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଯୁବକକୁ ବଲାଙ୍ଗିର ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନା ଅନୁସାରେ ବଲାଙ୍ଗିର ସହର ସୀମାରେ ଥିବା ମାଧିଆପାଲି ଅଞ୍ଚଳରେ ଗତ ମେ ମାସରେ ଏକ ଲୁଟ ଅଭିଯୋଗ ହୋଇଥିଲା। ତାମିଲନାଡୁରୁ ଚାଲି ଚାଲି ଫେରୁଥିବା ଜଣେ ଦାଦନ ଶ୍ରମିକଙ୍କୁ ମାଧିଆପାଲିର ଦୁଇ ଜଣ ଯୁବକ ଲୋଇସିଂହା ପର୍ଯ୍ୟନ୍ତ ଛାଡିଦେବା ପାଇଁ କହିଥିଲେ। କିଛି ବାଟ ବାଇକରେ ବସାଇ ନେବା ପରେ ବଲାଙ୍ଗିର ବାଇପାସ ନିକଟରେ ଗାଡି ଅଟକାଇଥିଲେ। ସେଠାରେ ଉକ୍ତ ଶ୍ରମିକଙ୍କ ବ୍ୟାଗ, ପର୍ସ, ନଗଦ ଛଅ ରୁ ସାତ ହଜାର ଟଙ୍କା, ମୋବାଇଲ ଛଡାଇ ନେଇଥିଲେ। ଏପରିକି ଶ୍ରମିକର ପୋଷାକ ମଧ୍ୟ ଖୋଲି ତାକୁ ଉଲଗ୍ନ ଅବସ୍ଥାରେ ଛାଡିଦେଇ ଫେରାର ମାରିଥିଲେ। ପରେ କିଛି ଲୋକଙ୍କ ସହାୟତାରେ ଶ୍ରମିକ ଜଣକ ପୋଷାକ ପାଇ ସଦର ଥାନାରେ ଅଭିଯୋଗ କରି ଘରକୁ ଫେରିଥିଲେ। ଏନେଇ ବଲାଙ୍ଗିର ସଦର ପୁଲିସ କେସ ନଂ ୧୫୯/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲେ। ଏଭଳି ଏକ ଘଟଣାରେ ପୁଲିସ ମାଧିଆପାଲିର ଆଦିତ୍ୟ ବାରିକ ଓରଫ ଆଦି ଓ ସତ୍ୟ ସୁନା ଓରଫ କୁନ୍ଦାକୁ ଅଟକ ରଖିଥିଲା। ପଚାରଉଚୁରା ପରେ ଏହି ଘଟଣାରେ ଉଭୟଙ୍କ ସଂପୃକ୍ତ ପ୍ରମାଣ ମିଲିବା ପରେ ସଦର ପୁଲିସ ଉଭୟଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରୀ ତୋଫାନ ବାଗ କହିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ନାଁରେ ପୂର୍ବରୁ ମଧ୍ୟ ସଦର ଥାନାରେ ୪ ରୁ ୫ ଟି ମାମଲା ରହିଥିବା ବେଳେ ଏକ ବାଇକ ଚୋରୀ ଘଟଣାରେ କୁନ୍ଦାର ମଧ୍ୟ ସଂପୃକ୍ତି ରହିଥିବା ପୁଲିସ ସୂଚନା ଦେଇଛି।

Comments are closed.